ଆଇଏଲ୍ଏସ୍ ନିର୍ଦ୍ଦେଶକଙ୍କ ସତର୍କବାଣୀ : ସଚେତନ ନହେଲେ ହେବ ଛତିଶଗଡ଼ ସ୍ଥିତି

0 74

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତିକୁ ନେଇ ଆଇଏଲ୍ଏସ୍ ନିର୍ଦେଶକ ଅଜୟ ପରିଡ଼ା ଉଦ୍ବେଗ ପ୍ରକାଶ କରିବା ସହ କହିଛନ୍ତି ଯେ, ଭାଇରସ୍ର ଏଇ ଷ୍ଟ୍ରେନ ପୂର୍ବ ଷ୍ଟ୍ରେନ୍ ଅପେକ୍ଷା ଅଧିକ କ୍ଷତିକାରକ । ଏହି ଦ୍ୱିତୀୟ ଷ୍ଟ୍ରେନ୍ ଦ୍ରୁତ ଗତିରେ ସଂକ୍ରମଣ କରୁଛି ଯାହା ଚିନ୍ତାଜନକ । ଯେଉଁଭଳି ଭାବେ ବର୍ତ୍ତମାନ ସଂଖ୍ୟା ବଢ଼ୁଛି ତାହା ଚିନ୍ତାଜନକ । ଆଗକୁ କ’ଣ ହେବ କିଛି କହି ହେବନି । କେବେ କମିବ ତାହା ଅନୁମାନ କରିହେଉନି ।

ଆମେ ଭାଇରସ୍ର ଏହି ନୂଆ ଷ୍ଟ୍ରେନ୍ ଉପରେ ପରୀକ୍ଷା ନିରୀକ୍ଷା ଚଳାଇଛୁ । ଲୋକମାନେ ସଚେତନ ହେବା ନିହାତି ଦରକାର । ଯଦି ଲୋକମାନେ ସଚେତନ ନ ହେବେ ତେବେ ପରିସ୍ଥିତି ବହୁତ ଭୟଙ୍କର ହେବ । ଓଡ଼ିଶାରେ ଛତିଶଗଡ଼ ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ । ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି । ଆଗକୁ ବି କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ।

ସୀମାବର୍ତ୍ତୀ ଅଞ୍ଚଳରେ ସଂଖ୍ୟା ବଢ଼ୁଥିବାରୁ ସେଠି ନାଇଟ କର୍ଫ୍ୟୁ କରାଯାଇଛି । କିଛି ସହରାଞ୍ଚଳରେ ବି ସଂଖ୍ୟା ବଢୁଛି । ବିଶେଷକରି ଭୁବନେଶ୍ୱରରେ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ହେଉଛି । ଏଠାକୁ ଅଧିକ ବାହାର ଲୋକ ଆସୁଥିବାରୁ ସ୍ଥିତି ଦିନକୁ ଦିନ ବିଗୁଡୁଛି । ଅନ୍ୟପକ୍ଷରେ ରାଜ୍ୟରେ ଦୈନିକ ସଂକ୍ରମଣ ହାର ଅସମ୍ଭବ ଭାବେ ବଢ଼ୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୭୯ ନୂଆ ସଂକ୍ରମିତ । ସଙ୍ଗରୋଧରୁ ୫୧୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୩୬୧ ।

ଚିନ୍ତାଜନକ କଥା ହେଲା ଖୋର୍ଦ୍ଧାରୁ ୧୪୪ ପଜିଟିଭ୍ ବାହାରିଥିବା ବେଳେ ସୁନ୍ଦରଗଡ଼ରେ ୧୩୧, ନୂଆପଡ଼ା ୬୧, ବରଗଡ଼ ୫୩ ଓ କଟକରେ ୫୦ ପଜିଟିଭ୍ ବାହାରିଛନ୍ତି । ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ୁଥିବାରୁ ବାହାର ରାଜ୍ୟରୁ ଓଡ଼ିଶା ଆସୁଥିବା ଲୋକମାନଙ୍କର ଆରଟିିସିଆର ଟେଷ୍ଟ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି । ଯେଉଁମାନଙ୍କର ନେଗେଟିଭ୍ ରିପୋର୍ଟ ନଥିବ, ସେମାନେ ୭ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । ଏଥିସହିତ ଯେଉଁମାନଙ୍କର ହୋମ୍ ଆଇସୋଲେସନ୍ ସୁବିଧା ନଥିବ, ସେମାନଙ୍କୁ କୋଭିଡ୍ କେୟାର ସେଣ୍ଟରରେ ରଖିବାକୁ ଜିଲ୍ଲାପାଳ ଓ ମ୍ୟୁନିସିାଲ କମିଶନରଙ୍କୁ କୁହାଯାଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Leave A Reply

Your email address will not be published.