ଆଉ ଏକ ଟିକାକୁ ଖୁବଶୀଘ୍ର ଅନୁମତି ଦେଇପାରନ୍ତି ସରକାର

0 74

ନୂଆଦିଲ୍ଲୀ, ୯ ।୪: କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି । ଏହାରି ଭିତରେ ଭାରତ ସରକାର ଆଉ ଏକ ଟିକା ସ୍ପୁଟନିକ ଭିକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବେ ବୋଲି ସୂଚନା ରହିଛି । ଏହି ଟିକା ଋଷିଆ ଦ୍ୱାରା ପ୍ରସ୍ତୁତ ହୋଇଛି । ଆଗାମୀ ୧୦ ଦିନ ମଧ୍ୟରେ ଭାରତ ସରକାର ଏହି ଟିକାକୁ ଅନୁମତି ଦେବେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଭାରତରେ ଏବେ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକାକୁ ଅନୁମତି ମିଳିଛି । ହେଲେ କୋଭିଶିଲ୍ଡ ଏକମାତ୍ର ଟିକା ଯାହାକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ମିଳିଛି । “ଦ ହିନ୍ଦୁ’ର ରିପୋର୍ଟ ଅନୁଯାୟୀ, ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ଏହି ସୂଚନା ଦେଇଛନ୍ତି । ସ୍ପୁଟନିକ୍ ଭି ଋଷିଆର ଗୋମାଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିୟୋଲୋଜି ଆଣ୍ଡ ମାଇକ୍ରୋବିଓଲୋଜିରେ ବିକଶିତ ହୋଇଛି । ଏହି ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ ଭଳି ଦୁଇଟି ଟିକା ନେବାକୁ ହେବ । ହେଲେ ଏହାକୁ -୧୮ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ରଖିବାକୁ ପଡିବ । ଯାହାକି ବଡ଼ ଚ୍ୟାଲେଞ୍ଜ । ମାର୍ଚ୍ଚରେ ଏହି ଟିକାକରଣର ମୁଖ୍ୟ ପ୍ରୋତ୍ସାହକ ଋଷିଆନ ଡିରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ଭାରତର ତିନୋଟି ସଂସ୍ଥା ସହିତ ମିଶି ୩୦୦ ନିୟୁତରୁ ଅଧିକ ଟିକା ତିଆରି କରିବ ବୋଲି ଘୋଷଣା କରିଥିଲା । ଟିକା ଉତ୍ପାଦନକାରୀମାନେ ଦାବି କରିଛନ୍ତି ଯେ ଏହି ଟିକା ୯୧ ପ୍ରତିଶତ ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇଥାଏ । ପ୍ରାୟ ୫୯ ଟି ଦେଶରେ ଏପର୍ଯ୍ୟନ୍ତ ଏହି ଟିକା ଅନୁମୋଦନ ଦିଆଯାଇଛି । ଏହି ଟିକା ଦେଶର ସମସ୍ତ ନାଗରିକଙ୍କ ପାଇଁ ଉପଲବ୍ଧ ହୋଇପାରିବ ବୋଲି ସୂଚନା ରହିଛି । ଡକ୍ଟର ରେ‡ୀ ଲ୍ୟାବ ଭାରତରେ ସ୍ପୁଟନିକ ଭି ଟିକାର ପରୀକ୍ଷା କରୁଛି । ଏପ୍ରିଲ ୧ ରେ ଡକ୍ଟର ରେ‡ୀ ଲ୍ୟାବକୁ ଟିକା ବିଷୟରେ ଅଧିକ ତଥ୍ୟ ପ୍ରଦାନ କରିବାକୁ ସରକାର କହିଥିବା ସୂଚନା ରହିଛି । ସୂଚନାଯୋଗ୍ୟ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ କରୋନା କର୍ଫ୍ୟୁ, ତିନୋଟି ଟି- ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ମାନଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.