ବିବାଦୀୟ ୧୦୬ ଏକର କାଜୁ ତୋଟାରେ ୧୪୪ ଧାରା ଜାରି

0 77

ପାରଳାଖେମୁଣ୍ଡି, ୬ା୪ : ଗଜପତି ଜିଲ୍ଲା କାଶୀନଗର ତହସିଲରେ ୧୦୬ ଏକର କାଜୁ ତୋଟା ନେଇ ଦୀର୍ଘ ବର୍ଷ ଧରି ଆଦିବାସୀ ଓ ଅଣ-ଆଦିବାସୀମାନଙ୍କ ମଧ୍ୟରେ ବିବାଦ ଲାଗିରହିଛି । ପ୍ରତ୍ୟେକ ବର୍ଷ କାଜୁ ଅମଳ ପୂର୍ବରୁ ଏଠାରେ ବିବାଦକୁ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରାଯାଉଛି । ଚଳିତ ବର୍ଷ ମଧ୍ୟ ଗତକାଲି ଠାରୁ ଏହି ୧୪୪ଧାରା ଜାରି କରାଯାଇଛି । ଘଟଣାରୁ ପ୍ରକାଶ, କାଶୀନଗର ତହସିଲ ଅଧୀନ ଅଲଡା ପଞ୍ଚାୟତ ଅରମଡା ମୌଜା ମ୍ୟୁଟେସନ କେସ୍ ନଂ ୭/୨୧ ୧୦୬ ଏକର କାଜୁ ତୋଟାର ମାଲିକାନା ନେଇ ଦୀର୍ଘ ବର୍ଷ ହେଲା ଆଦିବାସୀ ଓ ଅଣ-ଆଦିବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ସବ୍-ଡିଭିଜିନାଲ୍ ମାଜିଷ୍ଟ୍ରେଟ, ପାରଳାଖେମୁଣ୍ଡିଙ୍କ ଆଦେଶ ପ୍ରକାରେ ଗତକାଲି ଠାରୁ ସମ୍ପୃକ୍ତ ବିବାଦୀୟ ୧୦୬ ଏକର କାଜୁ ତୋଟାର ଚତୁର୍ଦିଗରେ ଲାଲ ପତାକା ପୋତା ଯାଇ ୧୪୪ ଧାରା ଲାଗୁ କରାଯାଇଛି । ମାଜିଷ୍ଟ୍ରେଟ୍ ତଥା କାଶୀନଗର ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ରଙ୍କ ଉପସ୍ଥିତିରେ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ଓ ରାଜସ୍ୱ ବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ ୧୪୪ ଧାରା ଲାଗୁ କରାଯାଇଛି ।

Leave A Reply

Your email address will not be published.