ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ଦ୍ୱାରା କୃଷି ଆଇନ ସମ୍ପର୍କରେ ରିପୋର୍ଟ ଦାଖଲ

0 58

ନୂଆଦିଲ୍ଲୀ, ୩୧ ।୩: କୃଷି ଆଇନର ତର୍ଜମା ପାଇଁ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଗଠିତ କମିଟି ଆଜି ନିଜର ରିପୋର୍ଟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଦାଖଲ କରିଛି । ନିଜର ଏହି ରିପୋର୍ଟ ପ୍ରସ୍ତୁତ କରିବା ପୂର୍ବରୁ ଏହି କମିଟି ପ୍ରାୟ ୮୫ଟି କୃଷକ ସଂଗଠନ ସହ ଆଲୋଚନା କରିଥିଲା । ଏହି ଆଲୋଚନା ପରେ ବିବାଦର ସମାଧାନ ବାହାର କରିବାକୁ ମଧ୍ୟ କମିଟି ଉଦ୍ୟମ କରିଥିଲା । ଏବେ ହୋଲି ଛୁଟି ପାଇଁ ବନ୍ଦ ଥିବା ସୁପ୍ରିମକୋର୍ଟ ଆସନ୍ତା ଏପ୍ରିଲ ୫ରେ ଖୋଲିବା ପରେ କୃଷି ଆଇନ ଉପରେ ଶୁଣାଣି ଆରମ୍ଭ କରିବ । ସେ ପର୍ଯ୍ୟନ୍ତ ରିପୋର୍ଟରେ କଣ ରହିଛି ତାହା ଗୋପନୀୟ ରହିବ । କୃଷକ ଆନ୍ଦୋଳନ ତୀବ୍ର ହେବା ପରେ ଗତ ଜାନୁଆରି ୧୨ରେ ସୁପ୍ରିମକୋର୍ଟ ନୂଆ କୃଷି ଆଇନକୁ ୨ ମାସ ପାଇଁ ସ୍ଥଗିତ ରଖିଥିଲେ । ଏହା ସହିତ ଏହି ପ୍ରସଙ୍ଗ ସହ ଜଡ଼ିତ ସବୁପକ୍ଷଙ୍କ ସହ ଆଲୋଚନା ପାଇଁ ଏକ କମିଟି ଗଠନ କରିଥିଲେ । ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଗଠିତ କମିଟିରେ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି, ଅନୀଲ ଘନୱଟ (ସଭାପତି, ଶେତକାରୀ ସଂଗଠନ) ଏବଂ ଡ. ପ୍ରମୋଦ କୁମାର ଯୋଶୀ (ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ସଂସ୍ଥାନ) ରହିଛନ୍ତି । ପ୍ରଥମରୁ ଏହି କମିଟିରେ ଜଣେ ୪ର୍ଥ ସଦସ୍ୟ ଥିଲେ । ସେ ହେଉଛନ୍ତି ଭାରତୀୟ କିଶାନ୍ ୟୁନିଅନର ସଭାପତି ଭୂପିନ୍ଦର ସିଂହ ମାନ୍ । ତେବେ ସେ କମିଟି ଗଠନର କିଛି ଦିନ ପରେ ଏଥିରୁ ବାହାରି ଯାଇଥିଲେ ।

Leave A Reply

Your email address will not be published.