ଉପରମୁହାଁ କରୋନା, ରାଜସ୍ଥାନ-ଗୁଜରାଟର ସମସ୍ତ ସୀମା ସିଲ୍

0 67

ଅହମ୍ମଦାବାଦ, ୨ ।୪: ଦେଶରେ ଉପରମୁହାଁ ରହିଛି କରୋନା ଗ୍ରାଫ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସବୁଠୁ ଅଧିକ ସଂକ୍ରମିତ ମହାରାଷ୍ଟ୍ରରୁ ଚିହ୍ନଟ ହେଉଛନ୍ତି । ସେହିପରି ଗୁଜରାଟରେ ମଧ୍ୟ ସଂକ୍ରମିତ ମାମଲା ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି ଦେଶରେ ପୁଣିଥରେ ପୂର୍ବଭଳି ସ୍ଥିତି ସୃଷ୍ଟି ହେବାରେ ଲାଗିଛି । କରୋନାକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜସ୍ଥାନ-ଗୁଜରାଟର ସମସ୍ତ ସୀମା ସିଲ୍ କରାଯାଇଛି । ଗୁଜରାଟ ପୁଲିସ ସୀମାରେ ପ୍ରବେଶ ଉପରେ କଡାକଡି ପଦକ୍ଷେପ ଗ୍ରହଣ କରିଛନ୍ତି । ପୁଲିସ ରାଜ୍ୟ ସୀମାରେ ନାକାବନ୍ଦୀ କରୁଛି । ରାଜସ୍ଥାନ ଡୁଙ୍ଗରପୁର ଜିଲ୍ଲାରେ ରତନପୁର, ମାଣ୍ଡଲି, ଉଡାବା ସୀମାକୁ ପୁଲିସ ସିଲ୍ କରିଦେଇଛି । ସୀମା ଦେଇ ଯାଉଥିବା ଗାଡି ଓ ଯାତ୍ରା କରୁଥିବା ଯାତ୍ରୀଙ୍କ ଆରଟି-ପିସିଆର ରିପୋର୍ଟ ଅଥବା ଭ୍ୟାକସିନ ସାର୍ଟିଫିକେଟ ଯାଞ୍ଚ କରି ଗୁଜରାଟ ସୀମାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି । ଗୁଜରାଟ ପୁଲିସ ଯାତ୍ରୀଙ୍କ ୭୨ ଘଣ୍ଟାର ଆରଟି-ପିସିଆର ରିପୋର୍ଟ ଯାଞ୍ଚ କରୁଛି । ରାଜସ୍ଥାନରୁ ଯାଉଥିବା ମାଲବାହୀ ଗାଡି ବା ଟ୍ରାନ୍ସପୋର୍ଟ ସମ୍ବନ୍ଧୀୟ ଗାଡି ମଧ୍ୟ ବିନା ରିପୋର୍ଟରେ ପ୍ରବେଶ କରିବାକୁ ଦିଆଯାଉନାହିଁ । ରିପୋର୍ଟ ଦେଖାଇ ପାରୁନଥିବା ଯାତ୍ରୀଙ୍କୁ ଫେରାଇ ଦିଆଯାଉଛି । ଫଳରେ ରାଜସ୍ଥାନରୁ ନିଜ ଘରକୁ ଫେରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ରାଜସ୍ଥାନରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ସେହିପରି କରୋନା ଜନିତ ମୃତ୍ୟୁ ମାମଲା ମଧ୍ୟ ଲଗାତାର ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସେଠାକାର ରାଜ୍ୟ ଏଭଳି ସତର୍କତା ଅବଲମ୍ବନ କରିଛନ୍ତି ।

Leave A Reply

Your email address will not be published.