କରୋନାରେ ଆଉ ଜଣେ ବିଧାୟକଙ୍କ ମୃତ୍ୟୁ

0 67

ପାଟନା, ୧୯ ।୪: ମହାମାରୀ କରୋନାର ଦ୍ୱିତୀୟ ଲହର ଏବେ ସାଂଘାତିକ ରୂପ ନେବାକୁ ବସିଲାଣି । ଦ୍ୱିତୀୟ ଲହରରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବିହାରର କ୍ଷମତାସୀନ ଜେଡିୟୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ମେୱାଲାଲ ଚୌଧୁରୀ ଆଜି ପ୍ରାଣ ହରାଇଛନ୍ତି । ସେ କରୋନାରେ ଆକ୍ରାନ୍ତ ହେବା ପରେ ପାଟନାର ଏକ ଘରୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ଭୋର ସମୟରେ ହିଁ ସେ ଉକ୍ତ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସୂଚନା ଅନୁସାରେ, ବିହାର ପୂର୍ବତନ ଶିକ୍ଷାମନ୍ତ୍ରୀ ଶ୍ରୀ ଚୌଧୁରି ୩ ଦିନ ତଳେ ହିଁ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶ୍ରୀ ଚୌଧୁରୀ ଜେଡିୟୁ ଟିକେଟ୍ରୁ ତାରାପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ । ଅନ୍ୟପକ୍ଷରେ ବିହାରରେ ମଧ୍ୟ କରୋନାର ଉଗ୍ର ରୂପ ଦେଖିବାକୁ ମିଳିଲାଣି । ରବିବାର ସମଗ୍ର ରାଜ୍ୟରୁ ୮,୬୯୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ସେହିପରି ଏହି ପ୍ରାଣଘାତୀ ଭାଇରସ ୨୭ ଜଣଙ୍କ ମୁଣ୍ଡ ନେଇଛି । ଏହାକୁ ମିଶାଇ ବିହାରରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୭୪୯କୁ ବୃଦ୍ଧି ପାଇଛି । ବିହାରର ରାଜଧାନୀ ପାଟନା ସଂକ୍ରମଣ ତାଲିକାରେ ପ୍ରଥମ ସ୍ଥାନରେ ରହିଛି । ଏଠାରେ ଗତକାଲି ୨୨୯୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୯ ଜଣଙ୍କ ଜୀବନ ଯାଇଛି । ରାଜ୍ୟରେ ବର୍ତ୍ତମାନ ୪୪,୭୦୦ ପଜିଟିଭ କେସ୍ ରହିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିହାର ସରକାର ରବିବାରଠାରୁ ରାତି ୯ରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି । ସେହିପରି ମେ’ ୧୫ ତାରିଖ ଯାଏ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି ।

Leave A Reply

Your email address will not be published.