ଦେଶରେ ମହାମାରୀର ଲମ୍ବା ଲମ୍ଫ : ଦିନକରେ ୭୨ ହଜାର ଟପିଲା ସଂକ୍ରମଣ

70

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ଼ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୁଇ ଦିନ ଧରି ୬୦ ହଜାର ତଳେ ସଂକ୍ରମଣ ରହୁଥିବା ବେଳେ, ଗତକାଲି ଏହା ୭୦ ହଜାର ପାର୍ କରିଛି । ଗତ ୨୪ ଘଣ୍ଟାରେ ଦେଶରେ ୭୨ହଜାର ୩୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କାଲି ଗୋଟିଏ ଦିନେରେ ୪୫୯ ଜଣଙ୍କ ଜୀବନ ନେଇଛି ଏହି କିଲର୍ ଭାଇରସ୍ । ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ୧କୋଟି ୨୨ଲକ୍ଷ ୨୧ ହଜାର ୬୬୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୧ କୋଟି ୧୪ଲକ୍ଷ ୭୪ହଜାର ୬୮୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ବର୍ତ୍ତମାନ ୫ ଲକ୍ଷ ୮୪ହଜାର ୫୫ ଜଣ ଆକ୍ରାନ୍ତଙ୍କର ଚିକିତ୍ସା ଚାଲିଛି । ସେହିପରି ଦେଶରେ ଏପର୍ଯ୍ୟନ୍ତ କରୋନା ଭାଇରସ ନେଲାଣି ୧ଲକ୍ଷ ୬୨ହଜାର ୯୨୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ କରୋନାକୁ ନେଇ ଚିନ୍ତା ବଢ଼ାଇଛି ମହାରାଷ୍ଟ୍ର । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୩୯ହଜାର ୫୪୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୨୭ ଜଣଙ୍କର ଜୀବନ ନେଇଛି ଏହି ଭାଇରସ୍ ।

ଏପ୍ରିଲରେ ସବୁଦିନ ଟିକାକରଣ :

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ସଂକ୍ରମଣକୁ ରୋକିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷର ଟିକାକରଣ ବ୍ୟବସ୍ଥାକୁ ବ୍ୟାପକ କରାଯାଉଛି । ଏହି କ୍ରମରେ ଦେଶରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନଙ୍କ ଟିକାକରଣ ଆରମ୍ଭ ହୋଇଯାଇଛି । ତେବେ ବଡ କଥା ହେଉଛି ଏପ୍ରିଲ ମାସରେ ଅନେକଗୁଡିଏ ଛୁଟି ଦିନ ରହୁଥିବାରୁ ଟିକାକରଣରେ ବ୍ୟାଘାତ ସୃଷ୍ଟି ହେବା ନେଇ ଆଶଙ୍କା ଦେଖାଦେଇଥିଲା ।

କିନ୍ତୁ ଏହାକୁ ନେଇ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ଜାରି କରିଥିବା ତଥ୍ୟ ଅନୁଯାୟୀ ଏପ୍ରିଲ ମାସରେ ସରକାରୀ ଛୁଟିଥିଲେ ମଧ୍ୟ ପ୍ରତିଦିନ ଟିକାକରଣ ଚାଲିବ । ଦେଶରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ ପ୍ରତିଦିନ ଭ୍ୟାକସିନ ଦିଆଯିବ । ଅପରାହ୍ନ ୩ଟା ପରେ ପଞ୍ଜିକରଣ କରିନଥିବା ବ୍ୟକ୍ତିମାନଙ୍କୁ ଟିକା ଦିଆଯିବ । ଦେଶରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କ ସଂଖ୍ୟା ହେଉଛି ୩୪ କୋଟି ।

ବର୍ତ୍ତମାନଯାଏଁ ଦେଶରେ କରୋନା ଯୋଦ୍ଧା, ଫ୍ରଣ୍ଟ୍ଲାଇନ୍ ୱାର୍କର, ବୟସ୍କ ଏବଂ ବିଭିନ୍ନ ରୋଗରେ ପୀଡିତ ୪୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିମାନଙ୍କର ଟୀକାକରଣ ଜାରି ରହିଥିଲାବ୍ୟକ୍ତିମାନଙ୍କର ଟିକାକରଣ ଜାରି ରହିଥିଲା । କିନ୍ତୁ ଦେଶରେ କରୋନା ସଂକ୍ରମଣ ବ୍ୟାପକ ଭାବେ ବୃଦ୍ଧି ପାଉଥିବାରୁ ଟିକାକରଣ ମଧ୍ୟ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ସୁଦ୍ଧା ୬ କୋଟି ୫୧ ଲକ୍ଷ ୧୭ ହଜାର ୮୯୬ ଡୋଜ ଦିଆସରିଛି ।

ରାଜ୍ୟରେ ୩୯୪ ପଜିଟିଭ୍ :

ଭୁବନେଶ୍ୱର: ରାଜ୍ୟରେ ଅଥୟ ହେଲାଣି କରୋନା । ରାଜ୍ୟରେ ଆଜି ପୁଣି ୩୯୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୪ଘଣ୍ଟାରେ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ ୪୩, ନୂଆପଡ଼ାରୁ ୪୦ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡ଼ ୩୪ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩୧ ପଜିଟିଭ, କଟକ ୨୭, ଅନୁଗୁଳ ୨୪, ମୟୂରଭଞ୍ଜରୁ ୧୯ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍ପୁଲ୍ ୧୫, ସମ୍ବଲପୁର ୧୪,ପୁରୀରୁ ୧୨, ବଲାଙ୍ଗୀର ୧୦, ଗଂଜାମ ଓ ଯାଜପୁରରୁ ୭ ଲେଖାଏଁ,ଝାରସୁଗୁଡ଼ା ୬, ବାଲେଶ୍ୱର ୫, ଭଦ୍ରକ ୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଆଜି ଢେଙ୍କାନାଳ, କୋରାପୁଟ, ସୋନପୁରରୁ ୪ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝର, ନବରଙ୍ଗପୁର, ରାୟଗଡ଼ାରୁ ୩ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି ଜଗତ୍ସିଂହପୁର, କେନ୍ଦ୍ରାପଡ଼ାରୁ ୨ଜଣ ଲେଖାଏଁ ଏବଂ ନୟାଗଡ଼ରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ରାଜଧାନୀ ଭୁବନେଶ୍ୱରରୁ ଆଜି ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ କ୍ୱାରେଣ୍ଟାଇନରୁ ୮ଜଣ ଚିହ୍ନଟ ହୋଇଥିବା ବେଳେ ୪୪ଜଣ ସ୍ଥାନୀୟ ସଂକ୍ରମିତ ।

ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ । ସୂଚନାଯୋଗ୍ୟ, ଭୁବନେଶ୍ୱରରେ ମୋଟ ଆକ୍ଟିଭ କେସ୍ ରହିଛି ୩୧୦ । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୫୦୨ରେ ପହଞ୍ଚିଥିବା ବେଳେ ସୁସ୍ଥ ହେଲେଣି ୩୧,୯୨୧ ଜଣ । ସେହିଭଳି ୨୫୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁଘଟିଛି ଏବଂ ୩୧୦ ଜଣ କରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Comments are closed.