ଆନ୍ଧ୍ର ମଣ୍ଡଳ ଭୋଟକୁ ନେଇ ଗଙ୍ଗାବାଡ ପଞ୍ଚାୟତରେ ପ୍ରଶାସନ ୨ଦିନ ଜଗି ରହିଲେ

0 75

ପାରଳାଖେମୁଣ୍ଡି, ୯ା୪ : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ଗୁଡିଖୁଡି, ମାଣିକପାଟଣା, ଚମ୍ପାପୁର ଆଦି ଗ୍ରାମ ଗୁଡିକୁ ଗଜପତି ପ୍ରଶାସନ ଗତ ୨ଦିନ ହେଲା ଜଗିରହିଥିଲେ । ଆନ୍ଧ୍ର ପ୍ରଦେଶରେ ମଣ୍ଡଳ ଭୋଟ ଅନୁଷ୍ଠିତ ହୋଇଯାଇଛି । ଏହାକୁ ନେଇ ଗଙ୍ଗାବାଡ ପଞ୍ଚାୟତର କେତେକ ଗ୍ରାମବାସୀ ସୀମାନ୍ତ ଆନ୍ଧ୍ର ପ୍ରଦେଶରେ ଭୋଟ ଦେଇପାରନ୍ତି ବା ନିର୍ବାଚନରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରି ଗଜପତି ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ବହୁ ପଦାଧିକାରୀ ଗତ ୨ଦିନ ଧରି ଏହା ଉପରେ ତୀକ୍ଷ୍ମଣ ନଜର ରଖିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ , ଗାରବନ୍ଧ ଥାନା ଅଧିକାରୀ ସର୍ବେଶ୍ୱର ସାମନ୍ତ ରାୟଙ୍କ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ରହି ସାଧାରଣଙ୍କୁ ଆନ୍ଧ୍ରରେ ଭୋଟ ନ ଦେବା ପାଇଁ ବୁଝାଇଥିଲେ । ଏହି ଗ୍ରାମ ଗୁଡିକରେ ଆନ୍ଧ୍ରର ମଣ୍ଡଳସ୍ତରୀୟ ନିର୍ବାଚନ ପ୍ରଚାର ପୋଷ୍ଟର ମଧ୍ୟ ଲାଗିଥିବାର ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି ଗଜପତି ପ୍ରଶାସନ ଉକ୍ତ ସ୍ଥାନ ମାନଙ୍କରେ ଡେରା ପକାଇଥିଲେ । ଏନେଇ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କୁ ପଚାରିବାରେ କହିଛନ୍ତି ଯେ, ଆଜି ଅନୁଷ୍ଠିତ ଆନ୍ଧ୍ର ନିର୍ବାଚନରେ ଜଣେ କେହି ହେଲେ ଭୋଟ ପ୍ରକ୍ରିୟାରେ ଭାଗ ନେଇ ନାହାନ୍ତି ଏବଂ ଏନେଇ ଉକ୍ତ ଅଞ୍ଚଳ ଗୁଡିକରେ ବ୍ୟାପକ ସଚେତନତା କରାଯାଇଥିବାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.