ଆଜି ଠାରୁ ନାଇଟ କର୍ଫ୍ୟୁ ଘୋଷଣା କଲା ପ୍ରଶାସନ

0 65

ପାରଳାଖେମୁଣ୍ଡି, ୧୭ା୪ : ରାଜ୍ୟ ସରକାର ତଥା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ୧୭ତାରିଖ ଶନିବାର ଠାରୁ ସହରାଞ୍ଚଳରେ ରାତ୍ର ୯ଘଣ୍ଟା ଠାରୁ ସକାଳ ୫ଘଣ୍ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରାଞ୍ଚଳ ଏବଂ କାଶୀନଗର ସହରରେ ଏହା ଲାଗୁ ହୋଇଛି । ଗଜପତି ଜିଲ୍ଲା ପ୍ରଶାସନ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁକୁ ବଳବତ୍ତର ରହିବ ବୋଲି ବିଜ୍ଞପ୍ତି ଜାରି କରିଛି । ଏହି ନାଇଟ କର୍ଫ୍ୟୁ ସମୟରେ ଲୋକେ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ନାମା ଜାରି ହୋଇଛି । ଜରୁରୀକାଳୀନ ପରିସ୍ଥିତିରେ ଯଦି କେହି ବାହାରକୁ ବାହାରନ୍ତି ତେବେ ସେ କୌଣସି ପରିଚୟ ପତ୍ର କିମ୍ବା ଯାତାୟତର ବିବରଣୀ ଦସ୍ତାବିଜ ଦେଖାଇ ଯାତାୟତ କରିପାରିବେ ବୋଲି କୁହାଯାଇଛି । ସେହିପରି ଶନିବାର ଦିନ ଠାରୁ ସମସ୍ତ କୋଚିଙ୍ଗ ସେଣ୍ଟର କିମ୍ବା ଶିକ୍ଷାନୁଷ୍ଠାନ ଗୁଡିକରେ କୌଣସି ତାଲିମ ବା ଟିୟୁସନ କରିପାରିବେ ନାହିଁ । ଏହାସହ ଆସନ୍ତା ୧୯ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନ, ଛାତ୍ରାବାସ ଆଦିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପୂଜା କାର୍ଯ୍ୟକ୍ରମ, ବାହାଘର, ସାଂସ୍କୃତିକ କାର୍ଯ୍ୟକ୍ରମ, ରାଜନୈତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଗୁଡିକ ନିମନ୍ତେ ଅନୁମତି ନେବା ସହ ଏଥିରେ ବହୁ ସଂଖ୍ୟକ ଲୋକଙ୍କ ଉପସ୍ଥିତିକୁ କଟକଣା କରାଯାଇଛି । ଏହି ସମସ୍ତ ସୂଚନା ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.