ସରକାର ଏବେ ବିଦେଶକୁ ଟିକା ରପ୍ତାନୀ ବନ୍ଦ କରିବା ଦରକାର : ରାହୁଳ

0 67

ନୂଆଦିଲ୍ଲୀ, ୯ ।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଉ କରୋନା ଟିକାର ଅଭାବ ମଧ୍ୟ ଅନେକ ରାଜ୍ୟରେ ଦେଖିବାକୁ ମିଳିଛି । ଯେହେତୁ ଦେଶବାସୀଙ୍କ ପାଇଁ ଟିକାର ଆବଶ୍ୟକତା ରହିଛି ତେଣୁ ବିଦେଶକୁ କରୋନା ଟିକା ରପ୍ତାନୀ କରିବା ଉପରେ ରୋକ୍ ଲଗାଇବା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏପ୍ରିଲ ୮ ତାରିଖରେ ଚିଠି ଲେଖି ଏହା କହିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । ଭାରତ ଏଯାବତ ଅନ୍ୟାନ୍ୟ ଦେଶକୁ ୬ କୋଟି ଟିକା ଦେଇଛି । ରାହୁଲ ଗାନ୍ଧୀ କହିଛନ୍ତି ସରକାର ଯେଉଁଭଳି ଭାବରେ “ନଜର ଅନ୍ଦାଜ’ କରି ଏପରି ନିଷ୍ପତ୍ତି ନେଉଛନ୍ତି ତାହା ନିଜ ଦେଶବାସୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ତେଣୁ ସରକାର ଏବେ ବିଦେଶକୁ ଟିକା ରପ୍ତାନୀ ବନ୍ଦ କରିବା ଦରକାର ବୋଲି ସେ କହିଛନ୍ତି । ରାହୁଲ୍ ଗାନ୍ଧୀ ଚିଠି ଲେଖିଲା ବେଳେ କହିଛନ୍ତି ଅନେକ ରାଜ୍ୟ ଟିକା ଅଭାବର ଅଭିଯୋଗ ଆଣିଛନ୍ତି । ଆଉ ଏହି ରାଜ୍ୟରେ ଯେଉଁ ଦଳ ସରକାରରେ ରହିଛି ସେହି ଦଳ କେନ୍ଦ୍ରରେ ସରକାର ନାହିଁ । ରାଜ୍ୟ ଗୁଡ଼ିକ ଅଭିଯୋଗ ଆଣିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଟାର୍ଗେଟ କରୁଥିବା ସେ କହିଛନ୍ତି । ଏହାପୂର୍ବରୁ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଟିକା ଦେବାରେ କେନ୍ଦ୍ର ସରକାର ପକ୍ଷପାତ ନକରି ରାଜ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ୍ ବୋଲି କହିଥିଲେ । ତେବେ ଏହାକୁ ନେଇ ପଶ୍ଚିମବଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଦେଶରେ କରୋନା ଟିକାର ଅଭାବ ରହିଛି ବୋଲି କହିବା ଭୁଲ୍ । ସମସ୍ତ ରାଜ୍ୟକୁ ଆବଶ୍ୟକ ପରିମାଣରେ କରୋନା ଟିକା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି । ଟିକା ଅଭାବ ନେଇ ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ର ଆଦି ରାଜ୍ୟ ଅଭିଯୋଗ କରିବା ପରେ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଏକ ଟ୍ୱିଟ୍ କରିଥିଲେ । ଯେଉଁଥିରେ ସେ କହିଥିଲେ ଦେଶରେ ମୋଟ ୯.୧ କୋଟି ଡୋଜ୍ ଟିକା ବ୍ୟବହାର କରାଯାଇଛି ଏବଂ ୪.୩ କୋଟି ଡୋଜ ମହଜୁଦ ଅଛି । ଏହି ସବୁ ଟିକା ରାଜ୍ୟମାନଙ୍କୁ ଦିଆଯିବ । ଏଥି ସହିତ ଟିକା ଉତ୍ପାଦନ ବୃଦ୍ଧି ପାଇଁ ସରକାର ମଧ୍ୟ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଏହାପୂର୍ବରୁ ବୁଧବାର ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ, କିଛି ରାଜ୍ୟ ନିଜର ବିଫଳତାକୁ ଲୁଚାଇବାକୁ ଯାଇ ଏଭଳି ଟିକା ଅଭାବ ପ୍ରସଙ୍ଗ ଉଠାଇଛନ୍ତି । ଏଭଳି କରି ସଂପୃକ୍ତ ରାଜ୍ୟ ନିଜର ଦୁର୍ବଳତା ଲୁଚାଉଛନ୍ତି ଆଉ ଦେଶବାସୀଙ୍କୁ ଛାନିଆ କରୁଛନ୍ତି । ଚାହିଦା ଅନୁଯାୟୀ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଟିକା ଯୋଗାଇ ଦିଆଯାଉଛି । ଟିକା ଅଭାବ ଅଭିଯୋଗ ଭିତ୍ତିହୀନ । ଏହାକୁ ରାହୁଲ୍ ଗାନ୍ଧୀ ମୋଦିଙ୍କୁ ଚିଠି ଲେଖିଲା ବେଳେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.