ବାଇକକୁ ଧକ୍କା ଦେଲା ଟାଟା ଏସି ଗାଡି, ବାଇକ ଚାଳକ ମୃତ

0 71

ବୁଗୁଡା-ବୁଗୁଡା ଥାନା ଅନ୍ତର୍ଗତ କରଚୁଲି ପାଞ୍ଚାୟତର ଭାବସର ନିକଟବର୍ତ୍ତୀ କଣ୍ଟାବଣୀ ଛକରେ ଓଡ଼ି ୩୨-୫୭୭୬ ନମ୍ବର ବାଇକ୍ କୁ ଓଡ଼ି ୦୭ ଏଜି ୫୬୨୮ ନମ୍ବରର ଟାଟା ଏସି ଗାଡି ଧକ୍କା ଦେବାରୁ ଘଟଣା ସ୍ଥଳରେ ହିଁ ବାଇକ ଚାଳକ ଜଣକଙ୍କ ମୃତ୍ୟୁ ଘଟିଥିବା ବେଳେ ପଛରେ ବସିଥିବା ୪ ବର୍ଷର ଜଣେ ବାଳକ ଆଶ୍ଚର୍ଯ୍ୟ ଜନକ ଭାବେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଘଟଣାରୁ ଜଣା ପଡିଛିଯେ ଭାବସର ନିକଟ ମନ୍ଦିରରେ ଏକ ମାନସିକ ପୂଜାରେ ଯୋଗଦେବାକୁ କେତେକ ଲୋକ ଆସିଥିଲେ। ଯେଉଁବ୍ୟକ୍ତି ମାନସିକ ପୂଜା କରୁଥିଲେ ତାଙ୍କ ଭାଇ ଠିକାଦାର କାର୍ଯ୍ୟ କରୁଥିବା ବେଳେ ଭଞ୍ଜନଗର ଲାଲସିଙ୍ଗ ଗ୍ରାମର ତ୍ରିଲୋଚନ ରାଉତ(୪୨) ଠିକାଦାରଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ।ଠିକାଦାର ଶ୍ରୀ ପ୍ରଧାନଙ୍କ ପୁଅ କୃଷ୍ଣଚନ୍ଦ୍ର ପ୍ରଧାନ କୁରୁକୁରି ଖାଇବା ପାଇଁ ଜିଦ କରିବାରୁ ନିଜ ମାଲିକଙ୍କ ପୁଅ କୃଷ୍ଣଙ୍କୁ ବାଇକ ପଛରେ ବସାଇ ମନ୍ଦିରରୁ କଣ୍ଟାବଣୀ ଗ୍ରାମକୁ ଆସିଥିଲେ। ସେଠି କୁରୁକୁରି କିଣିବା ପରେ ତ୍ରିଲୋଚନ ରାଉତ ବାଇକ ଚଳାଇ ଗ୍ରାମରୁ ରାସ୍ତାକୁ ବାହାରିବା ସମୟରେ ବୁଗୁଡା ଦିଗରୁ କରସିଙ୍ଗି ଦିଗକୁ ଯାଉଥିବା ଟାଟା ଏସି ଗାଡି ବାଇକ୍ କୁ ଧକ୍କା ଦେଇଥିଲା। ଯାହା ଫଳରେ ତ୍ରିଲୋଚନ ଫୋପାଡ଼ି ହୋଇ ରାସ୍ତାରେ ପଡି ମୁଣ୍ଡକୁ ମାଡ଼ ହେବା ଯୋଗୁଁ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ। ଆଶ୍ଚର୍ଯ୍ୟ ଘଟଣା ଏତେବଡ ଦୁର୍ଘଟଣା ଘଟିଥିଲେ ମଧ୍ୟ ପଛରେ ବସିଥିବା ମାଲିକଙ୍କ ପୁଅ କୃଷ୍ଣ ସାମାନ୍ୟ ଆହତ ହୋଇ ସୁରକ୍ଷିତ ଥିଲେ। କଥା ଅଛି ରଖେ ହରି ମାରେ କିଏ ? ଏହି ଖବର ପ୍ରଚାର ହେବା ପରେ ଲୋକମାନେ ରାସ୍ତାରୋକ କରିଥିଲେ। ଘଟଣା ସ୍ଥଳକୁ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା, ଏସଆଇ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଓ ସ୍ଥାନୀୟ ସରପଞ୍ଚ ଧୋବା ପ୍ରଧାନ ପହଞ୍ଚି ଲୋକଙ୍କୁ ବୁଝାଇ ରାସ୍ତାରୋକ ହଟାଇବା ସହ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡ଼ିକାଲକୁ ତ୍ରିଲୋଚନ ରାଉତାଙ୍କୁ ଆଣିଥିଲେ। ଡାକ୍ତର ମୃତ୍ୟୁ ଘୋଷଣା କଲା ପରେ ବୁଗୁଡା ପୋଲିସ ତ୍ରିଲୋଚନ ରାଉତଙ୍କ ମର ଶରୀର ଜବତ କରି ବୁଗୁଡା ଥାନା କେଶ ନଂ ୧୭୩/୨୧ ପ୍ରକାରେ ଏକ ମାମଲା ରୁଜୁ କରିବା ସହ ଟାଟା ଏସି ଗାଡିକୁ ଜବତ କରି, ଦିଗପହଣ୍ଡି ଅଞ୍ଚଳର ଗାଡି ମାଲିକ ତଥା ଡ୍ରାଇଭର ଏମ.ସୀମାଞ୍ଚଳ ପାତ୍ରଙ୍କୁ ଗିରଫ କରାଯାଇଥିବା ଆଇଆଇସି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.