ତିନି ମାଓବାଦୀଙ୍କ ଆତ୍ମସମର୍ପଣ

0 80

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡି. ରିଷିକେଶ ଖିଲାରୀଙ୍କ ନିକଟରେ ଆଜି ଆନ୍ଧ୍ର-ଓଡ଼ିଶା ବର୍ଡ଼ର ଜୋନାଲ୍ କମିଟି ସିପିଆଇ ମାଓବାଦୀ ସଂଗଠନର ଦୁଇ ଜଣ ଏରିଆ କମିଟି ମେମ୍ବର ଓ ଜଣେ ପାର୍ଟି ମେମ୍ବର ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଛତିଶଗଡ଼ ବିଜାପୁର ଜିଲ୍ଲା ବାସାଗୁଡ଼ା ଥାନା ଅନ୍ତର୍ଗତ ଚିନ୍ତାରାମ ଗ୍ରାମର ଶମ୍ବୁ ଡୋଡି (୨୫), ବିଜାପୁର ଜିଲ୍ଲା ଗାଙ୍ଗୁଲୁର ଥାନା କାର୍ନାଲ ଗ୍ରାମର ରାମ ଆପକା (୨୫) ଓ ମାଲକାନଗିରି ଜିଲ୍ଲା ଯୋଡ଼ାମ୍ବ ଥାନା ଅନ୍ତର୍ଗତ ବେଜିଂ ଗ୍ରାମର ରଘୁ ଖରା (୨୧) ।

ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀ ଖିଲାରୀ ସୂଚନା ଦେଇ କହିଛନ୍ତି ଯେ, ଆତ୍ମସମର୍ପଣ କରିଥିବା ଶମ୍ବୁ ଓ ରାମ ନାମରେ ଓଡ଼ିଶା ସରକାରଙ୍କ ପକ୍ଷରୁ ୪ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଉଭୟ ୨୦୦୯ ମସିହାରେ ମାଓବାଦୀ ସଂଗଠନରେ ସାମିଲ୍ ହୋଇ ବର୍ତମାନ ଆନ୍ଧ୍ର-ଓଡ଼ିଶା ବର୍ଡ଼ର ଜୋନାଲ୍ କମିଟିରେ ଏରିଆ କମିଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲେ । ସେହିପରି ରଘୁ ନାମରେ ପୂର୍ବରୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ସେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳ ଗୁମ୍ମା ଏରିଆ କମିଟିର ପାର୍ଟି ମେମ୍ବର ଥିଲା । ମାଓ ସଂଗଠନ କ୍ରମଶଃ ନିଜ ଲକ୍ଷ୍ୟ ଓ ଆଦର୍ଶରୁ ବିଚ୍ୟୁତ ହେଉଥିବା ଏବଂ ଆନ୍ଧ୍ର କ୍ୟାଡ଼ର ମାଓବାଦୀ ମାନେ ସ୍ଥାନୀୟ ମାଓବାଦୀଙ୍କୁ ଅଣଦେଖା ଓ ନିର୍ଯାତନା ଦେଉଥିବାରୁ ସେମାନେ ବାଧ୍ୟ ହୋଇ ମାଓ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତର ସାମିଲ୍ ହୋଇ ସାଧାରଣ ଜୀବନ ବିତାଇବା ପାଇଁ ଆତ୍ମ ସମର୍ପଣ କରିଥିବା ସୂଚନା ଦେଇଛନ୍ତି । ଆତ୍ମ ସମର୍ପଣ କରିଥିବା ୩ ମାଓବାଦୀଙ୍କୁ ଓଡ଼ିଶା ସରକାରଙ୍କ ମାଓବାଦୀ ଥଇଥାନ ପ୍ୟାକେଜ୍ ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ଏସପି ଶ୍ରୀ ଖିଲାରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.