ଶୁଭେନ୍ଦୁଙ୍କ ଗଡ଼ରେ ତିଷ୍ଠିଲେନି ଦିଦି

0 78

କଲକାତା : ନନ୍ଦିଗ୍ରାମ ବିଧାନସଭା ଆସନରୁ ଜିତିଲେ ଶୁଭେନ୍ଦୁ ଅଧିକାରୀ । ଏହି ଆସନରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମମତା ବାନାର୍ଜୀଙ୍କୁ ମାତ୍ ଦେଲେ ଶୁଭେନ୍ଦୁ ଅଧିକାରୀ । ମମତା ବାନାର୍ଜୀଙ୍କଠାରୁ ୧୯୫୩ ଭୋଟ ବ୍ୟବଧାନରେ ଜିତିଲେ ଶୁଭେନ୍ଦୁ ଅଧିକାରୀ । ପଶ୍ଚିମବଙ୍ଗ ନିର୍ବାଚନର ଭୋଟ୍ ଗଣତି ଭିତରେ ଯେଉଁ ଆସନ ଉପରେ ସମସ୍ତଙ୍କର ନଜର ଥିଲା, ତା’ର ଫଳାଫଳ ଘୋଷଣା ହୋଇଛି । ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଛନ୍ତି ଟିଏମ୍ସି ଛାଡ଼ି ବିଜେପିରେ ଯୋଗଦେଇଥିବା ଶୁଭେନ୍ଦୁ ଅଧିକାରୀ ଏବଂ ଏଠାରେ ତୃଣମୂଳ ନେତ୍ରୀ ତଥା ଟିଏମ୍ସି ସ୍ରୁିମୋ ମମତା ବାନାର୍ଜୀ ହାରି ଯାଇଛନ୍ତି ।

ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହେବା ପରେ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁଠାରୁ ଆଗରେ ଥିଲେ । ହେଲେ କିଛି ଘଣ୍ଟା ପରେ ପୁଣି ମମତା ଦିଦି ଆଗରେ ରହିବା ସହିତ ଆଗକୁ ବଢିଥିଲେ । ଶେଷରେ ମମତାଙ୍କୁ ବହୁ ପଛରେ ପକାଇ ଶୁଭେନ୍ଦୁ ଅଧିକାରୀ ବିଜୟ ଲାଭ କରିଛନ୍ତି । ଚଳିତ ଥରର ନିର୍ବାଚନ ମମତାଙ୍କ ପାଇଁ ବେଶ ସଂଘର୍ଷପୂର୍ଣ୍ଣ ଥିଲା । ସେ ତାଙ୍କ ପାରମ୍ପରିକ ଆସନକୁ ଛାଡି ନନ୍ଦିଗ୍ରାମରୁ ଲଢିଥିଲେ । ଯେଉଁଠି ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରି ସଫଳତା ପାଇବାକୁ ଆଶା ବାନ୍ଧିଥିଲା । ମମତା ଏଠାରୁ ପ୍ରାର୍ଥୀ ହେବା ପରେ ଶୁଭେନ୍ଦୁ-ମମତାଙ୍କ ଭିତରେ ଜୋରଦାର ଟକ୍କର ମଧ୍ୟ ଦେଖିବାକୁ ମିଳିଥିଲା ।

ଏପରିକି ପ୍ରଚାର ବେଳେ ଦୁଇ ନେତାଙ୍କ ଉପରେ ଆକ୍ରମଣ ହେବା ଭଳି ମଧ୍ୟ ଅଭିଯୋଗ ଆସିଥିଲା । ହେଲେ ଆଜି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ସହିତ ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଛନ୍ତି ଶୁଭେନ୍ଦୁ ଅଧିକାରୀ । ମମତାଙ୍କୁ ପଶ୍ଚିମବଙ୍ଗରେ କ୍ଷମତାକୁ ଆଣିବାରେ ନନ୍ଦିଗ୍ରାମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମମତା ନନ୍ଦିଗ୍ରାମରେ ହିଁ ବାମ ସରକାରର ଭୂମି ଅଧିଗ୍ରହଣ ବିରୋଧରେ ଧାରଣା ଦେଇଥିଲେ । ଶୁଭେନ୍ଦୁଙ୍କୁ ନନ୍ଦିଗ୍ରାମର ନାୟକ ବୋଲି କୁହାଯାଇଥାଏ, ଯିଏ ଦିନେ ମମତାଙ୍କ ଘନିଷ୍ଠ ରହିଥିଲେ । ତେବେ ଆଜି ମମତାଙ୍କ ବିରୋଧରେ ଲଢ଼ି ନିର୍ବାଚନରେ ବିଜୟୀ ହୋଇଛନ୍ତି ଶୁଭେନ୍ଦୁ
ଅଧିକାରୀ ।

Leave A Reply

Your email address will not be published.