ପ୍ରଧାନମନ୍ତ୍ରୀ ଆବାସ ଯୋଜନା :୧୮୦୦ କୋଟି ଟଙ୍କାର ସବ୍ସିଡି ଖାଇଗଲେ!

0 63

ନୂଆଦିଲ୍ଲୀ, ୨୪ ।୩ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲିଙ୍କ୍ ରହିଥିବା ଗୋଟିଏ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ କରିଛି ସିବିଆଇ । ଏଥିସହ ଡିଏଚ୍ଏଫଏଲର ଦୁଇ ଭାଇ କପିଲ ଓ ଧୀରଜ ୱାଧାୱାନଙ୍କ ବିରୋଧରେ ଏଫଆଇଆଇ ମଧ୍ୟ କରିଛି । କପିଲ ଓ ଧୀରଜ ଡିଏଚ୍ଏଫଏଲର ପ୍ରମୋଟର୍ସ ଭାବେ କାର୍ଯ୍ୟ କରୁଥିଲେ । ସେମାନେ ଏବେ ଠକେଇ ଓ ମନିଲଣ୍ଡ୍ରିଂ ମାମଲାରେ ଜେଲରେ ରହିଛନ୍ତି । ସିବିଆଇ କହିଛି, ଡିଏଚ୍ଏଫଏଲର ନିର୍ଦ୍ଦେଶକମାନେ ଫେକ୍ ହୋମ ଲୋନ୍ ଆକାଉଣ୍ଟ ଜରିଆରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି କରିଛନ୍ତି । ସିବିଆଇ ବୁଧବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ସଂଶ୍ଲିଷ୍ଟ ଦୁର୍ନୀତିର ପର୍ଦ୍ଦାଫାସ କରି କହିଛି, କପିଲ ଓ ଧୀରଜ ନକଲି ଏବଂ ସନ୍ଦିଗ୍ଧ ହୋମ ଲୋନ୍ ଆକାଉଣ୍ଟ ଖୋଲିଥିଲେ । ଏହାର ମୂଲ୍ୟ ପ୍ରାୟ ୧୪,୦୦୦ କୋଟି ଟଙ୍କା ଥିଲା । ଏହି ଖାତାଗୁଡ଼ିକ ଜରିଆରେ ଭାରତ ସରକାରଙ୍କ ଠାରୁ ଦୁଇ ଭାଇ ସବସିଡି ଆକାରରେ ୧୮୦୦ କୋଟି ଟଙ୍କା ନେଇ ଯାଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨୦୧୫ରେ ଆରମ୍ଭ ହୋଇଥିଲା । ସମସ୍ତଙ୍କୁ ଘର ଯୋଗାଇ ଦେବାପାଇଁ ଭାରତ ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ଯୋଜନା ଅଧୀନରେ ସରକାର ଆର୍ଥିକ ପଛୁଆ ବର୍ଗ, ନିମ୍ନ ଓ ମଧ୍ୟମ ଆୟ ବର୍ଗର ଲୋକଙ୍କୁ ଗୃହ ନିର୍ମାଣ ପାଇଁ ଋଣ ଦିଅନ୍ତି । ସେମାନଙ୍କୁ ସୁଧ ଉପରେ ସବସିଡି ମଧ୍ୟ ସିଧାସଳଖ ଆକାଉଣ୍ଟକୁ ପଠାଯାଏ । ସିବିଆଇର ତଥ୍ୟ ଅନୁସାରେ, ଡିସେମ୍ବର ୨୦୧୮ରେ ଡିଏଚଏଫଏଲ ନିବେଶକମାନଙ୍କୁ କହିଥିଲା ଯେ ସଂସ୍ଥା ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୮୮,୬୫୧ଟି ଋଣକୁ କାର୍ଯ୍ୟକାରୀ କରିଛି ଓ ସବସିଡି ଆକାରରେ ୫୩୯.୪ କୋଟି ଟଙ୍କା ପାଇଛି । ସେହିପରି ଆଉ ୧୩୪୭. ୮ କୋଟି ଟଙ୍କା ପାଇବାକୁ ବାକି ରହିଛି । କିନ୍ତୁ ଅଡିଟିରୁ ଜଣାପଡ଼ିଥିଲା ଯେ ଡିଏଚ୍ଏଫଏଲର ବାନ୍ଦ୍ରା ଶାଖାରେ କପିଲ ଓ ଧୀରଜ ୨.୬ ଲକ୍ଷ ନକଲି ଗୃହ ଋଣ ଆକାଉଣ୍ଟ ଖୋଲିଥିଲେ । ଏହି ଆକାଉଣ୍ଟଗୁଡ଼ିକୁ ୨୦୦୭ରୁ ୨୦୧୯ ମଧ୍ୟରେ ୧୪,୦୫୬ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ଏଥିମଧ୍ୟରୁ ୧୧,୭୫୫ କୋଟି ଟଙ୍କା ସନ୍ଦିଗ୍ଧ କମ୍ପାନୀରେ ଜମା କରାଯାଇଥିଲା । ସିବିଆଇ ଗତ ବର୍ଷ ଜୁନ୍ ମାସରେ ଦୁଇ ଭାଇ ଓ ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଥିଲା । କପୁର ପରିବାର ଡିଏଚଏଫଏଲରେ ନିବେଶ କରି କିକ୍ବ୍ୟାକ୍ ପାଇଥିବା ସିବିଆଇ କହିଥିଲା ।

Leave A Reply

Your email address will not be published.