୧୦ଦିନ ସ୍ପେଶାଲ ଡ୍ରାଇଭ୍: ଫୋକସ୍ ରେ ପଶ୍ଚିମ ଓଡ଼ିଶା

76

-ନିୟମ ମାନ: ସତର୍କ ହୁଅ

-ପଶ୍ଚିମ ଓଡ଼ିଶା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଫୋକସ୍
-ସୀମାନ୍ତ ଜିଲ୍ଲାକୁ ଯିବେ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍
-ଆରମ୍ଭ ହେବ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ୍
-ଅଧିକ ସଂଖ୍ୟାରେ ପୋଲିସ ମୁତୟନ ନିର୍ଦ୍ଦେଶ
-ଅଧିକ ଡାକ୍ତର-ପାରାମେଡିକାଲ ଷ୍ଟାଫ ନିୟୋଜିତ ନିର୍ଦ୍ଦେଶ
-କୋଭିଡ୍ ସଚେତନତାରେ ସାମିଲ ହେବେ ପଞ୍ଚାୟତ ପ୍ରତିନିଧି
-ଅଧିକ ଆମ୍ବୁଲାନ୍ସ ଓ ବେଡ୍ ନେଇ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୋଭିଡ୍ ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନ ସ୍ପେଶାଲ ଡ୍ରାଇଭ୍ ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଓ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ପଶ୍ଚିମ ଓଡ଼ିଶା ଗସ୍ତରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପଡ଼ୋଶୀ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଓଡ଼ିଶା ଜିଲ୍ଲାରେ କୋଭିଡ୍ ହୁ ହୁ ହୋଇ ବଢ଼ୁଛି । ତେଣୁ ଛତିଶଗଡ଼ ସୀମାନ୍ତ ଜିଲ୍ଲା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋକସ୍ ଦେଇଛନ୍ତି । ପଶ୍ଚିମ ଓଡ଼ିଶା ଗସ୍ତ କରି ସେମାନେ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବେ । ଏଥିସହିତ ରାଜ୍ୟରେ କୋଭିଡ୍ ସୁରକ୍ଷା ପ୍ରୋଟୋକଲ କଡ଼ାକଡ଼ି ପାଳନ ପାଇଁ ୧୦ଦିନିଆ ସ୍ୱତନ୍ତ୍ର ଡ୍ରାଇଭ୍ ଚାଲିବ ।

ଏଥିପାଇଁ ସାରା ରାଜ୍ୟରେ ବ୍ୟାପକ ସଂଖ୍ୟାରେ ପୋଲିସ ମୁତୟନ କରିବା ଲାଗି ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ର ପ୍ରଥମ ଲହରକୁ ଆମେ ସଫଳତାର ସହ ମୁକାବିଲା କରିଥିଲେ ଏବଂ ଦ୍ୱିତୀୟ ଲହରକୁ ମଧ୍ୟ ସଫଳତାର ସହ ମୁକାବିଲା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଏଥିପାଇଁ କୋଭିଡ୍ କଟକଣାକୁ ଅନୁଷ୍ଠାନ ଓ ବ୍ୟକ୍ତିଗତ ସ୍ତରରେ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି ।

ମାସ୍କ ପିନ୍ଧିବା, ହ୍ୟାଣ୍ଡ ସାନିଟାଇଜ୍ ଏବଂ ସାମାଜିକ ଦୂରତ୍ୱ ବଜାୟ ସମ୍ପର୍କରେ ପଞ୍ଚାୟତିରାଜ ଯୋଦ୍ଧାଙ୍କ ପକ୍ଷରୁ ନୂଆ ସଚେତନତା କାର୍ଯ୍ୟକ୍ରମ କରାଯିବ । ରାଜ୍ୟରେ ଲଗାତାର ସଂକ୍ରମଣ ବଢିଚାଲିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ୫ ଶହ ଉପରେ ରହୁଛି । କରୋନାର ଦ୍ୱିତୀୟ ଲହର ନେଇ ସତର୍କ ରହିବାକୁ କୁହାଯାଇଛି । ଛତିଶଗଡ଼ ସୀମାନ୍ତ ଜିଲ୍ଲା ଉପରେ ରାଜ୍ୟ ସରକାରଙ୍କ ଫୋକସ୍ ।

ସୀମାନ୍ତ ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଗ୍ରାଉଣ୍ଡ ଜିରୋକୁ ଯାଇ ସେଠାକାର ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ସ୍ଥିତି ଅନୁଯାୟୀ ଆବଶ୍ୟକ ଜରୁରୀ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ପଶ୍ଚିମ ଓଡ଼ିଶାରେ ଅଧିକ ସଂଖ୍ୟକ ଡାକ୍ତର,ପାରାମେଡିକାଲ୍ ଷ୍ଟାଫ୍ ଓ ଲ୍ୟାବ୍ ଟେକ୍ନିସିଆନ୍ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗ ଏସିଏସ୍, ଉନ୍ନୟନ କମିଶନରଙ୍କ ସହ ରାଜ୍ୟର ସମସ୍ତ ଜିଲ୍ଲାପାଳ, ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । କରୋନା ମୁକାବିଲା ନେଇ ବୈଠକରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି । କୋଭିଡ୍ ମୁକାବିଲା ନେଇ ନୂଆ ପଦକ୍ଷେପ ନିଆଯିବ ବୋଲି ଆଗରୁ ଆଶା କରାଯାଉଥିଲା ।

Comments are closed.