ଆରସି ନବୀକରଣ ପାଇଁ ଏଣିକି ୮ ଗୁଣା ଅଧିକ ଲାଗିବ

0 75

ନୂଆଦିଲ୍ଲୀ, ୧୮ ।୩: ଆସନ୍ତା ଅକ୍ଟୋବର ମାସରୁ ଦେଶରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ୧୫ ବର୍ଷରୁ ଅଧିକ ପୁରୁଣା କାର୍ର ଆରସି ବା ରେଜିଷ୍ଟ୍ରେସନ ନମ୍ବରର ନବୀକରଣ ପାଇଁ ୮ ଗୁଣା ଅଧିକ ଟଙ୍କା ଦେବାକୁ ପଡ଼ିବ । ଅକ୍ଟୋବର ମାସରୁ ଏହି ବର୍ଗରେ ଆସୁଥିବା କର୍ଗୁଡ଼ିକର ଆର୍ସି ନବୀକରଣ ପାଇଁ ୫ ହଜାର ଟଙ୍କା ପୈଠ କରିବାକୁ ପଡ଼ିବ । ଏବେ ଏଥିପାଇଁ ୬୦୦ ଟଙ୍କା ଦେବାକୁ ପଡ଼ୁଛି । ସେହିପରି ୧୫ ବର୍ଷରୁ ଅଧିକ ପୁରୁଣା ବାଇକ୍ର ଆରସି ନବୀକରଣ କରିବା ପାଇଁ ୧୦୦୦ ଟଙ୍କା ଦେବାକୁ ପଡ଼ିବ । ବର୍ତ୍ତମାନ ଲୋକଙ୍କୁ ଏଥିପାଇଁ ୩ଶହ ଟଙ୍କା ଦେବାକୁ ପଡ଼ୁଛି । ୧୫ ବର୍ଷ ତଳର ଟ୍ରକ୍ କିମ୍ବା ବସ୍ର ଫିଟନେସ୍ ନବୀକରଣ ପ୍ରମାଣପତ୍ର ପାଇଁ ୧୨,୫୦୦ ଟଙ୍କା ଦେବାକୁ ପଡ଼ିବ, ଯାହା ବର୍ତ୍ତମାନର ଫି’ ଠାରୁ ୨୧ ଗୁଣା ଅଧିକ । ୩ ଚକିଆ ଯାନର ପଞ୍ଜୀକରଣ ୬୦୦ ଟଙ୍କାରେ ହେଉଥିବା ବେଳେ ନବୀକରଣ ପାଇଁ ୨,୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ବିଦେଶକୁ ଯାଉଥିବା କାର୍ ବା ତା’ ଠାରୁ ବଡ଼ ଗାଡ଼ିର ପଞ୍ଜୀକରଣ ପାଇଁ ୫ ହଜାର ଟଙ୍କା ଓ ନବୀକରଣ ପାଇଁ ୪୦ ହଜାର ଟଙ୍କା ଦେବାକୁ ପଡ଼ିବ । ବାଇକର ନୂଆ ଫିଟନେସ୍ ପ୍ରମାଣପତ୍ର ପାଇଁ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ନବୀକରଣ ପାଇଁ ୧ ହଜାର ଟଙ୍କା ଦେବାକୁ ପଡ଼ିବ । ୩ ଚକିଆ ଯାନର ନୂଆ ଫିଟନେସ ପ୍ରମାଣପତ୍ର ପାଇଁ ୧୦୦୦ ଟଙ୍କା ଓ ନବୀକରଣ ପାଇଁ ୩,୫୦୦ ଟଙ୍କା, ଟ୍ୟାକ୍ସ/କ୍ୟାବ ପାଇଁ ୧ହଜାର ଓ ୭,୦୦୦, ମିଡିୟମ ଗୁଡ୍ସ/ପ୍ୟାସେଞ୍ଜର ଗାଡ଼ି ପାଇଁ ୧୩ଶହ ଓ ୧୦,୦୦୦ ଏବଂ ବଡ଼ ଗୁଡ୍ସ/ପ୍ୟାସେଞ୍ଜର ଗାଡ଼ିଗୁଡ଼ିକ ନୂଆ ଫିଟନେସ ପ୍ରମାଣପତ୍ର ପାଇଁ ୧୫ ଶହ ଟଙ୍କା ଓ ନବୀକରଣ ପାଇଁ ୧୨,୫୦୦ ଟଙ୍କା ଦେବାକୁ ପଡ଼ିବ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଆରସି ନବୀକରଣ ପାଇଁ ଏପରି ବର୍ଦ୍ଧିତ ଫି’ ଧାର୍ଯ୍ୟ କରିଛନ୍ତି । ଏହାର ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ ସରିଛି । ଭେଇକିଲ ସ୍କ୍ରାପେଜ୍ ପଲିସି ଅଧୀନରେ ଏପରି ବ୍ୟବସ୍ଥା କରାଯାଇଛି । ପ୍ରସ୍ତାବ ଅନୁଯାୟୀ, ଘରୋଇ ଗାଡ଼ି ଗୁଡ଼ିକର ପଞ୍ଜୀକରଣରେ ବିଳମ୍ବ କଲେ ମାସିକ ୩୦୦ରୁ ୫ଶହ ଟଙ୍କା ଜୋରିମାନା ଲାଗୁ କରାଯିବ । ସେହିପରି ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଗାଡ଼ିର ଫିଟନେସ ନବୀକରଣରେ ବିଳମ୍ବ କଲେ ଦୈନିକ ୫୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ । ସରକାର ପ୍ରଦୂଷଣ ଓ ପୁରୁଣା ଗାଡ଼ିକୁ ବ୍ୟାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ଏପରି ବର୍ଦ୍ଧିତ ଫି’ ଲାଗୁ କରାଯିବ । ଘରୋଇ ଗାଡ଼ିଗୁଡ଼ିକ ୧୫ ବର୍ଷ ପୁରୁଣା ହୋଇଗଲା ପରେ ପ୍ରତି ୫ ବର୍ଷରେ ଥରେ ଏହାର ଆରସିକୁ ନବୀକରଣ କରିବାକୁ ପଡ଼ିଥାଏ । ସେହିପରି ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଗାଡ଼ି ୮ ବର୍ଷ ପୁରୁଣା ହୋଇଯିବା ପରେ ପ୍ରତିବର୍ଷ ଏହାର ଫିଟନେସ ପ୍ରମାଣପତ୍ରକୁ ନବୀକରଣର କରାଯିବାର ନିୟମ ରହିଛି । ପୁରୁଣା ଗାଡ଼ିକୁ ସହଜରେ ବଦଳାଇ ନୂଆ ଗାଡ଼ି ପାଇବା ପାଇଁ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଡ୍ରାଫ୍ଟରେ କୁହାଯାଇଛି ଯେ ପୁରୁଣା ଗାଡ଼ି ଚଳାଉଥିବା ଲୋକମାନେ ଦେଶର ଯେକୌଣସି ସ୍କ୍ରାପିଂ ସେଣ୍ଟରକୁ ଯାଇ ଏହାକୁ ବଦଳାଇ ପାରିବେ । ପୁରୁଣା ଗାଡ଼ି ବଦଳ କରୁଥିବା ଲୋକଙ୍କୁ ନୂଆ ଗାଡ଼ି ପାଇଁ ଆର୍ଥିକ ସହାୟତା ମଧ୍ୟ ମିଳିବ । ସ୍କ୍ରାପିଂ ସେଣ୍ଟରଗୁଡ଼ିକ ଗାଡ଼ିଗୁଡ଼ିକୁ ରଖିବା ପୂର୍ବରୁ ଏହା ପ୍ରକୃତ ମାଲିକଙ୍କ ସମ୍ପର୍କରେ ଭଲ ଭାବେ ଯାଞ୍ଚ କରିବେ । ବଜାରରେ ଗାଡ଼ିର ମୂଲ୍ୟ ଯେତିକି ହୋଇଥିବ, ତଦନୁସାରେ ମାଲିକଙ୍କୁ ଟଙ୍କା କମ୍ପାନୀ ଦେବ । ଏଥିପାଇଁ ସରକାର କୌଣସି ମୂଲ୍ୟ ଧାର୍ଯ୍ୟ କରିନାହାନ୍ତି ।

Leave A Reply

Your email address will not be published.