ପୁଣି ଘରମୁହାଁ ହେଲେଣି ପ୍ରବାସୀ ଶ୍ରମିକ

0 70

ମୁମ୍ବାଇ, ୫ ।୪: ମହାମାରୀ କରୋନାର ଦ୍ୱିତୀୟ ଲହର ଏବେ ସାରା ଦେଶକୁ ପ୍ରଭାବିତ କରିବାରେ ଲାଗିଛି । କରୋନା ଭାରତରେ ପ୍ରବେଶ କରିବା ଦିନଠାରୁ କେବେ ହେଲେ ଦୈନିକ ସଂକ୍ରମଣ ୧ ଲକ୍ଷ ଟପି ନଥିଲା । ହେଲେ ଆଜି କରୋନା ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ଦେଇଛି । ଦୈନିକ ସଂକ୍ରମଣ ଏକାଥରେ ଲକ୍ଷେ ଟିପିଛି । କରୋନା ସଂକ୍ରମଣ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର । ଏଠାରେ ଦୈନିକ ସଂକ୍ରମଣ ପ୍ରାୟ ୬୦ ହଜାର ରହୁଥିବାରୁ ଲୋକଙ୍କ ଚିନ୍ତା ବଢ଼ିଛି । ସଂକ୍ରମଣକୁ ରୋକିବା ପାଇଁ ମହାରାଷ୍ଟ୍ର ସରକାର ସପ୍ତାହାନ୍ତ ଲକଡାଉନ ଠାରୁ ଆରମ୍ଭ କରି ଅନେକ କଟକଣା ଲଗାଇଛନ୍ତି । ଆଗକୁ ପୂରା ରାଜ୍ୟରେ ଲକ୍ଡାଉନ ଲାଗୁ ହେବାର ଆଶଙ୍କା ଥିବାରୁ ପ୍ରବାସୀ ଶ୍ରମିକମାନେ ଚିନ୍ତାରେ ପଡ଼ିଛନ୍ତି । ପୂର୍ବବର୍ଷ ଯେତେବେଳେ ପୂରା ଦେଶରେ ଲକଡାଉନ ଲାଗୁ ହୋଇଥିଲା ସେତେବେଳେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ସାରା ବିଶ୍ୱ ଦେଖିଥିଲା । ପ୍ରବାସୀ ଶ୍ରମିକମାନେ ଶହଶହ କିମି ଚାଲିଚାଲି ନିଜ ଗାଁକୁ ଫେରିବାର ଘଟଣା ସାରା ଦେଶକୁ ଆନ୍ଦୋଳିତ କରିଥିଲା । ଏବେ ପୁଣି ଥରେ ଲକଡାଉନ ଲାଗୁ ହେବା ଆଶଙ୍କାରେ ମହାରାଷ୍ଟ୍ରରେ ଥିବା ପ୍ରବାସୀ ଶ୍ରମିକମାନେ ନିଜ ନିଜ ଗାଁକୁ ଫେରିବା ଆରମ୍ଭ କରିଛନ୍ତି । ବିଶେଷକରି ରେଷ୍ଟୁରାଣ୍ଟ, ଶିଳ୍ପ ୟୁନିଟ ଓ ନିର୍ମାଣ କାମରେ ନିୟୋଜିତ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି । ନାସିକ୍ରେ ରହୁଥିବା ପ୍ରବାସୀ ଶ୍ରମିକମାନେ ଆଜି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ବେଙ୍ଗଲକୁ ଫେରୁଥିବା ଦେଖିବାକୁ ମିଳିଛି । ନାସିକର ଗୋଟିଏ ରେଷ୍ଟୁରାଣ୍ଟରେ ରୋଷେୟା ଭାବେ କାମ କରୁଥିବା ରୋଶନ କୁମାର ସିଂହଙ୍କ ଘର ହେଉଛି ଉତ୍ତରପ୍ରଦେଶର କାନପୁର । ସେ ଆଜି ନିଜ ପରିବାର ସହ ନିଜ ଗାଁକୁ ଫେରିଛନ୍ତି । ସେ କହିଛନ୍ତି ମୋ ଭାଇ ଏଠାରେ କାମ କରୁଛି । କିନ୍ତୁ ମୁଁ ତା’ର ଓ ମୋ ପରିବାରର ସଦସ୍ୟଙ୍କୁ ନେଇ ଆମ ଗାଁକୁ ଫେରି ଯାଉଛି । ଯଦି ଏଠାରେ ପୁଣି ଲକଡାଉନ ହେବ, ତା’ହେଲେ ଆମର ଚଳିବା କଷ୍ଟକର ହୋଇଯିବ । ଲକଡାଉନ ହେଲେ ଗାଁକୁ ଫେରିବା ଅସମ୍ଭବ ହୋଇଯିବ । ଗତଥର ଲକଡାଉନ ବେଳେ ଆମେ ଅନେକ ଯନ୍ତ୍ରଣା ଭୋଗିଥିଲୁ ବୋଲି ସେ କହିଛନ୍ତି । ନିର୍ମାଣ ଶ୍ରମିକ ଭାବେ କାମ କରୁଥିବା ଅନୁରାଗ ସିଂହ ମଧ୍ୟ ଲକଡାଉନ ଭୟରେ ନିଜ ପରିବାର ଲୋକଙ୍କୁ ଧରି ଗାଁକୁ ଫେରିବା ଆରମ୍ଭ କରିଛନ୍ତି । ସେ କହିଛନ୍ତି, ଆଜି ମୁଁ ମୋ ପରିବାରକୁ ଧରି ନିଜ ରାଜ୍ୟ ଉତ୍ତରପ୍ରଦେଶକୁ ଫେରୁଛି । ସେଠାରେ ସ୍ଥିତି ଭଲ ରହିଛି । ଆମେ ସେଠାରେ କଷ୍ଟମଷ୍ଟେ ଚଳିଯିବୁ । ସେଠାରେ ଆମର ଗୋଟିଏ ଫାର୍ମ ଅଛି । ଆମକୁ ରହିବା ଓ ଖାଇବାକୁ ଟଙ୍କା ଦେବାକୁ ପଡ଼ିବ ନାହିଁ । ଛୋଟଛୋଟ ବ୍ୟବସାୟ କରୁଥିବା ସଂସ୍ଥାଗୁଡ଼ିକ ଲକଡାଉନ ବେଳେ ନିଜର କର୍ମଚାରୀଙ୍କୁ ସହାୟତା କରିପାରିବେ ନାହିଁ ବୋଲି ପ୍ରବାସୀ ଶ୍ରମିକମାନେ ଭଲ ଭାବେ ଜାଣିଛନ୍ତି । ତେଣୁ ଲକଡାଉନ ପୂର୍ବରୁ ସେମାନେ ନିଜ ନିଜ ରାସ୍ତା ବାଛିବା ଆରମ୍ଭ କରିଛନ୍ତି । ବେଙ୍ଗଲର ପ୍ରବାସୀ ଶ୍ରମିକ ଅମିତ ଦାସ କହିଛନ୍ତି, ଗତଥର ଲକଡାଉନ ବେଳେ ମାଲିକଙ୍କ ପକ୍ଷରୁ ଖାଦ୍ୟ ଓ ରହିବାର ବ୍ୟବସ୍ଥା କରାଯାଇଥିଲା । ଟ୍ରେନ ଚଳାଚଳ କରିବା ଯାଏ ସେ ଆମକୁ ସବୁ ପ୍ରକାରର ସହାୟତା କରିଥିଲେ । ଲକଡାଉନ କଟକଣା ହଟିବା ପରେ ମୁଁ ତାଙ୍କ ପାଖକୁ କାମ କରିବାକୁ ଆସିଥିଲି । ଏବେ ସେ ଆଗୁଆ ଆମକୁ କାମ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଛନ୍ତି । ଆମେ ମଧ୍ୟ ତାଙ୍କ ସମସ୍ୟା ବୁଝି ପାରୁଛୁ । ତେଣୁ ମୁଁ ମୋ ପରିବାର ଧରି ଘରକୁ ଫେରିବାକୁ ଚାହୁଁଛି ବୋଲି ସେ କହିଛନ୍ତି । କେବଳ ଏହି ନାଶିକ ନୁହେଁ ମହାରାଷ୍ଟ୍ରର ବିଭିନ୍ନ ପ୍ରାନ୍ତରରେ କାମ କରୁଥିବା ପ୍ରବାସୀମାନେ ଲକଡାଉନ ଭୟରେ ନିଜ ନିଜ ଗାଁକୁ ଫେରିବାରେ ଲାଗିଛନ୍ତି ।

Leave A Reply

Your email address will not be published.