କନ୍ଧମାଳ ଜିଲ୍ଲାରେ କୋଭିଡ଼ ସଂକ୍ରମଣ ଦୃତ ଗତିରେ ବଢୁଛି, ନୂଆ ୧୬ ସଂକ୍ରମିତ ଚିହ୍ନଟ : ପ୍ରଶାସନର କଟକଣା

66

କନ୍ଧମାଳ : କନ୍ଧମାଳ ଜିଲ୍ଲାରେ କରୋନା ଭୁତାଣୁର ନୂତନ ପ୍ରତିରୂପର ଦୃତ ଓ କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣର ପ୍ରତିରୋଧ ପାଇଁ ଏବଂ ଏଥିରୁ ଜିଲ୍ଲାର ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ସହିତ ସେମାନଙ୍କ ଜୀବନ ଓ ଜୀବିକା ଯେପରି ବ୍ୟାହତ ନହୁଏ, ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କୋଭିଡ଼୍ ନିର୍ଦ୍ଦେଶାବଳୀ ଗୁଡ଼ିକର ସଠିକ ଅନୁପାଳନ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶାବଳୀ ଜାରୀ କରାଯାଇଛି ।

କନ୍ଧମାଳ ଜିଲ୍ଲାର ସହରାଚଂଳ ଗୁଡ଼ିକରେ ଚଳିତ ମାସ ୧୭ ତାରିଖ ଠାରୁ ୩୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ପ୍ରତ୍ୟେହ ରାତ୍ର ୯ ଟାରୁ ଭୋର୍ ୫ ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ବଳବତର ରହିବ । ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବା ସହିତ ସଂଶ୍ଳିଷ୍ଟ କାର୍ଯ୍ୟରତ ପଦାଧିକାରୀ ଓ କର୍ମଚାରୀ, ଔଷଧ ବ୍ୟବସାୟ, ଯାତ୍ରୀ ଓ ମାଲ୍ ପରିବହନ ଯାନ ଏବଂ ସମ୍ବାଦ ସଂଗ୍ରହ ଉଦ୍ଦେଶ୍ୟରେ ନିୟୋଜିତ ଗଣମାଧ୍ୟମକୁ ଏହି କଟକଣାରୁ ବାଦ୍ ରଖାଯାଇଛି ।

କିନ୍ତୁ, ଏହି ବର୍ଗର ବ୍ୟକ୍ତିବିଶେଷଙ୍କ ପାଇଁ ସେମାନଙ୍କ ଅନୁଷ୍ଠାନ ଦ୍ୱାରା ପ୍ରଦତ ପରିଚୟ ପତ୍ର, ଯାତ୍ରା ସମ୍ପର୍କୀତ ଯାନ ଟିକେଟ, ଚିକିତ୍ସା ସହିତ ଜଡ଼ିତ ଆବଶ୍ୟକୀୟ କାଗଜପତ୍ର ଆଦି ଯାଂଚ୍ ସମୟରେ ପ୍ରଦର୍ଶନ କରିବାକୁ ହେବ । ସାଧାରଣତଃ, ହାଟ ବଜାର ଆଦି ଜନଗହଳି ପୂର୍ଣ୍ଣ ସ୍ଥାନଗୁଡ଼ିକ ସଂକ୍ରମଣର ମୁଖ୍ୟ ମାଧ୍ୟମ ହୋଇଥିବାରୁ, ଫୁଲବାଣୀ ସହରର ସେହିସବୁ ସ୍ଥାନ ମାନଙ୍କରେ କୋଭିଡ଼୍ ଉପଯୁକ୍ତ ଆଚରଣ ଯଥାଯଥ ପାଳନ ଏବଂ କର୍ଫ୍ୟୁ ଆଦେଶନାମାର ସଠିକ୍ ଅନୁପାଳନ ସମ୍ପର୍କରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ତହସିଲଦାର, ଉପଖଣ୍ଡ ପୋଲିସ୍ ଅଧିକାରୀ, ଫୁଲବାଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ, ଜିଲ୍ଲା ବେସାମରିକ ଯୋଗାଣ ବିଭାଗୀୟ ପଦାଧିକାରୀ, ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକର କର୍ମକର୍ତା ଆଦିଙ୍କ ଉପସ୍ଥିତିରେ ଆୟୋଜିତ ଉକ୍ତ ବୈଠକରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ସାହୁ ଅଧ୍ୟକ୍ଷତା କରି, କରୋନା ଭୂତାଣୁର ଏହି ନୂତନ ପ୍ରତିରୂପର ଭୟାବହତାରୁ ଆମକୁ ଉଭୟ ଜୀବନ ଓ ଜୀବିକାକୁ ବଂଚାଇବାକୁ ହେବ ବୋଲି କହିଥିଲେ ।

ଏଥିସହିତ, ଏହି ନୂତନ ପ୍ରତିରୂପ ସମସ୍ତ ବୟସର ବ୍ୟକ୍ତିବିଶେଷ ବିଶେଷ କରି, ଯୁବବର୍ଗଙ୍କ ପ୍ରତି ଅଧିକ ବିପଦଜନକ ହୋଇଥିବାରୁ ଏ ଦିଗରେ ଅଧିକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏଣୁ, ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ଏବଂ ମାସ୍କର ସଠିକ ବ୍ୟବହାର ଉପରେ ଦୃଷ୍ଟି ଦେବାକୁ ବ୍ୟବସାୟୀ ସଂଘର କର୍ମକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ବ୍ୟବସାୟିକ ପ୍ରତିଷ୍ଠାନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଯେପରି ସଠିକ୍ ଭାବେ ମାସ୍କ ପରିଧାନ କରିବେ, ସେ ଦିଗରେ ଦୃଷ୍ଟି ଦେବା ସହିତ ଗ୍ରାହକମାନଙ୍କ ପାଇଁ \”ମାସ୍କ ନାହିଁ ତ, ସାମଗ୍ରୀ ନାହିଁ\” ନୀତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । 

ସେହିପରି, ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ଗ୍ରାହକ ପଞ୍ଜିକା ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିବା ସହିତ ଦୋକାନକୁ ଆସୁଥିବା ସମସ୍ତ ଗ୍ରାହକ ଯେପରି ସେଥିରେ ନିଜର ନାମ, ଠିକଣା ଏବଂ ଟେଲିଫୋନ୍ ନଂ. ଉଲ୍ଲେଖ କରିବେ ସେଥିପ୍ରତି ବିଶେଷ ଭାବେ ଦୃଷ୍ଟି ଦେବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ । ଏତଦ୍ ବ୍ୟତୀତ, ରାତ୍ର ୯ ଟାରୁ କର୍ଫ୍ୟୁ ଲାଗୁ କରାଯାଉଥିବାରୁ ୮ ଟା ୩୦ ସୁଦ୍ଧା ଦୋକାନ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ଫୁଲବାଣୀ ପୌର ପରିଷଦ ପରିସୀମା ମଧ୍ୟରେ ଥିବା ୨୭ ଟି ବଜାର କମିଟିର କର୍ମକର୍ତାଙ୍କୁ ମଧ୍ୟ ସେ ପରାମର୍ଶ ଦେଇଥିଲେ ।ହାଟ ବଜାର ଆଦି ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ କୋଭିଡ଼୍ ଉପଯୁକ୍ତ ଆଚରଣର ସଠିକ୍ ଅନୁପାଳନ ଉଦ୍ଦେଶ୍ୟରେ ପ୍ରଶାସନିକ ସ୍ତରରେ ମଧ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଉଭୟ ବ୍ୟବସାୟିକ ପ୍ରତିଷ୍ଠାନ ଓ ଗ୍ରାହକ ମାନଙ୍କ ପାଇଁ ସାମାଜିକ ଦୂରତା ଏବଂ ମାସ୍କର ସଠିକ୍ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସେ ସବୁର ଉଲଙ୍ଘନକୁ ଫୌଜଦାରୀ ମାମଲା ଭାବେ ବିଚାର କରାଯାଇ, ଉଭୟ ବ୍ୟବସାୟିକ ପ୍ରତିଷ୍ଠାନ ଓ ଗ୍ରାହକ ମାନଙ୍କଠାରୁ ଜୋରିମାନା ଆଦାୟ ଉପରେ ଗୁରୁତ୍ୱାରୋପ କରାଯାଇଛି ।

ଆବଶ୍ୟକ ସ୍ଥଳେ, ବ୍ୟବସାୟ ପ୍ରତିଷ୍ଠାନକୁ ସିଲ୍ କରାଯିବ କିମ୍ବା ଟ୍ରେଡ଼୍ ଲାଇସେନ୍ସ ବାତିଲ୍ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଫଳ, ପନିପରିବା ଓ ମାଛ ବ୍ୟବସାୟ ସହିତ ସଂଶ୍ଳିଷ୍ଟ ଉଠାଦୋକାନୀ ମାନଙ୍କ ମଧ୍ୟରେ ୩୦ ଫୁଟ ବ୍ୟବଧାନ ରହିବ । ସଂନ୍ଧ୍ୟାରେ ଚାଟ୍‌, ଗୁପ୍‌ଚୁପ୍‌, ଫାଷ୍ଟଫୁଡ଼୍‌, ଆଦି ଉଠାଦୋକାନୀ ମାନଙ୍କ କ୍ଷେତ୍ରରେ ମଧ୍ୟ ଏହା କାର୍ଯ୍ୟକାରୀ କରାଯିବ । ଗ୍ରାହକମାନଙ୍କ ମଧ୍ୟରେ ଯେପରି ସାମାଜିକ ଦୂରତା ବ୍ୟାହତ ନହୁଏ, ସେଥିପାଇଁ ପ୍ରତ୍ୟେକ ସ୍ଥାୟୀ ଦୋକାନ ଏବଂ ଉଠାଦୋକାନ ସମ୍ମୁଖରେ ପୌର ପରିଷଦ ତରଫରୁ ଗ୍ରାହକମାନଙ୍କ ପାଇଁ ସ୍ଥାନ ନିରୂପଣ କରାଯିବ ।

ବିଜୁ ପଟ୍ଟନାୟକ ଛକସ୍ଥିତ ଦୈନିକ ହାଟରେ ଜନଗହଳିକୁ ନିୟନ୍ତ୍ରୀତ କରିବା ଦିଗରେ ବିଶେଷ ପଦକ୍ଷେପ ଗ୍ରହଣ କରାଯିବ । ଗାନ୍ଧୀ ଛକ ଠାରୁ ଡି.ଆର୍‌.ଡି.ଏ. ଛକ ପର୍ଯ୍ୟନ୍ତ ଗୋଟିଏ ପାଖ ରାସ୍ତାକୁ ବ୍ୟବସାୟ ଉଦ୍ଦେଶ୍ୟରେ ଏବଂ ଅନ୍ୟ ପାଖ ରାସ୍ତାକୁ ଯାତାୟତ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ । ଏତଦ୍ ବ୍ୟତୀତ, ପୂର୍ବାହ୍ନ ଓ ଅପରାହ୍ନରେ ଫୁଲବାଣୀ ସହରର ୫ ଟି ଲେଖାଏଁ ସର୍ବାଧିକ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରାଯାଇଛି । ସେହିସବୁ ସ୍ଥାନମାନଙ୍କରେ କୋଭିଡ଼୍ ସଚେତନତା ଏବଂ ନିର୍ଦ୍ଦେଶାବଳୀ ଉଲଙ୍ଘନ କ୍ଷେତ୍ରରେ ଜୋରିମାନା ଆଦାୟ ପାଇଁ ଜିଲ୍ଲା ବେସାମରିକ ଯୋଗାଣ ବିଭାଗକୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି । ଏଥି ସହିତ, ସ୍ଥାନୀୟ ରାଜସ୍ୱ ପ୍ରଶାସନ, ପୋଲିସ୍ ପ୍ରଶାସନ ଏବଂ ପୌର ପାଳିକାକୁ ମଧ୍ୟ ଅନୁରୂପ କ୍ଷମତା ପ୍ରଦାନ କରାଯାଇଛି । ସେମାନେ ମଧ୍ୟ କୋଭିଡ଼୍ ସଂକ୍ରମଣ ନିୟନ୍ତ୍ରଣ କ୍ଷେତ୍ରରେ ପୂର୍ବପରି କାର୍ଯ୍ୟ କରିବା ସହିତ ଆବଶ୍ୟକ ସ୍ଥଳେ ବେସାମରିକ ଯୋଗାଣ ବିଭାଗର କ୍ଷମତାସମ୍ପନ୍ନ ଅଧିକାରୀଙ୍କୁ ଆବଶ୍ୟକୀୟ ସହଯୋଗ କରିବେ ।

Comments are closed.