ବିଜେପିରେ ମିଶିଲେ ଅରୁଣ ଗୋଭିଲ୍

0 77

ନୂଆଦିଲ୍ଲୀ, ୧୮ ।୩: ଜଣାଶୁଣା ଟିଭି ସିରିୟଲ୍ ରାମାୟଣରେ ରାମ ଭୂମିକା ତୁଲାଇଥିବା ଅଭିନେତା ଅରୁଣ ଗୋଭିଲ୍ ବିଜେପିରେ ସାମିଲ ହୋଇଛନ୍ତି । ୫ ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅରୁଣ ଗୋଭିଲଙ୍କ ବିଜେପିର ସାମିଲ ହେବା ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି । ଅରୁଣ ଗୋଭିଲ୍ ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟରେ ପାର୍ଟି ସଦସ୍ୟତା ପଦ ଗ୍ରହଣ କରଛନ୍ତି । ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଉପସ୍ଥିତ ଥିଲେ । ଗତବର୍ଷ ଲକ୍ଡାଉନ୍ ଜାରି ହେବା ପରେ କେନ୍ଦ୍ର ସରକାର ଦୂରଦର୍ଶନରେ ରାମାୟଣ ସିରିୟଲର ପୁଣିଥରେ ପ୍ରସାରଣ ଆରମ୍ଭ କରିଥିଲା । ଲକଡାଉନରେ ଲୋକେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରିଥିଲେ । ଏହା ପରଠାରୁ ଗୋଭିଲଙ୍କର ରାଜନୀତିକୁ ଆସିବା ନେଇ ଖୁବ୍ ଚର୍ଚ୍ଚା ହେଉଥିଲା । ଦେଶରେ ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି । ଏହାରି ଭିତରେ ଅରୁଣ ଗୋଭିଲ୍ ବିଜେପିରେ ସାମିଲ୍ ହୋଇଛନ୍ତି । ଯଦିଓ ସେ ଦଳରେ ସାମିଲ୍ ହୋଇଛନ୍ତି ହେଲେ ତାଙ୍କର ଭୂମିକା କଣ ରହିବ ସ୍ପଷ୍ଟ ହୋଇନାହିଁ । ଏବେ ସେ ବିଜେପିରେ ସାମିଲ ହେବା ପରେ ଗୋଭିଲ୍ ପଶ୍ଚିମବଙ୍ଗରେ ପାର୍ଟି ପାଇଁ ପ୍ରଚାର କରିପାରନ୍ତି । କାରଣ ଏହି ରାଜ୍ୟରେ ବିଜେପି “ଜୟଶ୍ରୀରାମ’ ନାରା ଦେଇ ମମତା ସରକାର ବିରୋଧରେ ନିର୍ବାଚନୀ ହୁଙ୍କାର ଭରୁଛି । ୬୩ ବର୍ଷୀୟ ଅରୁଣ ଗୋଭିଲ୍ ୧୨ ଜାନୁଆରୀ ୧୯୫୮ରେ ମେରୁଟରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଦୀର୍ଘଦିନର ଅଭିନୟ କ୍ୟାରିୟରରେ ଗୋଭିଲ୍ ରାମାୟଣ ବ୍ୟତୀତ ଅନେକ ଟିଭି ସିରିଏଲ ଏବଂ ଚଳଚ୍ଚିତ୍ରରେ କାମ କରିଛନ୍ତି । ତାଙ୍କୁ ବିକ୍ରମ ଏବଂ ବେତାଳ, ଲୁବ କୁଶ, ବୁଦ୍ଧ ଇତ୍ୟାଦିରେ ଦେଖିବାକୁ ମିଳିଥିଲା । ଏହା ସହିତ ସେ ପହେଲି, ସାୱାନ୍ ଇତ୍ୟାଦି ଚଳଚ୍ଚିତ୍ରରେ ମଧ୍ୟ ସେ କାମ କରିଥିଲେ । ସେତେବେଳେ ରାମାୟଣ ସିରିଏଲ ଏତେ ଲୋକପ୍ରିୟ ହୋଇଥିଲା ଯେ ଲୋକମାନେ ପ୍ରଭୁ ରାମଙ୍କ ପରି ଅରୁଣ ଗୋଭିଲ୍ଙ୍କୁ ସମ୍ମାନ ଦେବା ଆରମ୍ଭ କରିଥିଲେ । ଏବେ ଯେତେବେଳେ କରୋନା ମହାମାରୀରେ ତାଲା ପଡ଼ିଥିଲା, ରାମାୟଣ ପୁଣିଥରେ ଟିଭିରେ ପ୍ରସାରିତ ହୋଇଥିଲା । ଏହି ଧାରାବାହିକ’ରେ ଦୀପିକା ଚିଖାଲିଆ ସୀତା ଭୂମିକାରେ ଅଭିନୟ କରିଥିଲେ । ଦୀପିକା ପୂର୍ବରୁ ବିଜେପିରେ ସାମିଲ୍ ହୋଇସାରିଛନ୍ତି । ସେ ଦୁଇଥର ସଂସଦକୁ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.