ଟିଏମସିର ମହିଳା ପ୍ରାର୍ଥୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

0 55

କୋଲାକାତା, ୬ ।୪: ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ଜଣେ ମହିଳା ପ୍ରାର୍ଥୀଙ୍କୁ କିଛି ଲୋକ ମତଦାନ କେନ୍ଦ୍ରରୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି । ପ୍ରାର୍ଥୀ ଜଣଙ୍କ ବୁଥରେ ଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଥିଲା । ସେ ଭୟରେ ନିକଟରେ ଥିବା ଗୋଟିଏ କ୍ଷତ ମଧ୍ୟକୁ ଦୌଡ଼ିଥିଲେ ହେଁ ହାତରେ ଲାଠି ଧରିଥିବା କିଛି ଲୋକଙ୍କ ତାଙ୍କ ପିଛା କରିଥିଲେ । କ୍ଷେତ ମଧ୍ୟରେ ତାଙ୍କ ମୁଣ୍ଡକୁ ଲାଠିରେ ଆକ୍ରମଣ ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ପ୍ରାର୍ଥୀ ଜଣଙ୍କ ହେଉଛନ୍ତି ସୁଜାତା ମଣ୍ଡଳ ଖାନ । ସେ ଚଳିତ ବିଧାନସଭାରେ ଅରମବାଗ ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଏଠାରେ ବୋଟିଂ ହେଉଥିବା ବେଳେ ତାଙ୍କୁ ବିଜେପି କର୍ମୀମାନେ ବୁଥ ମଧ୍ୟରୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି । ମମତା ବାନାର୍ଜୀ କହିଛନ୍ତି ଅରମବାଗର ଅରନ୍ଧି ଅଞ୍ଚଳରେ ଥିବା ଗୋଟିଏ ବୁଥରେ ଏଭଳି ଘଟଣା ଘଟିଛି । ଭୋଟିଂ ବେଳେ ବିଜେପି କର୍ମୀମାନେ ଅରମବାଗର ବିଭିନ୍ନ ବୁଥ୍ରେ ଏକାଠି ହୋଇ ଲୋକଙ୍କୁ ଧମକ ଦେଇଥିଲେ । ସେମାନେ ଆମର ଅନୁସୂଚିତ ଜାତିର ପ୍ରାର୍ଥୀ ସୁଜାତା ମଣ୍ଡଳଙ୍କୁ ଲାଠିରେ ଆକ୍ରମଣ କରିଛନ୍ତି । ସେ ବୁଥକୁ ବୁଲିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ଖାନାକୁଲ ଠାରେ ମଧ୍ୟ ବିଜେପି ସମର୍ଥକମାନେ ଆଉ ଜଣେ ଟିଏମସି ପ୍ରାର୍ଥୀଙ୍କୁ ଆକ୍ରମଣ କରିଛନ୍ତି । କାନ୍ନିଙ୍ଗ ଇଷ୍ଟରେ ସୁରକ୍ଷାକର୍ମୀମାନେ ଆମ ନୋମିନି ସୌକତ ମୋଲ୍ଲାଙ୍କୁ ବୁଥ ଭିତରେ ପ୍ରବେଶ କରିବାକୁ ଦେଇନାହାନ୍ତି । ସେମାନେ(ବିଜେପି) ରାଜ୍ୟର ବିଭିନ୍ନ ସ୍ଥାନରେ ଆମ ପ୍ରାର୍ଥୀ ଓ କର୍ମୀମାନଙ୍କୁ ଆକ୍ରମଣ କରିବାରେ ଲାଗିଛନ୍ତି । ଆଜି ସକାଳୁ ବିଭିନ୍ନ ସ୍ଥାନରେ ୧୦୦ରୁ ଅଧିକ ଆକ୍ରମଣ ଘଟଣା ଘଟିଛି । ଏ ବିଷୟରେ ଟିଏମସି ପକ୍ଷରୁ ନିର୍ବାଚନ କମିଶନକୁ ଜଣାଇ ଦିଆଯାଇଥିଲା । ହେଲେ ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ମମତା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସୁଜାତା ମଣ୍ଡଳ ଖାନ କହିଛନ୍ତି, ବାଟାନାଲରେ ଥିବା ବୁଥ ନଂ ୪୫ରେ ଲୋକମାନେ ଟିଏମସିକୁ ଭୋଟ ଦେଉଥିଲେ ହେଁ ଏହା ବିଜେପି ଖାତାକୁ ଯାଉଛି । ମୁଁ ଆଶା ରଖିଛି ଯେ ମୋତେ ଲୋକଙ୍କ ଆଶୀର୍ବାଦ ମିଳିବ । ଅରନ୍ଧିରେ ଆମ କର୍ମୀମାନଙ୍କୁ ମାଡ଼ ମରାଯାଇଛି । ବିଜେପି ଭାବୁଛି ଯେ ସେମାନେ ହିଂସା ସୃଷ୍ଟି କରି ଅରମବାଗ ଆସନ ଦଖଲ କରିନେବେ । ହେଲେ ସେମାନଙ୍କ ଭାବନା ଭୁଲ । ମୁଁ ଏମିତି ଗୋଟିଏ ମହିଳା, ଯିଏ ମରିବାକୁ କେବେ ବି ଡରେନାହିଁ ।

Leave A Reply

Your email address will not be published.