କୁମ୍ଭମେଳାରେ କରୋନା ଆତଙ୍କ

0 63

ହରିଦ୍ୱାରରେ ଚିହ୍ନଟ ହେଲେଣି ୨୧୬୭ ସଂକ୍ରମିତ

ହରିଦ୍ୱାର, ୧୫ ।୪: ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ କୁମ୍ଭ ମେଳାରେ କରୋନା ଭାଇରସର ବିସ୍ଫୋରଣ ଦେଖିବାକୁ ମିଳିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ଭୃକ୍ଷେପ କରି ହିନ୍ଦୁ ଧର୍ମର ଲକ୍ଷାଧିକ ଶ୍ରଦ୍ଧାଳୁ ଉତ୍ତରାଖଣ୍ଡର ହରିଦ୍ୱାରରେ ଆୟୋଜିତ କୁମ୍ଭମେଳାରେ ସାମିଲ ହେବାରେ ଲାଗିଛନ୍ତି । କୁମ୍ଭମେଳାରେ ସାମିଲ ହେଉଥିବା ଶ୍ରଦ୍ଧାଳୁ ଓ ସନ୍ଥମାନେ ମାସ୍କ କିମ୍ବା ସାମାଜିକ ଦୂରତା ଅବଲମ୍ବନ କରୁନାହାନ୍ତି । ଏହି କାରଣରୁ ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ସ୍ଥିତି ଏପରି ହୋଇଛି ଯେ ଗତ ୫ ଦିନରେ ହରିଦ୍ୱାରରେ ୨୧୬୭ ଜଣ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କୁମ୍ଭମେଳାରେ ଯୋଗ ଦେଇଥିବା ଶ୍ରଦ୍ଧାଳୁ ଓ ସନ୍ଥଙ୍କ ସଂଖ୍ୟା ୧୭ ଶହରୁ ଅଧିକ ରହିଛି । ଅନେକ ଶ୍ରଦ୍ଧାଳୁ ଓ ସନ୍ଥଙ୍କ ଟେଷ୍ଟ ରିପୋର୍ଟ ଆସିବାକୁ ଥିବାରୁ ସଂଖ୍ୟା ୨ ହଜାର ଟପିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଦିନକୁ ଦିନ କୁମ୍ଭମେଳା ଯୋଗୁଁ ସଂକ୍ରମଣ ବଢ଼ୁଥିଲେ ହେଁ ପ୍ରଶାସନ ଏହାକୁ ବନ୍ଦ କରିବ ନାହିଁ ବୋଲି କହିଛନ୍ତି । ହରିଦ୍ୱାର ଜିଲ୍ଲା ମାଜିଷ୍ଟ୍ରେଟ ଦୀପକ ରାୱତ କହିଛନ୍ତି, ପୂର୍ବରୁ କୁମ୍ଭମେଳା ଜାନୁଆରୀରେ ହେବାର ଥିଲା । କିନ୍ତୁ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଏହାକୁ ଏପ୍ରିଲରୁ ଆରମ୍ଭ କରିଛନ୍ତି । ଏବେ ଏହାର ଧାର୍ଯ୍ୟ ସମୟକୁ ହ୍ରାସ କରାଯିବାର କୌଣସି ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି । ବୁଧବାର ହରିଦ୍ୱାରରେ ୫୨୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ସେହିପରି ୨ ଜଣ କରୋନାରେ ପ୍ରାଣ ମଧ୍ୟ ହରାଇଥିଲେ । ଜିଲ୍ଲାରେ ଆକ୍ଟିଭ କେସ୍ ସଂଖ୍ୟା ୩,୧୭୯ ରହିଛି । ମଙ୍ଗଳବାର ଜିଲ୍ଲାରେ ୫୯୪ ଓ ସୋମବାର ୪୦୮ ଜଣ କାରୋନାରେ ସଂକ୍ରମିତ ହୋଇଥିଲେ । ଗତ ୫ ଦିନରେ ମୋଟ ୨୧୬୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । କୁମ୍ଭମେଳାରେ ଦୈନିକ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବାରୁ ସମସ୍ତଙ୍କ ଟେଷ୍ଟ କରିବା ମଧ୍ୟ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏପ୍ରିଲ ୧୩ ଓ ୧୪ରେ ଶାହି ସ୍ନାନ ବା ବୁଡ଼ ପକାଇବାକୁ ଆସିଥିବା ମାତ୍ର ୩୯ ହଜାର ଲୋକଙ୍କ ଟେଷ୍ଟ ହୋଇପାରିଛି । କୋର୍ଟ ୫୦ ହଜାର ଟେଷ୍ଟ ଦୈନିକ କରିବାକୁ କହିଥିଲେ ହେଁ ଉତ୍ତରାଖଣ୍ଡ ସରକାର ଏହି ଟାର୍ଗେଟରୁ ବହୁ ଦୂରରେ ରହିଛନ୍ତି । ସ୍ଥିତି ଦିନକୁ ଦିନ ବିଗୁଡ଼ୁଥିଲେ ହେଁ କେହି ବି ଏଥିପ୍ରତି ଯତ୍ନବାନ ହେଉନାହାନ୍ତି । ଫଳରେ କରୋନାର ଦ୍ୱିତୀୟ ଲହରୀ ଉତ୍ତରାଖଣ୍ଡ ସହ ସମଗ୍ର ଦେଶରେ ଉଗ୍ର ରୂପ ଧାରଣ କରିବାରେ ଲାଗିଛି ।

Leave A Reply

Your email address will not be published.