ସାରଦା ଚିଟଫଣ୍ଡ: ୨.୬୭ କୋଟି ଟଙ୍କା ଫେରାଇଲେ କୁନାଲ ଘୋଷ

0 71

କୋଲକାତା, ୧୮ ।୩: ଚିଟଫଣ୍ଡ କମ୍ପାନୀ ସାରଦା ଗ୍ରୁପ୍ର ମିଡିଆ କମ୍ପାନୀରେ କାମ କରୁଥିବା ବେଳେ ଟଙ୍କା ନେଇଥିବା ତୃଣମୂଳ କଂଗ୍ରେସର ନେତା କୁନାଲ ଘୋଷ ଏହାକୁ ଫେରାଇ ଦେଇଛନ୍ତି । ସାରଦା ଚିଟ୍ଫଣ୍ଡ ଘଟଣାର ମନି ଲଣ୍ଡ୍ରିଂ ବିଷୟରେ ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରୁଛି । କୁନାଲ ଏବେ ୨.୬୭ କୋଟି ଟଙ୍କାର ଇଡିକୁ ଫେରାଇ ଦେଇଥିବା ଜଣାପଡ଼ିଛି । ସାରଦା ଚିଟିଫଣ୍ଡ ଘଟଣାରେ କୁନାଲ ଘୋଷଙ୍କୁ ଇଡି ଜେରା କରିଥିଲା । ଜେରା ବେଳେ ସେ ସାରଦା ଗ୍ରୁପ୍ ଠାରୁ ଦରମା ଓ ବିଜ୍ଞାପନ ଆକାରରେ ପାଇଥିବା ଟଙ୍କାକୁ ଫେରସ୍ତ କରିବାକୁ ଚାହୁଁଥିବା ଇଡିକୁ କହିଥିଲେ । ଇଡି ତାଙ୍କର ଏହି ଅନୁରୋଧକୁ ସୋମବାର ଦିନ ରକ୍ଷା କରିଥିଲା । ପ୍ରତିଶ୍ରୁତି ମୁତାବକ ସେ ବୁଧବାର ୨.୬୭ କୋଟି ଟଙ୍କା ଇଡିକୁ ଫେରାଇ ଦେଇଛନ୍ତି । କୁନାଲ କହିଛନ୍ତି ଯେ ସେ ଏତେ ପରିମାଣର ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟ, ଏଲଆଇସି ପଲିସି ଓ ବନ୍ଧୁମାନଙ୍କ ଠାରୁ ଋଣ ଆକାରରେ ଆଣିଛନ୍ତି । ଟିଏମସିର ପୂର୍ବତନ ସାଂସଦ କୁନାଲ ଘୋଷ ସାରଦା ଗ୍ରୁପ୍ ଦ୍ୱାରା ପରିଚାଳିତ ଟିଭି ଚ୍ୟାନେଲର ମୁଖ୍ୟ ଥିଲେ । ସାରଦା ଗ୍ରୁପ୍ ଲୋକଙ୍କୁ ଅଧିକ ସୁଧ ମିଳିବାର ଲୋଭ ଦେଖାଇ ଟଙ୍କା ସଂଗ୍ରହ କରୁଥିଲା । ଏହି ଟଙ୍କାକୁ ଟିଭି ଚ୍ୟାନେଲରେ ମଧ୍ୟ ଖର୍ଚ୍ଚ କରାଯାଉଥିଲା । ଏଥିପାଇଁ କୁନାଲ ଘୋଷଙ୍କୁ ୩୪ ମାସ କାଳ ଜେଲ୍ରେ ରହିବାକୁ ପଡ଼ିଥିଲା । ୨୦୧୬ ଅକ୍ଟୋବର ୫ରେ ତାଙ୍କୁ ଜାମିନ ମିଳିବାରୁ ସେ ଖଲାସ ହୋଇଥିଲେ । ୨୦୧୩ରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ତେବେ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ପୁଣିଥରେ ଟିଏମସି ମୁଖପାତ୍ର ପଦ ଦେଇଥିଲା ।

Leave A Reply

Your email address will not be published.