ରୁଷ ରାଷ୍ଟ୍ରପତି ଜଣେ କିଲର : ବାଇଡେନ

0 78

ୱାଶିଂଟନ, ୧୮ ।୩: ଆମେରିକା ଓ ରୁଷ ମଧ୍ୟରେ ପୁଣିଥରେ ତିକ୍ତତା ଆରମ୍ଭ ହୋଇଛି । ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କୁ କିଲର୍ ବୋଲି କହିଛନ୍ତି । ଏଥିସହ ଆମେରିକା ନିର୍ବାଚନରେ ସେ ହସ୍ତକ୍ଷେପ କରୁଥିବାରୁ ଏହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିବ ବୋଲି ମଧ୍ୟ ବାଇଡେନ ଖୋଲାଖୋଲି ଭାବେ ଚେତାବନୀ ଦେଇଛନ୍ତି । ଏହାକୁ ନେଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଯାଇଛି । ବିବାଦକୁ ଦୃଷ୍ଟିରେ ରଖି ଆମେରିକାରେ ଅବସ୍ଥାପତି ରୁଷ ରାଷ୍ଟ୍ରଦୂତଙ୍କୁ ମୋସ୍କୋ ସ୍ୱଦେଶ ଫେରାଇ ଆଣିଛି । ଏବିସି ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ ଆମେରିକା ଗୁଇନ୍ଦା ବିଭାଗ ଦେଇଥିବା ରିପୋର୍ଟରେ ରୁଷ କେମିତି ଆମେରିକା ନିର୍ବାଚନରେ ହସ୍ତକ୍ଷେପ କରିଥିଲା, ସେ ବିଷୟରେ ବାଇଡେନଙ୍କୁ ପଚାରା ଯାଇଥିଲା । ଏହାର ଉତ୍ତରରେ ବାଇଡେନ କହିଥିଲେ ଯେ ଏହାର ପରିଣାମ ନିଶ୍ଚିତ ଭାବେ ଭୋଗିବାକୁ ପଡ଼ିବ । ରୁଷ ଯାହା କଥାରେ ବି ଏପରି କରିବାକୁ ଉଦ୍ୟମ କରିଥିଲା, ସେମାନଙ୍କୁ ବି ଛଡ଼ାଯିବ ନାହିଁ । ବିରୋଧୀ ଦଳର ନେତାଙ୍କୁ ପୁଟିନ ବିଷ ଦେଇଥିବା ଅଭିଯୋଗକୁ ଆଧାର କରି ତାଙ୍କୁ ସମସ୍ତେ କିଲର ବୋଲି କହୁଛନ୍ତି । ଆପଣ(ବାଇଡେନ) ଏହା ଉପରେ କ’ଣ କହିବେ । ଏହାର ଉତ୍ତରେ ବାଇଡେନ କହିଥିଲେ ଯେ ମୁଁ ମଧ୍ୟ ପୁଟିନଙ୍କୁ କିଲର ବୋଲି ଭାବେ । ଏହି ବୟାନ ପରେ ରୁଷରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ରୁଷର ବୈଦେଶିକ ମନ୍ତ୍ରଣାଳୟ କହିଛି, ଆମେରିକା ସହ ସମ୍ପର୍କ ଆଗକୁ କେଉଁ ଦିଗରେ ଯିବ, ତା’ ଉପରେ ଆଲୋଚନା କରିବା ପାଇଁ ଆମେ ୱାଶିଂଟନରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତକୁ ସ୍ୱଦେଶ ଡାକିଛୁ । ଆମେ ତାଙ୍କ ସହ ପୂରା ଘଟଣା ବିଷୟରେ ଆଲୋଚନା କରିବୁ । ଆମେରିକା-ରୁଷ ମଧ୍ୟରେ ଆଗକୁ କ’ଣ ହେବ, ସେକଥା ସଂପୂର୍ଣ୍ଣ ଭାବେ ୱାଶିଂଟନ ଉପରେ ନିର୍ଭର କରୁଛି । ଯଦି ପୁଣି ଆମେରିକାର-ରୁଷ ସମ୍ପର୍କରେ ତିକ୍ତତା ଆସେ, ତା’ହେଲେ ଏଥିପାଇଁ ୱାଶିଂଟନ ହିଁ ଦାୟୀ ରହିବ ।

Leave A Reply

Your email address will not be published.