ଜଙ୍ଗଲି ନିଆଁ ଏବେ ଆୟତ୍ତ ! ହେଲେ ଛଡେଇ ନେଇଛି ବନ୍ୟଜନ୍ତୁ ଓ ପଶୁ ପକ୍ଷୀଙ୍କ ଆହାର

0 67

ମ.ରାମପୁର:୧୨/୪: କଳାହାଣ୍ଡି ଜିଲ୍ଲା ର ମ. ରାମପୁର ଓ ନର୍ଲା ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ କିଛିଦିନ ତଳେ ନିଆଁଲାଗି ସବୁଜ ବନାନୀ ପୋଡି ପାଉଁଶ ହୋଇଯାଉଥିବା ଦେଖିବାକୁ ମିଳୁଛି । ଚାଷ ଜମି ଠାରୁ ଆରମ୍ଭ କରି ଛୋଟ ବଡ଼ ଜଙ୍ଗଲ ପର୍ଯ୍ୟନ୍ତ ଚାରିଆଡେ ଖାଲି ପାଉଁଶ ପଡିରହିଛି । ଧାନ ଅମଳ ପରେ ବିଲରେ ପଡି ରହିଥିବା ନଡ଼ା ପୁଆଲ ସମେତ ବିଲ ହୁଡ଼ାରେ ଥିବା ଅନାବନା ଶୁଖିଲା ଘାସ ସବୁ ପୋଡି ପାଉଁଶ ହୋଇଯାଇଛି । ଯଦ୍ୱାରା ଗାଈଗୋରୁ ଖାଦ୍ୟ ଅଭାବରୁ ଭୋକ ଉପାସରେ ଦିନ କାଟୁଛନ୍ତି । ଏବେ ମ. ରାମପୁର  ଅଂଚଳରେ ନିଆଁ ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ବଡ଼ ବଡ ଗଛ ସବୁକୁ ଛାଡିଦେଲେ ଛୋଟ ଛୋଟ ବୁଦା ଜଙ୍ଗଲ, ଘାସ,ଡାଳପତ୍ର ସବୁ ପୋଡି ପାଉଁଶ ରେ ପରିଣିତ ହୋଇଯାଇଛି । ଜଉ ନିଆଁ କି ମନୁଷ୍ୟକୃତ୍ୟ । ଏବେ ପରିସ୍ଥିତି ରେ ସୁଧାର ଆସିବା ପରେ  ବଡ଼ ବଡ଼ ଗଛ ଗୁଡିକର ଡାଳ ପତ୍ର କିଛି ମାତ୍ରା ରେ କଅଁଲିବା ଆରମ୍ଭ ହେଉଛି । ଏହି ମନୁଷ୍ୟକୃତ ନିଆଁ ବିଭିନ୍ନ ବନ୍ୟଜନ୍ତୁ  ମାନଙ୍କର ଜୀବନ ନେଇ ଯାଇଛି । ଫେବୃଆରୀ ରୁ ମାର୍ଚ୍ଚ ମାସ ମଧ୍ୟରେ ରେ ଯେହେତୁ ପତ୍ରଝଡା ସମୟ  ଗଛର ଶୁଖିଲା ପତ୍ର ଝଡି ଯିବା ପରେ ଆଜିର ସ୍ୱାର୍ଥପର ମଣିଷ ମହୁଲ ଗୋଟାଇବା ଅବା କେନ୍ଦୁପତ୍ର ତୋଳିବା ବା ବିଲ ସଫା କରିବା ବାହାନାରେ ନିଆଁ ଲଗାଇ ଦେଉଥିବାରୁ ପଶୁପକ୍ଷୀଙ୍କ ପାଇଁ ବିପଦ ସୃଷ୍ଟି କରିଛି । ବହୁ ଜଙ୍ଗଲି ଜୀବଜନ୍ତୁ,  ଏବେ ଆଶ୍ରୟ ହରାଇ ଥିବାବେଳେ ପ୍ରକୃତି ଉପରେ ନିର୍ଭର କରୁଥିବା ପଶୁପକ୍ଷୀ, ଗାଈ ଗୋରୁ ଓ ତୃଣଭୋଜି ପ୍ରାଣୀ ମାନଙ୍କର ଆହାର ଛଡାଇ ନେଇଛି ଏ ସ୍ୱାର୍ଥପର ମଣିଷ । ଯା ଫଳରେ କିଛି ବନ୍ୟଜନ୍ତୁ ଏବେ ଗାଁ ମୁହାଁ ହେଉଛନ୍ତି। ମହୁଲ ଗୋଟାଇବା କିମ୍ବା ବିଲ ହୀଡ ର ଅନାବନା ଶୁଖିଲା ଘାସ ସଫା ପାଇଁ କେତେକ ବ୍ୟକ୍ତି ନିଆଁ ଲଗାଉଥିବା କୁହାଯାଉଛି । କିନ୍ତୁ ସେହି ସବୁ ନିଆଁ ସେହି ସ୍ଥାନରେ ସୀମିତ ନ ରହି ଶହ ଶହ ହେକ୍ଟର ଜମିର ନଡ଼ା ପୁଆଲ ପୋଡ଼ି ପାଖ ଜଙ୍ଗଲ ଭିତରକୁ ମାଡିଯାଇ ଜଙ୍ଗଲି ବୃକ୍ଷ କୁ ପାଉଁଶ କରିଦେଇଛି ।ଯା ଫଳରେ ପ୍ରକୃତି ଉପରେ ମଧ୍ୟ ବିପଦ ସୃଷ୍ଟି କରିବାର ଆଶଙ୍କା ରହୁଛି।

Leave A Reply

Your email address will not be published.