ପାକିସ୍ତାନରେ ଜନବିରୋଧୀ ଅସନ୍ତୋଷ ତୀବ୍ର

0 65

ପୋଲିସ-ଜନତା ଖଣ୍ଡଯୁଦ୍ଧ,୭ ମୃତ, ୩୦୦ରୁ ଅଧିକ ଆହତ

ଇସ୍ଲାମାବାଦ, ୧୫ ।୪: ପାକିସ୍ତାନରେ ସରକାର ବିରୋଧୀ ଜନ ଅସନ୍ତୋଷ ପ୍ରବଳ ହୋଇଛି । ଫଳରେ ମୌଳବାଦୀ ଇସ୍ଲାମ ସଙ୍ଗଠନ ତେହେରିକ-ଏ-ଲବକ୍ ପାକିସ୍ତାନ (ଟିଏଲପି) ନେତୃତ୍ୱରେ ଜନତା ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ବେଳେ ବିଭିତ୍ତ ସ୍ଥାନରେ ପୋଲିସ ଓ ଜନତା ଖଣ୍ଡଯୁଦ୍ଧ ଲାଗି ରହିଛି । ପ୍ରାୟ ୩ ଦିନ ପୂର୍ବେ ବିକ୍ଷୋଭ ବେଳେ ସାମାନ୍ୟ ହିଂସାକାଣ୍ଡ ଉପୁଜିଥିଲା । ହେଲେ ଏହା ଏବେ ସାରା ଦେଶରେ ବନାଗ୍ନି ଭଳି ବ୍ୟାପି ଯାଇଛି । ଏହି ହିଂସାକାଣ୍ଡ ଗତବର୍ଷ ଫରାସୀ ମ୍ୟାଗଜିନ୍ରେ ପ୍ରକାଶିତ ପୈଗମ୍ବର ମହମ୍ମଦଙ୍କ ବ୍ୟଙ୍କ ଚିତ୍ର ପ୍ରସଙ୍ଗରେ ଇମ୍ରାନ ସରକାରଙ୍କ ମନବୃତ୍ତି ବିରୋଧରେ ବ୍ୟାପୁଛି । ପ୍ରସଙ୍ଗରେ ମୌଳବାଦୀ ସଙ୍ଗଠନ ପାକିସ୍ତାନ ସରକାରଙ୍କୁ ଡେଡଲାଇନ ଦେଇଥିଲା । ତେବେ ତା ପୂର୍ବରୁ ପାକ୍ ପୋଲିସ ସଙ୍ଗଠନର କାର୍ଯ୍ୟକର୍ତ୍ତା ସାଦ ହୁସେନ ରିଜଭିଙ୍କୁ ଗିରଫ କରିବା ଏଭଳି ପରିସ୍ଥିତି ସୃଷ୍ଟି କରିଛି । ଦେଶର ବିଭିତ୍ତ ସ୍ଥାନରେ ବହୁସଂଖ୍ୟାରେ ଲୋକେ ଏକଜୁଟ୍ ହୋଇ ସରକାରଙ୍କ ବିରୋଧରେ ନାରାବାଜୀ ସହ ବିକ୍ଷୋଭ ଓ ପୋଡାଜଳା ଚଳାଇଛନ୍ତି । ପରିସ୍ଥିତିକୁ ଆୟତ୍ତ କରିବା ଲାଗି ସରକାର ଏବେ ସେନାର ସହାୟତା ନେବା ଗୃହଯୁଦ୍ଧଭଳି ଅବସ୍ଥା ସୃଷ୍ଟି କରିଛି । ଲଗାତାର ତୃତୀୟ ଦିନ ଦେଶରେ ରକ୍ତାକ୍ତ ସଂଘର୍ଷକୁ ନେଇ ୧୯୯୭ ଆତଙ୍କବାଦ ନିରୋଧୀ ଅଧିନିୟମର ଧାରା ୧୧-ବିରେ ଟିଏଲପିକୁ ଦେଶରେ ନିଷିଦ୍ଧ କରିବା ଲାଗି ପଞ୍ଜାବ ସରକାରଙ୍କ ପ୍ରସ୍ତାବକୁ ଇମ୍ରାନ ସରକାର ମଞ୍ଜୁର କରିଛନ୍ତି । ଫଳରେ ଦେଶରେ ମୌଳବାଦୀ ସଂଗଠନ ନିଷିଦ୍ଧ ହୋଇଯାଇଥିବା ବେଳେ ଜନଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି । ଫରାସୀ ପତ୍ରିକା ପୈଗମ୍ବର ମହମ୍ମଦଙ୍କ ବ୍ୟଙ୍ଗଚିତ୍ର ପ୍ରକାଶ କରିବା ଘଟଣାକୁ ଟିଏଲପି ଗତବର୍ଷ ଦେଶରେ ତୀବ୍ର ବିରୋଧ କରିଥିଲା । ଏହା ସହ ଦେଶରେ ଥିବା ଫରାସୀ ରାଷ୍ଟ୍ରଦୂତଙ୍କୁ ଏପ୍ରିଲ ୨୦ ସୁଧା ନିଷ୍କାଷିତ କରିବା ଲାଗି ସରକାରଙ୍କୁ ଅଲ୍ଟିମେଟମ ଦେଇଥିଲା । ତେବେ ସରକାର ସେ ବାବଦରେ କୌଣସି ନିଷ୍ପତ୍ତି ନେବା ବଦଳେ ଟିଏଲପି ନେତା ରିଜଭିଙ୍କୁ ଗରିଫ କରିଛନ୍ତି । ଏହାକୁ ନେଇ ସାରା ଦେଶରେ ଟିଏଲପି ସମର୍ଥମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହିଂସା ଭିଆଉଛନ୍ତି । ଗତ ସୋମବାର ରିଜଭିଙ୍କୁ ପୋଲିସ ଗିରଫ କରିଥିଲା । ତା ପରଠାରୁ ବିଭିନ୍ନ ସ୍ଥାନରେ ଲୋକେ ଏକତ୍ରିତ ହେବା ସହ ସରକାରଙ୍କୁ ବିରୋଧ କରିବା ସହ ପୋଡାଜଳା ଆରମ୍ଭ କରିଥିଲେ । ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ବିଭିନ୍ନ ସ୍ଥାନରେ ସଙ୍ଗଠନର ୨ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଥିବା ବେଳେ ହିଂସା ଉଗ୍ର ହେବାରେ ଲାଗିଛି । ତେବେ ଦେଶର ମୁଖ୍ୟ ସଡକମାର୍ଗ ଓ ଛକଗୁଡିକୁ ସରକାର ବିକ୍ଷୋଭକାରୀଙ୍କ କବଳରୁ ମୁକ୍ତ କରିଥିବାର ସୂଚନା ମିଳୁଛି ।

Leave A Reply

Your email address will not be published.