କଠୋର ହେଲା ବିଏମ୍ସି,୬ରୁ ନୂଆ ନିୟମ : ବାହାଘର ପାଇଁ ୧୦୦ ଓ ଅନ୍ତ୍ୟେଷ୍ଟିକ୍ରିୟାରେ ୫୦

0 68

ଭୁବନେଶ୍ୱର: ପୁଣି ଭୁବନେଶ୍ୱରରେ ବଢ଼ୁଛି ସଂକ୍ରମଣ । ଗତ ୫ଦିନରେ ରାଜଧାନୀରେ ୨୦୦ରୁ ଊଦ୍ଧ୍ୱର୍ ପଜିଟିଭ୍ ଚିହ୍ନଟ ହେଲେଣି । ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି କଟକଣାକୁ କଡ଼ାକଡ଼ି କରିଛି ବିଏମ୍ସି । ଜନସମାଗମ ଓ ଏକତ୍ରୀକରଣ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ବିବାହ, ଅନ୍ତ୍ୟେଷ୍ଟିକ୍ରିୟା ଏବଂ ଅନ୍ୟ ଉତ୍ସବରେ ଏକତ୍ରୀକରଣକୁ ସୀମିତ କରାଯାଇଛି । ଏନେଇ ବିଏମ୍ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ବିବାହ ଉତ୍ସବରେ ସର୍ବାଧିକ ୧୦୦ ଲୋକଙ୍କୁ ସାମିଲ୍ ନେଇ ଅନୁମତି ଥିବାବେଳେ ଅନ୍ତ୍ୟେଷ୍ଟିକ୍ରିୟାରେ ସର୍ବାଧିକ ୫୦ ଲୋକ ଯୋଗ ଦେଇପାରିବେ । ସବୁଠି କୋଭିଡ୍ କଟକଣାକୁ ପାଳନ କରାଯିବ । ଏଥିସହ କନ୍ଫରେନ୍ସ, କନ୍କ୍ଲେଭ୍ ଆଦି କାର୍ଯ୍ୟକ୍ରମ ବିଏମ୍ସିର ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ହୋଇପାରିବ ନାହିଁ । କୌଣସି ଅନୁଷ୍ଠାନ ଶତବାର୍ଷିକୀ,ଗୋଲଡେନ୍ ଜୁବିଲି, ସିଲଭର ଜୁବୁଲି କାର୍ଯ୍ୟକ୍ରମ ପାଳନ ହୋଇପାରିବ ନାହିଁ ।

ଏପରିକି ଶିକ୍ଷାନିଷ୍ଠାନ ଗୁଡ଼ିକରେ ବାର୍ଷିକ ଉତ୍ସବ ପାଳନ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି । ଅନ୍ୟ କୌଣସି ପ୍ରକାରର ଜନସମାଗମ କାର୍ଯ୍ୟକ୍ରମ ପାଇଁ ବିଏମ୍ସି ଠାରୁ ଅନୁମତି ନେବାକୁ ପଡ଼ିବ । ସମସ୍ତ ଦିଗ ଓ କୋଭିଡ୍
ସଂକ୍ରମଣକୁ ଦୃଷ୍ଟିରେ ରଖି ସର୍ବାଧିକ ୧୦୦ ଲୋକଙ୍କୁ ସାମିଲ୍ ନେଇ ବିଏମ୍ସି ଅନୁମତି ଦେଇପାରିବ । ଜାରି କରାଯାଇଥିବା କଟକଣା ଆସନ୍ତା ୬ ତାରିଖରୁ ଲାଗୁ ହେବ । ଏପ୍ରିଲ୍ ୬ କିମ୍ବା ତା ପରବର୍ତ୍ତୀ ସମୟ ପାଇଁ ବିଏମ୍ସି ପୂର୍ବରୁ ଦେଇଥିବା ସମସ୍ତ ଅନୁମତି ନୂତନ ନିର୍ଦ୍ଦେଶାବଳୀ ଅନୁସାରେ ଲାଗୁ ହେବ ।

Leave A Reply

Your email address will not be published.