ରାଫେଲ ଡିଲରେ ହୋଇଛି ୮.୫ କୋଟିର ଲାଞ୍ଚ କାରବାର!

0 69

ନୂଆଦିଲ୍ଲୀ, ୫ ।୪: ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରାଫେଲ ଯୁଦ୍ଧ ବିମାନ କାରବାରରେ ପୁଣି ଥରେ ଦୁର୍ନୀତିର ଗନ୍ଧ ସାମ୍ନାକୁ ଆସିଛି । ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଡିଲ୍ ପାଇଁ ଫ୍ରାନ୍ସର ରାଫେଲ ଯୁଦ୍ଧ ବିମାନ ନିର୍ମାତା କମ୍ପାନୀ ଡାସଲ୍ଟକୁ ଭାରତର ଜଣେ ମଧ୍ୟସ୍ଥଙ୍କୁ ୮ କୋଟି ୫୦ ଲକ୍ଷ ଟଙ୍କାର ଲାଞ୍ଚ ଦେବାକୁ ପଡ଼ିଥିଲା । ଫ୍ରାନ୍ସର ଏକ ଗଣମାଧ୍ୟମ ସଂସ୍ଥା ଏହି ଦାବି କରିଛି । ଏ ନେଇ ଉକ୍ତ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ରାଫେଲ ଡିଲ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫ୍ରାନ୍ସର ଏକ ପ୍ରକାଶନୀ ସଂସ୍ଥା “ମିଡିଆପାର୍ଟ’ ଏକ ରିପୋର୍ଟରେ ଦାବି କରିଛି ଯେ, ୨୦୧୬ରେ ଯେତେବେଳେ ଭାରତ-ଫ୍ରାନ୍ସ ମଧ୍ୟରେ ରାଫେଲ ଯୁଦ୍ଧ ବିମାନକୁ ନେଇ ବୁଝାମଣା ହୋଇଥିଲା, ତା’ ପରେ ଡାସଲ୍ଟ ଭାରତର ଜଣେ ମଧ୍ୟସ୍ଥକୁ ଉପରୋକ୍ତ ପରିମାଣର ଅର୍ଥ ଦେଇଥିଲା । ୨୦୧୭ରେ ଡାସଲ୍ଟ ଗ୍ରୁପ ଆକାଉଣ୍ଟରୁ ୫ ଲକ୍ଷ ୮ ହଜାର ୯୨୫ ୟୁରୋ (ପ୍ରାୟ ୮କୋଟି ୫୦ ଲକ୍ଷ) “ଗିଫ୍ଟ ଟୁ କ୍ଲାଏଣ୍ଟ୍ସ’ ନାମରେ ଟ୍ରାନ୍ସଫର ହୋଇଥିଲା । ଫ୍ରାନ୍ସର ଦୁର୍ନୀତି ନିରୋଧୀ ସଂସ୍ଥା ଏଏଫଏ ଯେତେବେଳେ ଡାସଲ୍ଟ କମ୍ପାନୀର କାଗଜପତ୍ରକୁ ଅଡିଟ୍ କରିଥିଲା, ସେତେବେଳେ ଏହି ତଥ୍ୟ ସାମ୍ନାକୁ ଆସିଥିଲା । ମିଡିଆପାର୍ଟ ରିପୋର୍ଟ ଅନୁସାରେ, ଏହାର ପର୍ଦ୍ଦାଫାଶ ହେବାରୁ ଡାସଲ୍ଟ ସଫେଇ ଦେଇ କହିଥିଲା ଯେ, ରାଫେଲ ଯୁଦ୍ଧ ବିମାନର ୫୦ଟି ବଡ଼ ମଡେଲ ତିଆରିରେ ଏହି ଅର୍ଥର ବ୍ୟବହାର ହୋଇଥିଲା । କିନ୍ତୁ ଏପରି କୌଣସି ମଡେଲ ତିଆରି ହୋଇ ନ ଥିଲା । ଅଡିଟ୍ରେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ବି ଦୁର୍ନୀତି ନିରୋଧୀ ସଂସ୍ଥା କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି । ଯାହା ଫ୍ରାନ୍ସର ରାଜନେତା ଏବଂ ନ୍ୟାୟିକ ବ୍ୟବସ୍ଥା ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକାକୁ ଦର୍ଶାଉଛି ବୋଲି ରିପୋର୍ଟ କହିଛି ।

Leave A Reply

Your email address will not be published.