ସଚେତନତା ହିଁ କରୋନାକୁ କେବଳ ବ୍ରେକ୍ ଦେଇପାରିବ

0 77

ଏବେ ପୁଣି କରୋନା ମହାମାରୀ ତା’ର ବିକଟାଳ ରୂପ ଦେଖାଇବା ଆରମ୍ଭ କରିଦେଲାଣି । ଗୋଟିଏ ଦିନରେ ୪୦ହଜାରରୁ ଊଦ୍ଧ୍ୱର୍ ସଂକ୍ରମିତ ହେବା ଖବର ନିଶ୍ଚିତ ଭାବେ ଆମ ସମସ୍ତଙ୍କ ପାଇଁ ଗଭୀର ଚିନ୍ତାଜନକ ବିଷୟ । ଏ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି କି କରୋନାର ଦ୍ୱିତୀୟ ଷ୍ଟ୍ରେନ୍ ଆସିବା କିଛି ବି ଅସମ୍ଭବ ନୁହେଁ । କାରଣ ସାମାନ୍ୟ ସତର୍କତା ଯଦି ଆମେ ଅବଲମ୍ବନ ନକରିବା ତେବେ ବିପଦକୁ ଯେ ହୁଇସିଲ୍ ମାରି ଡାକିବା ତାହା ନିଶ୍ଚିତ । ତା’ ବାଦ୍ ପୂର୍ବବର୍ଷ ଭଳି ମହାରାଷ୍ଟ୍ର ଓ ଅନ୍ୟାନ୍ୟ ରାଜ୍ୟରୁ ଲୋକେ ପୁଣି ଓଡ଼ିଶା ଫେରିବାକୁ ଲାଗିଲେଣି । ବିଶେଷକରି କରୋନା କାଳରେ ଗତବର୍ଷ ଯେଭଳି ଲକ୍ଡାଉନ୍ ଓ ସଟ୍ଡାଉନ୍ ପରିସ୍ଥିତି ଉପୁଜିଥିଲା ଯଦି ଏଥର ସମାନ ଦଶା ହୁଏ ତେବେ ଏହା କେତେଯେ ଆମ ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରିବ ତାହା ଅତ୍ୟନ୍ତ ଚିନ୍ତାଜନକ । ପ୍ରଥମତଃ କରୋନା କାଳରେ ଗତବର୍ଷ ଲୋକଙ୍କ ଆର୍ଥିକ ମାନଦଣ୍ଡ ସଂପୂର୍ଣ୍ଣ ଭୁଶୁଡ଼ି ଯାଇଛି । ଯଦିଓ ବର୍ତ୍ତମାନ ଦେଶର ଅର୍ଥନୀତିରେ ସାମାନ୍ୟ ସୁଧାର ଆସିଛି ତଥାପି ପୁଣିଥରେ କରୋନାର ଏହି ଲହର ଉଭୟ ସରକାର ଓ ଜନସାଧାରଣଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି । ଏକ ଆକଳନରୁ ଜଣାଯାଏ ଯେ ଗତବର୍ଷ କରୋନା ସମୟରେ ମଧ୍ୟବିତ୍ତ ତାଲିକାରୁ ୩ କୋଟି ଲୋକ ତଳକୁ ଖସିଛନ୍ତି । କେବଳ ଯେ ମଧ୍ୟବିତ୍ତ ଏଥିଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି ତା’ ନୁହେଁ ବରଂ ସମାଜର ସବୁବର୍ଗର ଲୋକମାନେ ଏହାଦ୍ୱାରା ବେଶ୍ ପ୍ରଭାବିତ । ବିଶେଷକରି ଛାତ୍ରଛାତ୍ରୀମାନେ ଯେଭଳି ଅସୁବିଧା ଭୋଗ କରୁଛନ୍ତି ତାହା ସମସ୍ତେ ଜାଣନ୍ତି । କିନ୍ତୁ ଏଥର ଯଦି ପୁଣିଥରେ କରୋନା ତା’ର ସମାନ ରୂପ ଦେଖାଏ ତେବେ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିବ । ତା’ଛଡ଼ା ଆମେମାନେ ସାମାନ୍ୟ ଅବହେଳା କଲେ ପୁଣିଥରେ ସେହି ପୁରୁଣା ସ୍ଥିତିକୁ ଫେରିଯିବା । ଯଦିଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଯାହାକୁ ଥରେ କରୋନା ହୋଇଛି ତା ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । କିନ୍ତୁ ସେହି ଆଣ୍ଟିବଡି ମାତ୍ର ୬ ମାସ ପାଇଁ । ତା’ପରେ ପୁଣି ଯେ କରୋନା ଉକ୍ତ ବ୍ୟକ୍ତିଙ୍କୁ ଆଟାକ୍ ନକରିବ ସେକଥା କହିହେବ ନାହିଁ । ଗତ ଦୁଇଦିନ ତଳେ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦିଗରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କଥାଟିଏ କହିଥିଲେ କି ଆମେ ଯେଭଳି ପୁରୁଣା ଲକ୍ଡାଉନ୍ ସ୍ଥିତିକୁ୍ ନଫେରୁ । ଅର୍ଥାତ ପରୋକ୍ଷରେ ସେ ସୂଚାଇ ଦେଲେ କି ପ୍ରତ୍ୟେକ ବ୍ୟକ୍ତି ଯଦି ନିଜେ ସଚେତନ ହେବ ତେବେ କରୋନା ଆମକୁ ସ୍ପର୍ଶ ବି କରିପାରିବ ନାହିଁ । କିନ୍ତୁ ବର୍ତ୍ତମାନ ଗୋଟିଏ ପ୍ରଶ୍ନ ଏବେ ଯେଭଳି ମନ୍ଦିର, ମସ୍ଜିଦ୍, ବିଭିନ୍ନ ପର୍ଯ୍ୟଟନସ୍ଥଳ, ବାହାଘର, ଥିଏଟର, ସିନେମାହଲ୍, ଯାନିଯାତ୍ରା ଆଦି କଟକଣାରୁ ସାମାନ୍ୟ କୋହଳ କରାଯାଇଛି ସେସବୁରେ କ’ଣ ପୁଣିଥରେ କଟକଣା ଲାଗୁ ହେବ? କିନ୍ତୁ ଯଦି ଆମେ ଏସବୁ କ୍ଷେତ୍ରରେ ନିଜକୁ ସଂଯମ ଆଚରଣ ରଖିବା ସହ ଦୂରତା ବଜାୟ ସହ ମାସ୍କ ପରିଧାନ ଓ ହାତକୁ ବାରମ୍ବାର ଧୋଇବା ଭଳି କାର୍ଯ୍ୟ କରିବା ତେବେ ଏସବୁର କଟକଣା ଆବଶ୍ୟକତା ନାହିଁ । ତେଣୁ ସଚେତନତା ହିଁ କରୋନାକୁ କେବଳ ବ୍ରେକ୍ ଦେଇପାରିବ ।

Leave A Reply

Your email address will not be published.