ବିନା ପରୀକ୍ଷାରେ ପାସ୍

0 68

ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ !

ଭୁବନେଶ୍ୱର,୧୨/୦୩: ଚଳିତ ବର୍ଷ ମଧ୍ୟ ଗତବର୍ଷ ପରି ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ ପାସ୍‌ ହେବେ । ଆଉ ବାର୍ଷିକ ପରୀକ୍ଷା ହେବନାହିଁ । ସେମାନଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ । ଅନ୍ୟ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ସ୍ଥିତିକୁ ଆଖି ଆଗରେ ରଖି ଏଭଳି ଚିନ୍ତା କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଶିକ୍ଷା କ୍ୟାଲେଣ୍ଡର ଅନୁସାରେ ଆଉ ମାସେ ପରେ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ । ହେଲେ ଏଯାଏଁ ୨୦୨୦-୨୧ ଶିକ୍ଷାବର୍ଷରେ ପଢୁଥିବା ପ୍ରଥମରୁ ଅଷ୍ଟମ ପିଲା ସ୍କୁଲ ବାରଣ୍ଡା ମାଡ଼ିଲେନି । ନବମରୁ ଦ୍ୱାଦଶ କ୍ଲାସ୍‌ ହୋଇଥିବାବେଳେ ପ୍ରଥମରୁ ଅଷ୍ଟମ ପିଲା କ୍ଲାସ୍‌ ଆସିନାହାନ୍ତି । ଏପଟେ କରୋନା ସଂକ୍ରମଣର ଭୟ ପାଇଁ ସେମାନଙ୍କ ସ୍କୁଲ ଆଉ ନଖୋଲିପାରେ ବୋଲି ଆଲୋଚନା ହେଉଛି । ତେଣୁ ପିଲାଙ୍କୁ ଏଥର ବି ଉପର ଶ୍ରେଣୀକୁ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଦୀର୍ଘ ୯ ମାସ ସ୍କୁଲ ବନ୍ଦ ପରେ ପ୍ରଥମେ ଦଶମ ଓ ଦ୍ୱାଦଶ ପିଲାଙ୍କ କ୍ଲାସ୍‌ ହେଲା । ଏହାର ଗୋଟିଏ ମାସ ପରେ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ଚାଲିଲା । ପରେ ପ୍ରଥମରୁ ଅଷ୍ଟମ ଖୋଲିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତ ହୋଇଥିଲା । ବିଭିନ୍ନ ସ୍ତରରେ ଆଲୋଚନା ଆଉ ପର୍ଯ୍ୟାଲୋଚନା ପରେ ଗତ ଫେବ୍ରୁଆରୀ ଶେଷ ଆଡ଼କୁ ଖୋଲିବ ବୋଲି ଯୋଜନା ରହିଥିଲା । କିନ୍ତୁ ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼ ପରି ରାଜ୍ୟରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା । ମାର୍ଚ୍ଚରେ ଖୋଲିବ ବୋଲି ବିଭାଗ ପକ୍ଷରୁ ସଂକେତ ମିଳିଥିଲା । ହେଲେ କରୋନାର ବର୍ତ୍ତମାନ ସ୍ଥିତିକୁ ଦେଖି କିଛି ନିଷ୍ପତ୍ତି ହୋଇପାରୁନି । ଏପଟେ ମାର୍ଚ୍ଚ ଅଧା ହେଲାଣି । ସ୍କୁଲ ଖୋଲି ପ୍ରଥମରୁ ଅଷ୍ଟମ କ୍ଲାସ୍‌ କରିବାକୁ ବି ଆଉ ସମୟ ନାହିଁ। ତେଣୁ ସେମାନଙ୍କର ଅନ୍‌ଲାଇନ୍‌ କ୍ଲାସ୍‌ ଓ ପରୀକ୍ଷାକୁ ଭିତ୍ତି କରି ଉପର ଶ୍ରେଣୀକୁ ପାସ୍‌ କରାଯିବ। ଆଉ ସେମାନଙ୍କର ଚଳିତ ଶିକ୍ଷା ବର୍ଷ ପାଇଁ ସ୍କୁଲ ଖୋଲିବ ନାହିଁ । ଏକାଥରକେ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.