ଦେଶରେ ଅସମ୍ଭାଳ: ଦିନକରେ ଲକ୍ଷେ ପାର୍ : ଦୈନିକ ସଂକ୍ରମଣରେ ଭାରତ ବିଶ୍ୱରେ ଦ୍ୱିତୀୟ

73

ନୂଆଦିଲ୍ଲୀ : ଦେଶରେ ରେକର୍ଡ ଭାଙ୍ଗିଲା କରୋନାର ଦୈନିକ ସଂକ୍ରମଣ । ଗୋଟିଏ ଦିନରେ ଲକ୍ଷେ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୩ହଜାର ୫୫୮ ନୂଆ ଆକ୍ରାନ୍ତ । ଏହା ଆଗରୁ ଗୋଟିଏ ଦିନରେ ଏତେ ପଜିଟିଭ୍ କେବେ ବି ବାହାରିନଥିଲେ । ଏପରିକି ଗତବର୍ଷ ଅଗଷ୍ଟ, ସେପ୍ଟେମ୍ବର କିମ୍ବା ଅକ୍ଟୋବର ଯେତେବେଳେ କରୋନା ପରିସ୍ଥିତି ସବୁଠୁ ଉଦ୍ବେଗଜନକ ଥିଲା, ସେତେବେଳେ ମଧ୍ୟ ଦେଶରେ ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିନଥିଲା ।

ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ସର୍ବାଧିକ ୯୮ହଜାର ୭୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜିର ସଂଖ୍ୟା ଯୋଗୁ ଦୈନିକ ସଂକ୍ରମଣରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ଚଳିତବର୍ଷ ଜାନୁଆରୀ ୮ ତାରିଖରେ ଆମେରିକାରେ ୩ଲକ୍ଷ ୮ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆମେରିକା ପରେ ଭାରତ ଦୈନିକ ସଂକ୍ରମଣରେ ଦ୍ୱିତୀୟ ସ୍ଥାନରେ ଅଛି । ଯାହା ଏବେ କେନ୍ଦ୍ର ସରକାରଙ୍କ ଚିନ୍ତାକୁ ବଢ଼ାଇ ଦେଇଛି ।

ଖାଲି zସଂକ୍ରମଣ ନୁହେଁ, ମହାମାରୀ ଆଜି ୪୭୮ଜଣଙ୍କ ଜୀବନ ମଧ୍ୟ ନେଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୧ଲକ୍ଷ ୬୫ହଜାର ୧୦୧କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨ ହଜାର ୮୪୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧କୋଟି ୧୬ ଲକ୍ଷ ୮୨ ହଜାର ୧୩୬କୁ ବୃଦ୍ଧି ପାଇଛି । ଦେଶରେ କରୋନା ଆରୋଗ୍ୟ ହାର ୯୨.୮ ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ଦେଶରେ ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୪୧ ହଜାର ୮୩୦ରେ ପହଞ୍ଚିଛି ।

ଯାହା ମୋଟ ଆକ୍ରାନ୍ତ ସଂଖ୍ୟାର ୫.୮୯% । ଇତି ମଧ୍ୟରେ ଦେଶରେ ୨୪ କୋଟି ୯୦ ଲକ୍ଷ ୧୯ ହଜାର ୬୫୭ କରୋନା ନମୂନା ପରୀକ୍ଷା କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ୭କୋଟି ୯୧ଲକ୍ଷ ୫ ହଜାର ୧୬୩ ଲୋକଙ୍କୁ ଟିକାଦାନ କରାଯାଇଛି । ଅଧିକ ପ୍ରଭାବିତ ମହାରାଷ୍ଟ୍ର, ପଞ୍ଜାବ ଓ ଛତିଶଗଡ଼କୁ କେନ୍ଦ୍ରୀୟ ଟିମ୍ ଯିବ ବୋଲି ସୂଚନା ମିଳିଛି ।

Comments are closed.