ଜନସ୍ୱାସ୍ଥ୍ୟ ବିଭାଗର ବିଚିତ୍ର ନୀତି : ଟାଙ୍କି ଅଛି ପାଣି ନାହିଁ , ବଢ଼ୁଛି ଜନଅସନ୍ତୋଷ

75

ବୁଗୁଡ଼ା : ବୁଗୁଡ଼ା ୨ନଂ ଓ ୩ନଂ ୱାର୍ଡରେ ଉକ୍ରଟ ପାଣି ସମସ୍ୟା ଦେଖାଦେଇଛି । ପାଣି ଯୋଗାଇବା ପାଇଁ ଦଶଦିନ ହେଲା ଏକ ବଡ଼ ଫାଇବର୍ ଟାଙ୍କି ଆଣି ଥୋଇଛି ଜନସ୍ୱାସ୍ଥ୍ୟ ବିଭାଗ । କିନ୍ତୁ ଟାଙ୍କିରେ ପାଣି ରଖାଯାଉନି । ଖାଲି ଟାଙ୍କି ଦେଖି ଦେଖି ଲୋକେ ନୟାନ୍ତ । ଏନ୍ଏସି କର୍ତ୍ତୃପକ୍ଷଙ୍କୁ ଗୁହାରି କଲେ କହୁଛନ୍ତି ପାଣି ଯୋଗାଣ ଦାୟିତ୍ୱ ଜନସ୍ୱାସ୍ଥ୍ୟ ବିଭାଗ ହାତରେ । ଆମେ କିଛି କରିପାରିବୁ ନାହିଁ ।

ଜନସ୍ୱାସ୍ଥ୍ୟ ବିଭାଗର ବୁଗୁଡ଼ା ଏନ୍ଏସି ଦାୟିତ୍ୱରେ ଥିବା ଜେଇ ଅତିରିକ୍ତ ଭାବେ କୋଦଳା ଏନ୍ଏସିର ଦାୟିତ୍ୱରେ ଥିବାରୁ କଙ୍କଡାକୁ ଗୋଳିଆ ପାଣି ସୁହାଇବା ପ୍ରକାରେ ବୁଗୁଡ଼ାରେ ଜନସ୍ୱାସ୍ଥ୍ୟ ବିଭାଗ ଜେଇଙ୍କ ଭଲଭାବେ ଦେଖାମିଳୁନି । ଲୋକେ ଗୁହାରି କରିବେ କାହାକୁ ! ସେ ଦୁଇଟି ଏନ୍ଏସିର ଦାୟିତ୍ୱ ତୁଲାଇବାରେ ଅକ୍ଷମ ଏହା ନିରାଟ ସତ୍ୟ । ଦୀର୍ଘ ଦେଢ଼ ମାସ ହେଲା ବୁଗୁଡ଼ା ଏନ୍ଏସିର ବିଭିନ୍ନ ୱାର୍ଡରେ ପାଣି ସମସ୍ୟା ଥିବାବେଳେ ୨ନଂ ଓ ୩ନଂ ୱାର୍ଡରେ ପିଇବା ପାଣି ସମସ୍ୟା ଉକ୍ରଟ ହୋଇଛି ।

ଏହି ଦୁଇଟି ୱାର୍ଡରେ ୧୨ଟି ବଡ଼ ସାହି ରହିଥିବା ବେଳେ ପାଣି ପାଇଁ ଆଜିଠୁ ଡହଳ ବିକଳ ହେଉଛନ୍ତି ଲୋକେ । ପୂର୍ବ ବର୍ଷମାନଙ୍କରେ ଏହି ସାହିଗୁଡିକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ହେଉଥିଲା । ମାତ୍ର ଚଳିତବର୍ଷ ଜଳସମସ୍ୟା ବର୍ତ୍ତମାନଠାରୁ ଦେଖାଦେଇଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖାଲି ଟାଙ୍କିଗୁଡିକ ରଖି ଚୁପ୍ ରହିବା ଯୋଗୁଁ ଲୋକମାନେ ପାଣି ପାଇଁ ହଟହଟା ହେଉଛନ୍ତି ।

ଦୀର୍ଘ ଦିନ ହେଲା ବର୍ଷା ନହେବା ଯୋଗୁଁ ଶୁଖିଗଲାଣି ନଈ,କୂଅ ଓ ପୋଖରୀ । ଏବେ କେବଳ ଜନସ୍ୱାସ୍ଥ୍ୟ ବିଭାଗ ହିଁ ଭରସା ହୋଇଥିବା ବେଳେ ବିଭାଗୀୟ ଅବହେଳା ଚରମ ସୀମାରେ ପହଞ୍ଚିଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି । ଜନସ୍ୱାସ୍ଥ୍ୟ ବିଭାଗ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦୃଢ଼ ଦାବି ହେଉଛି ।

Comments are closed.