୭ ଆତଙ୍କୀ ସଫା :ବୁରହାନ ୱାନିର ଭାଇ ନିହତ

0 64

ନୂଆଦିଲ୍ଲୀ, ୯ ।୪: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆତଙ୍କବାଦୀ ବିରୋଧୀ ଅଭିଯାନକୁ ବଡ଼ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଡବଲ ଏନକାଉଣ୍ଟରରେ ଗତ ୨୪ ଘଣ୍ଟା ମଧ୍ୟରେ ୭ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ନିହତ ଆତଙ୍କବାଦୀଙ୍କ ମଧ୍ୟରେ ସୁରକ୍ଷାକର୍ମୀ ଗୁଳିରେ ପ୍ରାଣ ହରାଇଥିବା ବୁରହାନ ୱାନିର ସମ୍ପର୍କୀୟ ଭାଇ ମଧ୍ୟ ରହିଛି । ଏବେ ବି ଜମ୍ମୁ-କଶ୍ମୀରର କିଛି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି । ସେହିପରି ସ୍ଥିତିକୁ ଦେଖି ଉପତ୍ୟକାର କିଛି ସ୍ଥାନରେ ଇଣ୍ଟରନେଟ୍ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ସୂଚନା ଅନୁସାରେ ଜମ୍ମୁ-କଶ୍ମୀରର ତ୍ରାଲ ଓ ଶୋପିଆନରେ ଘଟିଥିବା ପୃଥକ ପୃଥକ ଏନକାଉଣ୍ଟରରେ ୭ ଜଣ ଯାକ ଆତଙ୍କୀ ନିହତ ହୋଇଛନ୍ତି । ତ୍ରାଲର ନୌବୁଗା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ସେମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରି ପୂରା ଅଞ୍ଚଳକୁ କର୍ଡନ କରିଥିଲେ । ତେବେ ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି କରିଥିଲେ । ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା । ଦୀର୍ଘ ସମୟ ଧରି ଚାଲି ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସେମାନଙ୍କ ଶବକୁ ଜବତ କରାଯାଇ ସାରିଛି । ସ୍ଥାନୀୟ ଅଞ୍ଚଳରେ ଆଉ କିଛି ଆତଙ୍କୀ ଲୁଚି ରହିଥିବାରୁ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ମୃତ ଦୁଇ ଆତଙ୍କୀଙ୍କ ମଧ୍ୟରେ ଏଜିଏଚ୍ର କମାଣ୍ଡର ହମତୟାୟ ଶାହ ରହିଛି । ଅନ୍ୟପକ୍ଷରେ ଗୁରୁବାର ଠାରୁ ଶୋପିଆନ୍ରେ ଚାଲିଥିବା ଅପରେସନ୍ ବେଳେ ଆଉ ୨ ଜଣ ଆତଙ୍କୀଙ୍କ ମୃତଦେହ ମିଳିଛି । କାଲି ସନ୍ଧ୍ୟା ସୁଦ୍ଧା ଏଠାରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥଲେ । ଏହାର ଅର୍ଥ ଶୋପିଆନ ଏନକାଉଣ୍ଟରରେ ୫ ଆତଙ୍କୀ ନିହତ ହୋଇଛନ୍ତି । ଏହି ନିହତ ୫ ଆତଙ୍କବାଦୀଙ୍କ ମଧ୍ୟରେ ବୁରହାନ ୱାନିର ଭାଇ ରହିଛି । ଗତକାଲି ୩ ଜଣ ଆତଙ୍କୀ ନିହତ ହେବା ପରେ ୨ ଜଣ ସ୍ଥାନୀୟ ଅଞ୍ଚଳରେ ଲୁଚି ଯାଇଥିଲେ । ଏହି ଦୁଇ ଜୀବନ୍ତ ଆତଙ୍କୀଙ୍କ ମଧ୍ୟରେ ବୁରହାନ ୱାନିର ଭାଇ ଇମାମ ମଧ୍ୟ ଥିଲା । ତା’କୁ ଆଜି ସକାଳୁ ସୁରକ୍ଷାକର୍ମୀମାନେ ଆତ୍ମସମର୍ପଣ କରିବାକୁ କହିଥିଲେ । ହେଲେ ସେ ତା’ର ଆଉ ଜଣେ ସହଯୋଗୀ ସହ ମିଶି ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲା । ଏହାର ପାଲଟା ଜବାବରେ ଇମାମ ଓ ତା’ର ସହଯୋଗୀ ନିହତ ହୋଇଥିବା ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.