କରୋନା ଭାଇରସ୍ ର ହାଇଜମ୍ପ୍ : ଓଡ଼ିଶା ସୀମାରେ କଟକଣା ବଢ଼ିଲା

0 65

ଭୁବନେଶ୍ୱର : ରାଜ୍ୟରେ କରୋନା ଏବେ ଉପରମୁହାଁ । ୨୪ ଘଣ୍ଟା ଭିତରେ ରାଜ୍ୟରୁ ୪୬୧ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଏହାର ଦ୍ରୁତ ସଂକ୍ରମଣ ଲକ୍ଷ୍ୟ କରାଯାଉଛି । ଚାରିଦିନ ମଧ୍ୟରେ ସଂକ୍ରମଣ ପରିମାଣ ଦୁଇଗୁଣରୁ ଅଧିକ ହୋଇଗଲାଣି । ମାର୍ଚ୍ଚ ୨୯ ତାରିଖରେ ରାଜ୍ୟରୁ ୨୦୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ରାଜ୍ୟରୁ ନୂତନ ଭାବେ ଚିହ୍ନଟ ହୋଇଥିବା ୪୬୧ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ ଜଣ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୮୯ଜଣ ସ୍ଥାନୀୟ ସଂକ୍ରମିତ ।

ରାଜ୍ୟର ୨୪ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ସଂକ୍ରମିତଙ୍କ ମଧ୍ୟରେ ନୂଆପଡା ଜିଲ୍ଲାରୁ ସର୍ବାଧିକ ୮୬ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୬୯ଜଣ ଅଛନ୍ତି । ସେହିଭଳି ସୁନ୍ଦରଗଡରୁ ୬୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡିରୁ ୩୬ଜଣ,ବରଗଡରୁ ୩୨,କଟକରୁ ୨୨,ଅନୁଗୁଳରୁ ୨୭,ସମ୍ବଲପୁର ଓ ବାଲେଶ୍ୱରରୁ ୧୬,ଝାରସୁଗୁଡାରୁ ୧୩ ଜଣ ରହିଛନ୍ତି । ଏକକ ସଂକ୍ରମିତ ତାଲିକାରେ ଥିବା ଜିଲ୍ଲାଗୁଡିକ ମଧ୍ୟରେ ପୁରୀ ଓ ନବରଙ୍ଗପୁରରୁ ୯ଜଣ ଲେଖାଏଁ,ଯାଜପୁରରୁ ୮,ରାୟଗଡାରୁ ୭,ଭଦ୍ରକ ଓ ଗଞ୍ଜାମରୁ ୫ ଲେଖାଏଁ,ସୋନପୁର, ମୟୁରଭଞ୍ଜ, କୋରାପୁଟ,କନ୍ଧମାଳରୁ
୪ଜଣ ଲେଖାଏଁ, ବଲାଙ୍ଗିର, କେନ୍ଦ୍ରାପଡା,କେନ୍ଦୁଝରରୁ ୨ଜଣ କରି ଥିବାବେଳେ ନୟାଗଡ ଜିଲ୍ଲାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗୋଟିଏ ଦିନରେ ୪୬୧ସଂକ୍ରମିତ ଚିହ୍ନଟ ପରେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୪୧,୭୭୨ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରୁ ୩,୩୭,୨୧୨ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୨୫୮୬ ସକ୍ରିୟ କରୋନା ରୋଗୀ ଥିବାବେଳେ ଆଜି ସୁଦ୍ଧା କରୋନା ପରୀକ୍ଷା ସଂଖ୍ୟା ୯୧ଲକ୍ଷ ଅତିକ୍ରମ କରିଯାଇଛି ।

ସେହିପରି ଛତିଶଗଡ଼ରେ ମହାମାରୀ କରୋନା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଯାହାକୁ ଦେଖି ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ଛତିଶଗଡ଼ ରାଜ୍ୟର ପ୍ରବେଶ ପଥରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ସମସ୍ତଙ୍କ ତଥ୍ୟ ରଖୁଛି ଜିଲ୍ଲା ପ୍ରଶାସନ । ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସେପଟେ ମାଲକାନଗିରିରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଦେଇ ଯାଇଥିବା ଜାତୀୟ ରାଜପଥ ୧୩୦(ସି) ସନ୍ଧିକୁଲିହାରୀ ବୋର୍ଡରରେ ଆଜିଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚେକିଂ କଡାକଡି କରାଯାଇଛି । ଜିଲ୍ଲାରେ ଗତ କିଛିଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଯାଞ୍ଚକୁ ଜୋରଦାର କରାଯାଇଛି ।

ଏହାଛଡ଼ା ପଡ଼ୋଶୀ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି । ବିଶେଷ କରି ଛତିଶଗଡ଼ରୁ ଆସୁଥିବା ଲୋକଙ୍କ ପରିଚୟ ଯଥା ଯାତ୍ରାର ସଂପୂର୍ଣ୍ଣ ବିବରଣୀ ଓ ଫୋନ୍ ନମ୍ବର ରଖାଯାଉଛି । ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସେପଟେ ସଂକ୍ରମଣ ଏଡ଼ାଇବାକୁ କଡ଼ା କଟକଣା ଲଗାଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଦୋକାନରେ ସାମାଜିକ ଦୂରତା ପାଇଁ ଦଉଡ଼ି ବାନ୍ଧିବେ ଦୋକାନୀ । ଦୋକାନକୁ ଗ୍ରାହକ ମାସ୍କ ନପିନ୍ଧି ଆସିଲେ ଜରିମାନା ଦେବେ ଦୋକାନୀ । ହୋଟେଲ ଓ ରେଷ୍ଟୁରାଣ୍ଟରେ ଅଧିକ ଭିଡ଼ ହେଲେ ସିଲ୍ କରାଯିବ ।

ମାସ୍କ ପିନ୍ଧିନଥିବା ଲୋକଙ୍କୁ ୫ ଶହରୁ ୧ ହଜାର ଯାଏଁ ଜରିମାନା ହେବ । ନାଚ, ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା, ଯାନିଯାତ୍ରା ସଂପୂର୍ଣ୍ଣ ବାରଣ କରାଯାଇଛି । ଅନ୍ୟପକ୍ଷରେ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଆସନ୍ତା ୩ ସପ୍ତାହ ପାଇଁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ ରହିବ । କରୋନା ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି । ପନିପରିବା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ବିକ୍ରି ହେବାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଦେଶରେ ୮୧ ହଜାର ପାର୍ :

ନୂଆଦିଲ୍ଲୀ: ବେକାବୁ ହେଲା କରୋନା । ଦିନକରେ ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ ସଂକ୍ରମିତ । ଗତ ୨୪ ଘଣ୍ଟାରେ ଦେଶରେ ୮୧ ହଜାର ୪୬୬ଟି ନୂଆ ମାମଲା ସାମ୍ନାକୁ ଆସିଛି । ଯାହା ଚଳିତ ବର୍ଷର ସବୁଠାରୁ ଅଧିକ ବୋଲି ରେକର୍ଡ ହୋଇଛି । ସେହିପରି ପୂର୍ବଦିନ ତୁଳନାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି । ଦିନକରେ ୪୬୯ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୦୩ ହଜାର ୧୩୧ରେ ପହଞ୍ଚିଛି । ସେହିପରି ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୩ ହଜାର ୩୯୬ରେ ପହଞ୍ଚିଛି ।

ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୧୫ ଲକ୍ଷ ୨୫ ହଜାର ୦୩୯କୁ ବୃଦ୍ଧି ପାଇଛି । ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୬ ଲକ୍ଷ ୧୪ହଜାର ୬୯୬ । ସେହିପରି କରୋନାକୁ ମାତ୍ ଦେବା ପାଇଁ ଦେଶରେ ଟିକାକରଣ ଜାରି ରହିଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୬୮୭୮୯୧୩୮ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ହୋଲି ପରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଦୈନିକ ସଂକ୍ରମଣ ସୀମା ଟପିଛି । ମହାରାଷ୍ଟ୍ରରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଠି ଦିନକରେ ୪୩ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଥିବା ରେକର୍ଡ ହୋଇଛି । ସେହିପରି ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ସ୍ଥିତି ବିଗିଡିବାରେ ଲାଗିଛି । ଏଠି ଦୈନିକ ସଂକ୍ରମାଣ ୨ ହଜାର ଟପିଛି ।

Leave A Reply

Your email address will not be published.