କରୋନା ସ୍ଥିତି ସଙ୍ଗୀନ : ଦିନକରେ ଅଢ଼େଇ ଲକ୍ଷ ପାର୍,୧୫୦୧ ମୃତ

66

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଛି । ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକ୍ଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୬୧ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୦୧ଜଣଙ୍କ ମୃତ୍ୟୁ ହୋଇଛି ।

ମହାମାରୀ କରୋନା ଭାଇରସ ପବନରେ ସଂକ୍ରମଣ କରୁଥିବା ରିପୋର୍ଟ ମିଳିବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି । ପବନରେ ବ୍ୟାପିବା ଯୋଗୁ ସଂକ୍ରମଣ ମାତ୍ରା ବୃଦ୍ଧି ପାଉଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ଏଥିରୁ ବର୍ତ୍ତିବା ପାଇଁ ସଂକ୍ରମଣ ରୋଗର ବିଶେଷଜ୍ଞ ଡା ଫହୀମ ୟୁନିସ୍ ଉପାୟ କହିଛନ୍ତି । ସେ କହିଛନ୍ତି, କରୋନା ଭାଇରସର ପବନରେ ବ୍ୟାପୁଥିବା ରିପୋର୍ଟ ଆସିଛି । ଏଥିରୁ ବର୍ତ୍ତିବା ପାଇଁ ହେଲେ ଆମକୁ କପଡ଼ା ମାସ୍କକୁ ଛାଡ଼ିବାକୁ ପଡ଼ିବ । ଆମେ ଚେଷ୍ଟା କରିବା ଓ ଏହାକୁ ପରିତ୍ୟାଗ କରିବା । ଏୟାରବର୍ଣ୍ଣ ପାଥୋଜେନ୍ରୁ ବର୍ତ୍ତିବା ପାଇଁ ଆମକୁ ଦୁଇଟି ଏନ୍୯୫ କିମ୍ବା କେଏନ୍୯୫ ମାସ୍କ କିଣିବାକୁ ପଡ଼ିବ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨ଲକ୍ଷ ୬୧ହଜାର ୫୦୦ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନାଜନିତ ଦୈନିକ ମୃତ୍ୟୁସଂଖ୍ୟା ୧୫୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୧୫୦୧ ଜଣଙ୍କ ମୃତ୍ୟୁ ଘଟିଛି । ସେହି ରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୪୭ଲକ୍ଷ ୮୮ହଜାର ୧୦୯ରେ ପହଞ୍ଚିଛି । ଏତଦ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୭୭ ହଜାର ୧୫୦ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୧କୋଟି ୨୮ଲକ୍ଷ ୦୯ ହଜାର ୬୪୩ରେ ପହଞ୍ôଚଛି । ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୮୦୧୩୧୬ । ଏହି ଘଟଣା ଏବେ ସରକାର, ଡାକ୍ତର ଓ ବିଶେଷଜ୍ଞମାନଙ୍କ ଚିନ୍ତା ବଢ଼ାଇ ଦେଇଛି ।

ଓଡ଼ିଶାରେ ବି ସଂକ୍ରମଣ ଥମୁନ :

ରାଜ୍ୟରେ କ୍ରମାଗତ ତୃତୀୟ ଦିନରେ ୩ହଜାରରୁ ଅଧିକ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୬୬୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧୨୭ଜଣ କ୍ୱାରେଣ୍ଟାଇନ୍ରେ ଥିଲେ । ବାକି ୧୫୩୭ଟି ହେଉଛି ଲୋକାଲ୍ କେସ୍ । ସେହି ରି କରୋନାରେ ଆକ୍ରାନ୍ତ ହୋଇ ଆଉ ୨ଜଣଙ୍କର ମୃତ୍ୟୁ ଘଟିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୪ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ୩୪୦, କଳାହାଣ୍ଡି ୩୨୪,ନୂଆପଡ଼ା ୨୨୧, ବରଗଡ଼ ୨୧୦,ସମ୍ବଲପୁର ୧୯୯, କଟକ ୧୯୮,ଝାରସୁଗୁଡ଼ା ୧୮୩, ପୁରୀ ୧୪୩ ଓ ମୟୂରଭଞ୍ଜ ଜିଲ୍ଲା ୧୧୯ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ଜିଲ୍ଲାରୁ ୫୯ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ୩୯, ଭଦ୍ରକ ୨୭, ବଲାଙ୍ଗିର ୭୯,ବୌଦ୍ଧ ୬, ଦେବଗଡୁ ୩୦, ଢେଙ୍କାନାଳ ୪୭, ଗଜପତି ୬୩, ଗଞ୍ଜାମ ୬୬,ଜଗତସିଂହପୁର ୬୮, ଯାଜପୁର ୫୮,କନ୍ଧମାଳ ୧୬, କେନ୍ଦ୍ରାପଡ଼ା ୨୯,କେନ୍ଦୁଝରରୁ ୫୬,

କୋରାପୁଟରୁ ୩୯, ମାଲକାନଗିରିରୁ ୪, ନବରଙ୍ଗପୁରରୁ ୮୧, ନୟାଗଡ଼ରୁ ୨୮, ରାୟଗଡ଼ାରୁ ୫୭ ଓ ସୋନପୁରରୁ ୧୬ଜଣ ଚିହ୍ନଟ ହୋଇଛନ୍ତି । ସେହି ରି ଷ୍ଟେଟ୍ ପୁଲ୍ରୁ ୧୫୫ଜଣ ଚିହ୍ନଟ ହୋଇଛନ୍ତି । ୩୬୬୪ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୬୮,୨୫୮ରେ ପହଞ୍ଚିଯାଇଛି । ସେମାନଙ୍କ ମଧ୍ୟରୁ ୩,୪୪,୮୨୫ ଜଣ ସୁସ୍ଥ ହୋଇସାରିଛନ୍ତି । ୨୧,୪୩୬ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟପକ୍ଷରେ ଆଉ ୨ଜଣଙ୍କ ମୃତ୍ୟୁ ଘଟିବା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୪୪ରେ ପହଞ୍ଚିଯାଇଛି ।

ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ବରଗଡ଼ର ଓ ଅନ୍ୟ ଜଣେ ସୁନ୍ଦରଗଡ଼ର ଜିଲ୍ଲାର । ଏହା ସହିତ ବରଗଡ଼ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୩ରେ ପହଞ୍ଚିଥିବା ବେଳେ ସୁନ୍ଦରଗଡ଼ରେ ଏହି ସଂଖ୍ୟା ୧୭୫ ହୋଇଛି । ଗତକାଲି ଆସିଥିବା ରିପୋର୍ଟରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଦର୍ଶାଯାଇଥିବା ବେଳେ ସେମାନେ ସମସ୍ତେ ପଶ୍ଚିମ ଓଡ଼ିଶାର ଥିଲେ । ସୂଚନାଯୋଗ୍ୟ, ଏପ୍ରିଲ୍ ୧୬ ଓ ୧୭ ତାରିଖରେ ଯେଉଁ ରିପୋର୍ଟ ଆସିଥିଲା ସେଥିରେ ଯଥାକ୍ରମେ ୩୧୦୮ ଓ ୩୧୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦର୍ଶାଯାଇଥିଲା ।

ସେହିପରି ସୁନ୍ଦରଗଡରେ ବେକାବୁ ହେଲାଣି କରୋନା ସ୍ଥିତି । ପ୍ରତିଦିନ ଶହଶହ ଆକ୍ରାନ୍ତ ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି । ସଂକ୍ରମଣ ଦ୍ରୁତଗତିରେ ବଢୁଥିବା ବେଳେ ଗୁରୁତରଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ କିଛିଦିନ ହେବ ଦୈନିକ ସଂକ୍ରମଣ ୩ଶହ ଉପରେ ରହୁଛି । ଦ୍ୱିତୀୟ ଲହରରେ ବଢ଼ୁଛି ମୃତ୍ୟୁସଂଖ୍ୟା । ଶ୍ମଶାନରେ ଲିଭୁନି ଜୁଇ । ଗୋଟିଏ ପଟେ ଜୁଇ ଜଳୁଥିବା ବେଳେ ଆମ୍ବୁଲାନ୍ସରେ ଆସି ସ୍ୱର୍ଗଦ୍ୱାରରେ ପହଞ୍ôଚ ଯାଉଛି ଅନ୍ୟ କୋଭିଡ ମୃତକଙ୍କ ଶବ । ପିପିଇ କିଟ୍ ସହିତ ମାସ୍କ ଏବଂ ଗ୍ଲୋବ୍ସ ପିନ୍ଧି ଶବକୁ ଦାହ କରାଯାଉଛି ।

ଆଉ ଗୋଟିଏ ମଶାଣୀରେ ଏକାସାଙ୍ଗରେ ଜଳୁଛି ଦୁଇ ଦୁଇଟି କୋଭିଡ ଆକ୍ରାନ୍ତଙ୍କ ଶବ । ନାଁ ପରିବାର ଲୋକ ଅଛନ୍ତି ନାଁ ବନ୍ଧୁ ପରିଜନ । ଏହିଭଳି କିଛି ଦୃଶ୍ୟ ଆସିଛି ସୁନ୍ଦରଗଡରୁ । ସରକାରୀ ତଥ୍ୟ ଅନୁସାରେ କରୋନା ମୃତ୍ୟୁ ସଂଖ୍ୟା ଯାହା ଆସୁଛି ମଶାଣିରେ ଜଳୁଥିବା କୋଭିଡ ମୃତକଙ୍କ ଜୁଇ ତାଠାରୁ ଅଧିକ ରହୁଛି । ହେଲେ ଏହା ଗୋଟିଏ ଦିନର କଥା ନୁହେଁ । ଦ୍ୱିତୀୟ ସଂକ୍ରମଣ ଆସିଲା ପରେ ସୁନ୍ଦରଗଡ଼ରୁ ଆସିଛି କରୋନା କାଳର ଏପରି କରୁଣ ଚିତ୍ର ।

ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ:

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ସଚେତନ ଓ ସତର୍କତା ମାଧ୍ୟମରେ କରୋନା ସଂକ୍ରମଣରୁ ବର୍ତ୍ତି ହେବ ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିୟମିତ ମାସ୍କ ବ୍ୟବହାର କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି । ମାସ୍କ ହିଁ ସମସ୍ତଙ୍କର ଜୀବନ ରକ୍ଷାକାରୀ କବଚ । ଏଥିରେ ସାମାନ୍ୟ ଅବହେଳା ଆମକୁ ସଂକଟରେ ପକାଇବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ସଚେତନ ହେବା ସହ ନିଜକୁ ତଥା ପରିବାରକୁ ସୁରକ୍ଷିତ ରଖି ହେବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ମୁହଁରୁ ମାସ୍କ ଖସିବା ଅର୍ଥ କରୋନାକୁ ଆମନ୍ତ୍ରଣ କରିବା । ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ସହ ଅତିକମ୍ରେ ୨ମିଟର ଦୂରତା ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାରଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଛି । କୋଦାନବଜାର, ହାଟ ଯିବାବେଳେ ସମସ୍ତେ ମାସ୍କ ପିନ୍ଧିବାକୁ ସରକାର ନିବେଦନ କରିଛନ୍ତି । ହାଟରେ ପ୍ରତି ଦୋକାନ ମଧ୍ୟରେ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି ।

Comments are closed.