ଦେଶରେ ତାଣ୍ଡବ ରଚୁଛି ମହାମାରୀ : ପ୍ରତି ମିନିଟ୍ରେ ୧୧୭ ମାମଲା, ଘଣ୍ଟାକେ ଯାଉଛି ୩୮ ଜୀବନ

PATNA, APR 14 (UNI):- Migrants arrived at Patna railway station to go to their native place, amid rise in COVID-19 cases, in Patna on Thursday. UNI PHOTO-88U
61

ନୂଆଦିଲ୍ଲୀ : କରୋନା ଭାଇରସ୍ ଜନିତ ମହାମାରୀ ବ୍ୟାପିବା ଦିନଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ପ୍ରଥମ କରି ୨ ଲକ୍ଷ ଟପିବା ସହ ଦେଶରେ ମାତ୍ର ୧୦ ଦିନ ମଧ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୨ଗୁଣ ହୋଇଯାଇଛି । ପ୍ରତି ମିନିଟ୍ରେ ଦେଶରେ ୧୧୭ ସଂକ୍ରମଣ ମାମଲା ଆସୁଥିବା ବେଳେ ପ୍ରତି ଘଣ୍ଟାରେ ଯାଉଛି ୩୮ ଜୀବନ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ଘଣ୍ଟା ମଧ୍ୟରେ ୨୦୦,୭୩୯ କରୋନା ଭାଇରସ୍ ଜନିତ ନୂତନ ସଂକ୍ରମଣ ଓ ୧,୦୩୮ ମୃତ୍ୟୁ ରେକର୍ଡ କରାଯାଇଛି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୪୦,୭୪,୫୬୪ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ହୋଇଥିବା ୧,୦୩୮ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୭୩,୧୨୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୯୩,୫୨୮ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୨୪,୨୯, ୫୬୪ ।

ଏହାଛଡ଼ା ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୪,୭୧,୮୭୭ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୧,୪୪,୯୩,୨୩୮ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଆଇସିଏମ୍ଆର୍ କହିବା ଅନୁସାରେ ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଏପ୍ରିଲ୍ ୧୪ ସୁଦ୍ଧା ସମୁଦାୟ ୨୬,୨୦,୦୩,୪୧୫ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୩,୮୪,୫୪୯ଟି ନମୁନା ।

ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ସ୍ଥିତି ଅଣାୟତ୍ତ ହେବାରୁ ଦିଲ୍ଲୀ ସରକାର ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରିଛନ୍ତି । ତବେ କର୍ଫ୍ୟୁ ସମୟରେ ଆପାତକାଳୀନ ସେବା ଜାରି ରହିବ ବୋଲି ସେ କହିଛନ୍ତି । ସର୍ବସାଧାରଣ ସ୍ଥାନରେ ମଲ, ସ୍ପା, ଅଡିଟୋରିୟମ୍ ଏବଂ ଜିମ୍ ବନ୍ଦ କରିବା ପାଇଁ ଆଦେଶ ଦିଆଯାଇଛି । ଅବଶ୍ୟ ସିନେମା ହଲ ୩୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ।

Comments are closed.