ଆମେ ଏବେ ଭୀଷଣ ବିପଦର ସାମ୍ନା କରୁଛେ : ନବୀନଙ୍କ ୬ ସୂତ୍ରୀ ମନ୍ତ୍ର

71

-କୋଭିଡ୍ ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କର
-ଅକ୍ସିଜେନ୍ ଯୋଗାଣକୁ କଡ଼ାକଡ଼ି ତଦାରଖ କର
-ଯଥେଷ୍ଟ କୋଭିଡ୍ ଔଷଧ ମହଜୁଦ ରଖ
-ମାରାତ୍ମକତା ନେଇ ସଚେତନତା ସୃଷ୍ଟି କର
-ରାଜ୍ୟରେ ଏନ୍ଫୋସର୍୍ମେଣ୍ଟ ବୃଦ୍ଧି କର
-ପ୍ରବାସୀ ଶ୍ରମିକଙ୍କ ଫେରିବା ନେଇ ପ୍ରସ୍ତୁତ ରୁହ

ଭୁବନେଶ୍ୱର : କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣ ଦେଶର ଅନେକ ଭାଗରେ ଆତଙ୍କ ସୃଷ୍ଟି କରିଛି । ଓଡ଼ିଶାରେ ପରିସ୍ଥିତି ସଂଗୀନ୍ ହୋଇନଥିଲେ ମଧ୍ୟ ରାଜ୍ୟ ସରକାର ଦ୍ୱିତୀୟ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ସମୀକ୍ଷା ବୈଠକ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ରାଜ୍ୟ ଏବେ ଭୀଷଣ ବିପଦର ସାମ୍ନା କରୁଛି । ଏଥିପାଇଁ ଲୋକଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକେ ସହଯୋଗ ନକଲେ ମୁକାବିଲା କରିବା କଷ୍ଟ ହେବ । ଆମେ କିଭଳି ବିନା ଲକ୍ଡାଉନ୍ରେ ଏହି ମହାମାରୀର ମୁକାବିଲା କରିବା ସେଥିପାଇଁ ସେ ୬ଟି ମନ୍ତ୍ର ଦେଇଛନ୍ତି । ହସ୍ପିଟାଲରେ ଅକ୍ସିଜେନ୍ ସିଷ୍ଟମ ସହିତ ଶଯ୍ୟା ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି । ସଂକ୍ରମିତଙ୍କ ପାଇଁ ଡାକ୍ତରଖାନାରେ ବେଡ୍ ଓ ଅକ୍ସିଜେନ୍ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟ ରାଜ୍ୟରେ ସ୍ଥିତି ସଙ୍କଟାପନ୍ନ ଥିବାବେଳେ ଆମ ରାଜ୍ୟରେ ଆବଶ୍ୟକ ଔଷଧ ମହଜୁଦ ଅଛି । ବୈଠକରେ ଆଇଇସି କ୍ୟାମ୍ପେନିଂକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଅନ୍ୟ ରାଜ୍ୟର ସ୍ଥିତି ଭଳି ଓଡ଼ିଶାରେ ଯେମିତି ନହେବ ସେଥିପାଇଁ ମଧ୍ୟ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ କୋଭିଡ୍ ଟକଣାକୁ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସହଯୋଗ କରିବାକୁ ନିବେଦନ କରିଛନ୍ତି ।

ସ୍ଥିତି ଅଣାୟତ୍ତ ହେଲେ କରୋନାକୁ ଆୟତ୍ତ କରିବା କଷ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସଂକ୍ରମଣ ରୋକିବା ପାଇଁ ପ୍ରବାସୀଙ୍କୁ ଠିକରେ ଥଇଥାନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏଥିରେ ମିଶନ ଶକ୍ତି ଓ ପଞ୍ଚାୟତ ପ୍ରତିନିଧିଙ୍କୁ ପ୍ରକ୍ରିୟାରେ ସାମିଲ୍ କରିବାକୁ ସେ କହିଛନ୍ତି । ଏହାସହ କରୋନାର ଦ୍ୱିତୀୟ ଲହର ସମ୍ପର୍କରେ ଲୋକଙ୍କୁ ବ୍ୟାପକ ସଚେତନ କରାଯିବାର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ପ୍ରବାସୀଙ୍କ ଫେରିବା ନେଇ ଜିଲ୍ଲାପାଳ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରବାସୀ ଶ୍ରମିକଙ୍କୁ ସଂଗରୋଧରେ ରଖିବା ଓ ସେମାନଙ୍କ ଟେଷ୍ଟିଂ ନିଶ୍ଚିତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି । ଲକ୍ଡାଉନ୍ ବିନା କରୋନାକୁ ନିୟନ୍ତ୍ରଣ କରିବାକୁ ହେଲେ ମାସ୍କ ଜରୁରି । ଏହା ସହ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି । ରାଜ୍ୟରେ ଅକ୍ସିଜେନ୍ ଓ ଶଯ୍ୟାର ଅଭାବ ନଥିଲେ ମଧ୍ୟ ପ୍ରସ୍ତୁତିକୁ ଜୋରଦାର କରିବାକୁ ସେ କହିଛନ୍ତି । ସମୀକ୍ଷା ବୈଠକରେ ସେ କହିଥିଲେ ଯେ, କରୋନା ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଦ୍ୱାରା ଅନେକ ରାଜ୍ୟ ସାଂଘାତିକ ପ୍ରଭାବିତ ହୋଇଛନ୍ତି ।

ଓଡ଼ିଶାରେ ମଧ୍ୟ ଗତ କିଛି ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ମୁଖ୍ୟମନ୍ତ୍ରୀ ଚିନ୍ତାବ୍ୟକ୍ତ କରିଥିଲେ । ଉପଯୁକ୍ତ ପ୍ରସ୍ତୁତି ଓ ପ୍ରୋଆକ୍ଟିଭ୍ ପଦକ୍ଷେପ କାରଣରୁ ଆମେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛେ, ସତ କିନ୍ତୁ ଆମକୁ ଖରାପ ପରିସ୍ଥିତି ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ,ଡିଜିପି, ସମସ୍ତ ଜିଲ୍ଲାପାଳ,ଏସ୍ପି ସାମିଲ୍ ଥିଲେ ।

Comments are closed.