କାମରେ ଲାଗୁନାହିଁ ଲକ୍ଷାଧିକ ଟଙ୍କାରେ ନିର୍ମିତ ସୌର ପାନୀୟ ଜଳ ପ୍ରକଳ୍ପ : ଆଦିବାସୀଙ୍କୁ ନାଳପାଣି ହିଁ ସାହା ଭରସା

66

ହରିଚନ୍ଦନପୁର : ସରକାରଙ୍କ ଏ କିଭଳି ବିଚିତ୍ର ଯୋଜନା, ରାଜସ୍ବରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଯୋଜନା ଥାଇ ମଧ୍ୟ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ଅନେକ ଆଦିବାସୀ ପରିବାର । ଜିଲ୍ଲା ମିନିରାଲ୍ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଖଣି ପ୍ରଭାବିତ ଆଦିବାସୀ ଅଞ୍ଚଳ ଗୁଡିକରେ ଅନେକ ନଳକୂପ ଖନନ ସହ ସୌରଚାଳିତ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଛି । ସେହି ପ୍ରକଳ୍ପ ଗୁଡ଼ିକ ନିର୍ମାଣ ପରେ ବର୍ଷ ବର୍ଷ ଧରି ଅଚଳ ଅବସ୍ଥାରେ ପଡିରହିଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ବେ ସେଗୁଡ଼ିକ ଉପରେ ପ୍ରଶାସନର ନଜର ପଡୁନି । ଯାହାକୁ ନେଇ ଅନେକ ଆଦିବାସୀ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ସହ ଅନେକ ଅଜଣା ରୋଗର ଶୀକାର ହୋଇ ଜୀବନ ହାରୁଥିବାର ନଜିର ରହିଛି ।

ଏମିତି ଏକ ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଖଣି ପ୍ରଭାବିତ ଅଞ୍ଚଳ ତଥା ବଳିପର୍ବତର ନୂଆସାହି ଓ ବନ୍ଧସାହିରେ ଦେଖିବାକୁ ମିଳିଛି । ଡିଏମଏଫ୍ ଫଣ୍ଡରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଭାଟିସାହିରେ ୧ଟି, ନୂଆସାହିରେ ୨ଟି ଓ ବନ୍ଧସାହିରେ ୧ଟି ନଳକୂପ ଖନନ ସହ ସୌର ଚାଳିତ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଏହି ପ୍ରକଳ୍ପ ଗୁଡ଼ିକ ଆଜକୁ ପ୍ରାୟ ୩ ମାସରୁ ଉର୍ଦ୍ଧ୍ବ ହେବ ଅଚଳ ହୋଇପଡିଥିବା ସାହିବାସୀଙ୍କ ଅଭିଯୋଗ ହୋଇଛି । ଘଟଣାକୁ ନେଇ ସାହିର ଲୋକମାନେ ବିଭାଗର ବାବୁମାନଙ୍କ ପାଖରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ପ୍ରକଳ୍ପର ମରାମତି କରାଯାଇନାହିଁ, ଯାହାକୁ ନେଇ ଜନ ଅସନ୍ତୋଷ ବଢୁଛି । ପ୍ରକଳ୍ପ ଗୁଡ଼ିକର ମରାମତି କରାନଯିବାକୁ ନେଇ ଏହି ସାହିର ଶହଶହ ପରିବାରର ଲୋକେ ବାଧ୍ୟ ହୋଇ ନାଳର ଅପରିଷ୍କାର ପାଣିକୁ ସାହା ଭରଷା ଭାବି ନେଇଛନ୍ତି ।  

ଖବର ଅନୁଯାୟୀ, ଦୈତାରୀ ଓଏମସି ଖଣି ପ୍ରଭାବିତ ଅଞ୍ଚଳ ଗୁଡିକରେ କେନ୍ଦୁଝର ଜିଲ୍ଲା ମିନିରାଲ୍ ପାଣ୍ଠିରୁ ପ୍ରାୟତଃ ୬.୩୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ୨୦୧୬ -୨୦୧୭ ଆର୍ଥିକ ବର୍ଷର ଯୋଜନାରେ ଏହି ସୌର ଚାଳିତ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଯାହାର ନିର୍ମାଣ ଦାୟିତ୍ବ କାର୍ଗୋ କମ୍ପାନୀ ନିଜ ହାତକୁ ନେଇ ନିର୍ମାଣ କାର୍ଯ୍ୟ କରାଇଥିଲେ । ଏଥିସହ ଉକ୍ତ ପ୍ରକଳ୍ପ ଗୁଡ଼ିକର ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟିତ୍ବ ନିଜେ ବୁଝିବାକୁ ଚୁକ୍ତିନାମା ରହିଛି ।

ଦୈତାରୀ ଖଣି ଦ୍ବାରା ପ୍ରଭାବିତ ବଳିପର୍ବତ ଭାଟିସାହିର ସୋଲାର ଜଳଯୋଗାଣ ପ୍ରକଳ୍ପ ଦୀର୍ଘ ଦିନ ହେବ ଅଚଳ ହୋଇପଡିଥିବା ବେଳେ ମରାମତି ପାଇଁ ସୂଚିତ କଷ୍ଟମର କେୟାର ନମ୍ବରକୁ ଅନେକଥର ଫୋନ୍ ମାଧ୍ୟମରେ ଅଭିଯୋଗ କରାଯାଇଛି । ହେଲେ ଅଭିଯୋଗକୁ କର୍ଣ୍ଣପାତ କରାଯାଇନଥିବା ସହ ଆଜି ପର୍ଯ୍ୟନ୍ତ କୌଣସି ବାବୁଙ୍କ ଦେଖା ଦର୍ଶନ ନାହିଁ, ତ ମରାମତି ବି ନାହିଁ । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ‌ ଯଥାଶୀଘ୍ର ଉକ୍ତ ଜଳଯୋଗାଣ ପ୍ରକଳ୍ପ ଗୁଡ଼ିକର ମରାମତି କରାଇବା ସହ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା କମ୍ପାନୀ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଜନସାଧାରଣ ଦାବି ହୋଇଛି । ଏହି ଘଟଣା ବିଭିନ୍ନ ଗଣମାଧ୍ୟମ ଜରିଆରେ ଲୋକଲୋଚନକୁ ଆସିବା ପରେ କେବେ ଉକ୍ତ ପ୍ରକଳ୍ପ ଗୁଡ଼ିକର ମରାମତି କରାଯାଉଛି ତାହା ଦେଖିବାକୁ ବାକି ରହିଲା । 

Comments are closed.