ନିର୍ବାଚନ କମିଶନଙ୍କ ଉପରେ ବର୍ଷିଲେ ମମତା

0 61

କୋଲକାତା, ୯ ।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଜବାବ ତଲବ କରିଛନ୍ତି ନିର୍ବାଚନ କମିଶନ । ମୁସଲିମ ସମ୍ପ୍ରଦାୟ ଏକାଠି ହୋଇ ଟିଏମସିକୁ ଭୋଟ୍ ଦେବା ପାଇଁ ମମତା ଏକ ରାଲିରେ କହିବା ପରେ ନିର୍ବାଚନ କମିଶନ ମମତାଙ୍କୁ ଜବାବ ତଲବ କରିଥିଲେ । ଆଉ ଜବାବରେ ଗୁରୁବାର ମମତା ନିର୍ବାଚନ କମିଶନଙ୍କ ବିରୋଧରେ ବର୍ଷିଛନ୍ତି । ମମତା ବାନାର୍ଜୀ କହିଛନ୍ତି ଯେ ନିର୍ବାଚନ କମିଶନ “୧୦ଟି ନୋଟିସ’ ପଠାଇ ପାରିବ । ହେଲେ ସେ ହିନ୍ଦୁ ଏବଂ ମୁସଲମାନ ଭୋଟର ବିଭାଜନ ବିରୋଧରେ କହିବେ ବୋଲି ନନ୍ଦିଗ୍ରାମ ବିଧାନସଭା ଆସନର ପ୍ରାର୍ଥୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦୁ ଏବଂ ମୁସଲମାନ (ଭୋଟ୍-ବ୍ୟାଙ୍କ) ବିଷୟରେ ମତ ରଖୁଛନ୍ତି । ହେଲେ ତାଙ୍କ ବିରୋଧରେ କାହିଁକି କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ? ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ପ୍ରଚାର ବେଳେ “ମିନି ପାକିସ୍ତାନ’ ଶବ୍ଦ ବ୍ୟବହାର କରି ବିଜେପି ଟିଏମସି ବିରୋଧରେ ପ୍ରଚାର କରିଛି । ହେଲେ ତାଙ୍କୁ ନିର୍ବାଚନ କମିଶନ କାହିଁକି ସମନ କରି ନାହାନ୍ତି? ସମସ୍ତଙ୍କର ନିଜସ୍ୱ କହିବା ଶୈଳୀ ରହିଛି । ମୋତେ ମୋ ଶୈଳୀରେ କହିବାର ଅଧିକାର ରହିଛି । ମୋତେ ଯେତେପାରୁଛ ପରିହାସ କର, କିନ୍ତୁ ଲକ୍ଷ୍ମଣ ରେଖା ଅତିକ୍ରମ କଲେ ଏହା ନିଜର ବ୍ୟକ୍ତିତ୍ୱକୁ ପ୍ରତିଫଳନ କରିବ ବୋଲି ମମତା କହିଛନ୍ତି । ତେବେ ନନ୍ଦିଗ୍ରାମ ଆସନରେ ମମତାଙ୍କ ପ୍ରତିଦ୍ୱନ୍ଦୀ ଥିବା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ନିର୍ବାଚନ କମିଶନ ନୋଟିସ କରିଛନ୍ତି । ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀ ପ୍ରଚାର କରିବା ବେଳେ ବିବାଦୀୟ ତଥା ଘୃଣା ସୃଷ୍ଟିକାରୀ ଶବ୍ଦ ପ୍ରୟୋଗ କରିଥିଲେ । ଏହାକୁ ନେଇ ସିପିଆଇ-ଏମଏଲ ସେଣ୍ଟ୍ରାଲ ଅଭିଯୋଗ କରିବା ପରେ ନିର୍ବାଚନ କମିଶନ ନୋଟିସ ପଠାଇ ୨୪ ଘଣ୍ଟାରେ ଜବାବ ଦେବାକୁ କହିଛନ୍ତି । ନିକଟରେ ସିଆରପିଏଫ ବିରୋଧରେ ମଧ୍ୟ ମମତା ଅଭିଯୋଗ କରିଥିଲେ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ସିଆରପିଏଫ କାମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ବିଜେପି ଏହି ଦାବିକୁ ଖାରଜ କରିବା ସହିତ ପରାଜୟ ଭୟରେ ମମତା ଏଭଳି ବିଳି ବିଳେଉଛନ୍ତି ବୋଲି ବିଜେପି କହିଛି । ବିଜେପି ସଭାପତି ଜେ.ପି ନାଡା କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟରୁ ସ୍ପଷ୍ଟ ଯେ ସେ ପରାଜୟକୁ ସ୍ୱୀକାର କରିଛନ୍ତି । ଗୁରୁବାର ଆଲିପୁରଦୁଆରରେ ଏକ ରୋଡ୍ ଶୋରେ ନ‡ା ଏହା କହିଛନ୍ତି ।

Leave A Reply

Your email address will not be published.