ଲକ୍ଡାଉନ୍ ନେଇ ଆଶା ଓ ଆଶଙ୍କା

0 73

ଗତ କିଛିମାସ ହେଲା ନିୟନ୍ତ୍ରଣକୁ ଆସିଥିବା କରୋନା ପୁଣିଥରେ କାୟା ମେଲାଇବା ଆରମ୍ଭ କରିଛି । ବିଶେଷକରି ମାର୍ଚ୍ଚ ତୃତୀୟ ସପ୍ତାହରେ କରୋନା ହୁ ହୁ ହୋଇ ବଢ଼ୁଥିବାରୁ ଏହାକୁ ଏବେ ସଂକଟର ସମୟ ବୋଲି କୁହାଯାଉଛି । ଗୋଟିଏ ସପ୍ତାହରେ ସାରା ଦେଶରେ ସଂକ୍ରମଣ ୬୭% ବୃଦ୍ଧି ପାଇଛି । ସେହିପରି କରୋନାଜନିତ ମୃତ୍ୟୁ ମାମଲା ମଧ୍ୟ ୪୧% ବୃଦ୍ଧି ଘଟିଛି । ଗତ ମାର୍ଚ୍ଚ ୧୫ରୁ ୨୧ ଗୋଟିଏ ସପ୍ତାହ ମଧ୍ୟରେ ସାରା ଦେଶରେ ୨ଲକ୍ଷ ୬୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହା କରୋନାର ଭୟାବହତାକୁ ପୁଣି ଦର୍ଶାଉଛି । ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଏହା କ୍ଷୀପ୍ର ଗତିରେ ମାଡ଼ିଚାଲିଛି । ଆଜି ଗୋଟିଏ ଦିନରେ ୧୪୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ମଧ୍ୟ ସଂକଟ ଆଡ଼କୁ ଗତି କଲାଣି । ଏକ୍ସଆଇଏମ୍ଭିରେ ୪୫ ଆକ୍ରାନ୍ତ ଚିହ୍ନଟ ପରେ ରାଜଧାନୀରେ ଟେଷ୍ଟିଂ ଓ ଟ୍ରେସିଂ ଉପରେ ଗୁରୁତ୍ୱ ଦିଆଯିବ ବୋଲି ବିଏମ୍ସି କମିଶନର ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ ଗତ ଶନିବାର ଦିନ ଏକ୍ସଆଇଏମ୍ଭି ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଯେ କେତେଲୋକ ସଂକ୍ରମିତ ହୋଇଥିବେ ତାହା କହିହେବନାହିଁ । ଯାହା ଅନୁମାନ କରାଯାଉଥିଲା ତାହା ହିଁ ଘଟିଲା । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟନ୍ତ ସମସ୍ତେ ସଚେତନ କଲେ ମଧ୍ୟ କେତେକ ଅମାନିଆଙ୍କ ଯୋଗୁଁ ଏଭଳି ଉଦ୍ବେଗଜନକ ସ୍ଥିତି ଉପୁଜିଲା । ସୁଧୁରି ଆସୁଥିବା ସ୍ଥିତି ପୁଣି ବିଗିଡ଼ିଗଲା । ଏବେ ଲକ୍ଡାଉନ୍ ଆଶଙ୍କା ଦେଖାଗଲାଣି । ମାଲକାନାଗିରିରେ ରାତି ୯ରୁ ସକାଳ ୬ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ଖାଲି ସେତିକି ନୁହେଁ ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତଙ୍କ ସହିତ ପରିବାରର ୪ ସଦସ୍ୟ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ସ୍ଥିତି ସଂଗୀନ ଆଡ଼କୁ ଗତି କରୁଥିବା ଜଣାଯାଉଛି । ପୂର୍ବଭଳି ଏବେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ହଟ୍ସ୍ପଟ ପାଲଟିଛି । ଏହାକୁ ଲକ୍ଷ୍ୟ ରଖି ରାଜ୍ୟ ଓ ବିଦେଶ ଫେରନ୍ତାଙ୍କ ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ଏସ୍ଆର୍ସି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୈନିକ ସଂକ୍ରମଣ ବଢ଼ୁଥିବାରୁ ଏଥିନେଇ ସତର୍କ କରାଇଛନ୍ତି ଡିଏମ୍ଇଟି ଡକ୍ଟର ସିବିକେ ମହାନ୍ତି । ସମସ୍ତେ କଟକଣା ମାନିବା ସହିତ କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ପାଳନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଯଦି ଆମେ ନିୟମ ନମାନିବା ତେବେ ଲକ୍ଡାଉନ୍କୁ ନିମନ୍ତ୍ରଣ କରିବା ବୋଲି ସେ ମଧ୍ୟ ସତର୍କ କରାଇବା ସହିତ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ ଦେଇଛନ୍ତି । ପୁଣି ଗ୍ରାମାଞ୍ଚଳରେ କଟକଣାକୁ କଡ଼ାକଡ଼ି କରିବା ପାଇଁ ସରପଞ୍ଚ, ୱାର୍ଡମେମ୍ବର, ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି । ଗାଁ କମିଟି ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ । ତେଣୁ ଏଭଳି ସ୍ଥିତିକୁ ଦେଖି ଲୋକେ ପୁଣି ଲକ୍ଡାଉନ୍ର ଭୟ ନେଇ ଆଶା ଆଶଙ୍କାରେ ଅଛନ୍ତି ।

Leave A Reply

Your email address will not be published.