ଅକ୍ସିଜେନ୍ ବିଭ୍ରାଟ : ଚାଲିଗଲା ୨୪ ରୋଗୀଙ୍କ ଜୀବନ

70

-ରିପୋର୍ଟ ତଲବ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
-ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ଲକ୍ଷର ସହାୟତା

ନାଶିକ : ମହାମାରୀ କରୋନାର ଦ୍ରୁତ ସଂକ୍ରମଣ ଭିତରେ ବଡ଼ ଅଘଟଣ ଘଟିଛି । ମହାରାଷ୍ଟ୍ରର ନାଶିକରେ ଜାକିର ହୁସେନ୍ ହସ୍ପିଟାଲ୍ରେ ଅମ୍ଳଜାନ ଟ୍ୟାଙ୍କର ଲିକ୍ ହେବା ପରେ ଅଧଘଣ୍ଟା ପାଇଁ ଯୋଗାଣ ବନ୍ଦ କରିଦିଆଯାଇଥିଲା । ଫଳରେ ଭେଣ୍ଟିଲେଟରରେ ଥିବା ୨୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଲିକ୍ ଯୋଗୁ ଏମାନଙ୍କ ପାଖରେ ଠିକ୍ ଭାବେ ଅମ୍ଳଜାନ ନପହଞ୍ଚିବାରୁ ଛଟପଟ ହୋଇ ସେମାନଙ୍କର ଜୀବନ ଚାଲିଯାଇଥିଲା । କେମିତି ଓ କେଉଁ ପରିସ୍ଥିତିରେ ଅକ୍ସିଜେନ୍ ଲିକ୍ ହେଲା,ଏଥିପାଇଁ ଦାୟୀ କିଏ ଏସବୁର ପୁଙ୍ଗାନୁପୁଙ୍ଖ ତଦନ୍ତ ଆରମ୍ଭ ହୋଇଛି । ମହାରାଷ୍ଟ୍ର ସରକାରଙ୍କୁ ରିପୋର୍ଟ ତଲବ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

ସେହିପରି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏ ସମ୍ପର୍କରେ ମହରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, ନାଶିକର ଡା ଜାକିର ହୁସେନ୍ ଏନ୍ଏମ୍ସି ହସ୍ପିଟାଲରେ ଏହି ଅଘଟଣ ଘଟିଛି । ଅମ୍ଳଜାନ ଟ୍ୟାଙ୍କରରେ ଭର୍ତ୍ତି ହେବା ବେଳେ ଏହା ଲିକ୍ ହୋଇଥିଲା । ଫଳରେ ଚାରିଆଡ଼େ ଏହା ବ୍ୟାପୀ ଯାଇଥିଲା । ବର୍ତ୍ତମାନ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି । ଅମ୍ଳଜାନ ଲିକ୍ ହେବାର ଭିଡିଓକୁ ଏଏନ୍ଆଇ ପକ୍ଷରୁ ଟ୍ୱିଟ୍ କରାଯାଇଛି । ଭିଡିଓରେ ଅମ୍ଳଜାନ ଲିକ୍ ହେବାରୁ ସମଗ୍ର ଅଞ୍ଚଳ ଏକ ପ୍ରକାରର ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଛି । ଏହି ହସ୍ପିଟାଲରେ ୧୭୧ଜଣ ରୋଗୀ ଅମ୍ଳଜାନ ସହାୟତାରେ ଚିକିତ୍ସିତ ହେଉଥିଲେ । ଟ୍ୟାଙ୍କରର ଭାଲଭେସ୍ ସମସ୍ୟା ଥିବାରୁ ଏଭଳି ପ୍ରଚୁର ପରିମାଣର ଅମ୍ଳଜାନ ଲିକ୍ ହୋଇଥିବା ଶ୍ରୀ ଟୋପେ କହିଛନ୍ତି ।

ସୂଚନା ଅନୁସାରେ, ହସ୍ପିଟାଲର ଭେଣ୍ଟିଲେଟରରେ ଥିବା ୨୨ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରୋଗୀଙ୍କୁ ଅମ୍ଳଜାନ ଯୋଗାଉଥିବା ଟ୍ୟାଙ୍କରରେ ଲିକ୍ ହେବାରୁ ଏତେ ବଡ଼ ଘଟଣା ଘଟିଛି । ଟ୍ୟାଙ୍କରରେ ଲିକ୍ ହେବେରୁ ରୋଗୀଙ୍କ ପାଖରୁ ଠିକ୍ ଭାବେ ଅମ୍ଳଜାନ ପହଞ୍ଚି ପାରିନଥିଲା । ଏଥିଯୋଗୁ ସେମାନଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଏହି ହସ୍ପିଟାଲଟି ନାଶିକ ମ୍ୟୁନସିପାଲିଟି କର୍ପୋରେସନ୍ ଦ୍ୱାରା ପରିଚାଳିତ ହେଉଥିଲା । ଘଟଣାକୁ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅମ୍ଳଜାନ କେମିତି ଲିକ୍ ହେଲା, ତା’ର ତଦନ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.