ଆଇନ୍ ଆଗରେ ସମସ୍ତେ ସମାନ

0 75

କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ନରୱେ ପ୍ରଧାନମନ୍ତ୍ରୀଙ୍କୁ ଫାଇନ୍

ଓସଲୋ, ୯ ।୪: କରୋନା ପାଇଁ ଦେଶରେ ଜାରି ହୋଇଥିବା କଟକଣା ସମସ୍ତଙ୍କ ପାଇଁ ସମାନ । ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ବା ରାଷ୍ଟ୍ରପତି ନିୟମ ଭାଙ୍ଗିଲେ ଜୋରିମାନା ଦେବାକୁ ପଡ଼ିବ । ଏହି କଥାକୁ ନରୱେ ପୁଲିସ୍ ଠିକ୍ ଭାବେ ପାଳନ କରିଛି । ନରୱେରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ଉଲ୍ଲଙ୍ଘନ କରିଥିବାରୁ ପୁଲିସ୍ ଖୋଦ୍ ଦେଶର ପ୍ରଧାନମନ୍ତ୍ରୀ ଇରନା ସୋଲବର୍ଜଙ୍କ ନାଁରେ ଚାଲାଣ କାଟିଛି । ସେ ନିଜର ଜନ୍ମଦିନ ପାଇଁ ପରିବାର ଲୋକଙ୍କ ସହ ପାର୍ଟି କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ଇରନା ସମାଜିକ ଦୂରତା ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିଲେ । ଏଥିପାଇଁ ପୁଲିସ୍ ତାଙ୍କ ନାଁରେ ୨୩୫୨ ଡଲାରର ଚାଲାଣ କାଟିଛି । ଏ ସମ୍ପର୍କରେ ପୁଲିସ୍ ମୁଖ୍ୟ ଓଲେ ସାଇଭେରୁଡ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ପାଇଁ ନରୱେ ସରକାର କଟକଣା ଜାରି କରିଛନ୍ତି । କଟକଣା ଅନୁଯାୟୀ ଗୋଟିଏ ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । କିନ୍ତୁ ଫେବୃଆରୀ ଶେଷ ଭାଗରେ ପ୍ରଧାନମନ୍ତ୍ରୀ ଇରନା ନିଜର ୬୦ତମ ଜନ୍ମଦିନ ଗୋଟିଏ ପାହାଡ଼ିଆ ରିଜର୍ଟରେ ପାଳନ କରିଥିଲେ । ଏଥିରେ ତାଙ୍କ ପରିବାରର ୧୩ ଜଣ ସଦସ୍ୟ ଭାଗ ନେଇଥିଲେ । ଏହା ପ୍ରଚଳିତ ନିୟମର ଉଲ୍ଲଙ୍ଘନ ବୋଲି ଜଣାପଡ଼ିବା ପରେ ଗତ ମାସରେ ନରୱେରେ କ୍ରମାଗତ ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହୋଇଥିବା ଇରନା କ୍ଷମା ମାଗିଥିଲେ । ସେ କ୍ଷମା ମାଗିଥିଲେ ହେଁ ପୁଲିସ୍ ତାଙ୍କ ନାଁରେ ଚାଲାଣ କାଟିଛି । ପୁଲିସ୍ ମୁଖ୍ୟ କହିଛନ୍ତି ଆଇନ ଆଗରେ ସମସ୍ତେ ସମାନ । କଟକଣା ଯିଏ ବି ଉଲ୍ଲଙ୍ଘନ କରିବ, ତାଙ୍କ ନାଁରେ ଫାଇନ କଟକାଯିବ । ତେଣୁ ପ୍ରଧାନମନ୍ତ୍ରୀଙ୍କ ନାଁରେ ମଧ୍ୟ ଚାଲାଣ କଟାଯାଇଛି । ଏହାଦ୍ୱାରା ସାଧାରଣ ଲୋକ ମଧ୍ୟ ଅଧିକ ସଚେତନ ହେବେ । ସେମାନଙ୍କର ନିୟମ ଉପରେ ଭରସା ବଢ଼ିବ । ତେବେ ପୁଲିସ୍ ଜନ୍ମଦିନ ପାର୍ଟି ଆୟୋଜନ ହୋଇଥିବା ରେଷ୍ଟୁରାଣ୍ଟକୁ କୌଣସି ଫାଇନ କରିନାହିଁ ।

Leave A Reply

Your email address will not be published.