ପୁଲିସ ବିଲକୁ ବିରୋଧ

0 67

ବାଚସ୍ପତିଙ୍କ ଅଫିସ ଆଗରେ ଶୋଇପଡ଼ିଲେ ବିଧାୟିକା

ପାଟନା, ୨୪ ।୩ : ମଙ୍ଗଳବାର ବିହାର ବିଧାନସଭାରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ବିରୋଧୀ ଦଳର ନେତା ବାଚସ୍ପତିଙ୍କୁ ଘେରିବାକୁ ଯାଇ ପୁଲିସର ଲାଠି ମାଡ଼ ଖାଇଛନ୍ତି । ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ପୁଲିସର ଏଭଳି କାମକୁ ନିନ୍ଦା କରିବା ସହିତ ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି କଂଗ୍ରେସ ମୁଖପାତ୍ର ରନଦୀପ ସୁରଜେୱାଲା କହିଛନ୍ତି । ମଙ୍ଗଳବାର ବିହାର ସରକାର ବିଧାନସଭାରେ ବିହାର ସ୍ପେଶାଲ ଆର୍ମଡ ପୁଲିସ ବିଲ୍ ପାରିତ ହୋଇଛି । ଏହି ବିଲ୍ ଆଇନରେ ପରିଣତ ହେବା ପରେ ପୁଲିସକୁ ମାତ୍ରାଧିକ କ୍ଷମତା ମିଳିବ । ଆଉ କୌଣସି ଲୋକକୁ ଜେଲରେ ପୂରାଇବାର କ୍ଷମତା ପୁଲିସ ହାତରେ ରହିବ ବୋଲି ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ କହିଛନ୍ତି । ନୂଆ ଆଇନ ଅନୁସାରେ ପୁଲିସ ବିନା ୱାରେଣ୍ଟରେ କାହା ଘରେ ପଶି ରେଡ୍ କରିବା ସହିତ ସର୍ଚ୍ଚ କରିପାରିବ । ପୁଲିସ ଯାହାକୁ ସନ୍ଦେହ କରିବ ତାକୁ ଗିରଫ କରିପାରିବ । ଏମିତି ହେଲେ କୋର୍ଟ, ମାଜିଷ୍ଟ୍ରେଟ ଆଉ ରହିବ ନାହିଁ ବୋଲି ତେଜସ୍ୱୀ ଯାଦବ କହିଛନ୍ତି । ଏହାକୁ ବିରୋଧ କରି ମଙ୍ଗଳବାର ବିହାର ବିଧାନସଭା ଘେରାଉ କରିଥିଲା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) । ଏହି ସମୟରେ ଆରଜେଡି କର୍ମୀ ପୁଲିସ ଉପରକୁ ଟେକା ପଥର ଫିଙ୍ଗିଥିଲେ । ପରେ ପୁଲିସ ନିଜର ସୁରକ୍ଷା ପାଇଁ ଲାଠି ଚାର୍ଜ କରିଥିଲା । ପୁଲିସ ଏବେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ସମେତ ମୋଟ୍ ୩ ହଜାର ଆରଜେଡି କର୍ମୀଙ୍କ ଉପରେ ମାମଲା ଦାୟର କରିଛି । ଅନ୍ୟପଟେ ଘେରାଉ ବେଳେ ବିରୋଧୀ ଦଳର ମହିଳା ବିଧାୟକା ତଥା ପୂର୍ବତନ ମନ୍ତ୍ରୀ ଅନୀତା ଦେବୀ ବିଧାନସଭାରେ ଥିବା ବାଚସ୍ପତି ବିଜୟ କୁମାର ସିହ୍ନାଙ୍କୁ ଘେରି ରହିଥିଲେ ଏବଂ ତାଙ୍କୁ ବାହାରକୁ ଯିବାକୁ ଦେଇନଥିଲେ । ଏହା ଉପରେ ମହିଳା ସୁରକ୍ଷା ବାହିନୀ ବିଧାୟିକାଙ୍କୁ ବଳ ପୂର୍ବକ ହଟାଇ ଦେଇଥିଲେ । ମହିଳା ସୁରକ୍ଷା କର୍ମୀ ବାଚସ୍ପତି କାର୍ଯ୍ୟାଳୟ ବାହାରେ ମହିଳା ବିଧାୟିକାଙ୍କୁ ହଟାଇବା ପାଇଁ ବହୁ ବଳ ପ୍ରୟୋଗ କରିଥିବାର ଦେଖିବାକୁ ମିଳିଛି । ଖବର ସରବାର ସଂସ୍ଥା ଏନଆଇଏ ଏହାର ଭିଡିଓ ଜାରି କରିଛି । ଯେଉଁଥିରେ ବିଧାୟିକା ଜଣଙ୍କ କିଭଳି ବାଚସ୍ପତିଙ୍କ ଅଫିସ ବାହାରେ ଶୋଇପଡ଼ିଥିବାର ନଜିର ରହିଛି । ଏହି ସମୟରେ ଉପସ୍ଥିତ ଥିବା ଆରଜେଡି ବିଧାୟକ ସତୀଶ କୁମାରଙ୍କୁ ମଧ୍ୟ ପୁଲିସ ବଳପୂର୍ବକ ଏକ ଷ୍ଟ୍ରେଚରରେ ହସ୍ପିଟାଲକୁ ନିଆଯାଇଥିଲା । ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି ବିଧାୟକ ସତୀଶ କହିଛନ୍ତି । କଂଗ୍ରେସ ମୁଖପାତ୍ର ରନଦୀପ ସୁରଜେୱାଲା କହିଛନ୍ତି, ଲେକମାନେ ପୁଲିସର ଏହି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବାବଦରେ ସ୍ୱର ଉଠାଇବାର ଆବଶ୍ୟକ ରହିଛି । ଆରଜେଡି ଏବଂ କଂଗ୍ରେସ କର୍ମୀମାନେ ପୁଲିସ ମାଡ଼ର ଶିକାର ହୋଇଛନ୍ତି । ସେହିପରି ଆରଜେଡି ନେତା ତେଜସ୍ୱୀ ଯାଦବ ନୀତିଶ କୁମାରଙ୍କୁ ଜଣେ ସି ଗ୍ରେଡ ମୁଖ୍ୟମନ୍ତ୍ରୀ ବୋଲି କହିବା ସହିତ ଅପଶବ୍ଦ ବ୍ୟବହାର କରି ଟ୍ୱିଟ୍ କରିଛନ୍ତି ।

Leave A Reply

Your email address will not be published.