ଲକ୍ଡାଉନ୍ ଉପରେ ବିଚାର କର: ସୁପ୍ରିମକୋର୍ଟ

0 68

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ର ଓ ସମସ୍ତ ରାଜ୍ୟଗୁଡ଼ିକ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ରୋଗୀଙ୍କୁ ସ୍ଥାନୀୟ ଲୋକ ନୁହନ୍ତି କିମ୍ବା ପରିଚୟପତ୍ର ଆଳରେ ହସ୍ପିଟାଲରେ ଆଡମିଶନ ପାଇଁ ବାରଣ କରିପାରିବେ ନାହିଁ ।

ସେହିପରି ସେମାନଙ୍କୁ ଜରୁରି ଔଷଧ ଯୋଗାଇବାକୁ ମନା କରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିସହ କରୋନାର ଦ୍ୱିତୀୟ ୱେଭ୍ ରୋକିବାକୁ ଲକ୍ଡାଉନ୍ ଲାଗୁ କରିବା ଦିଗରେ ବିଚାର କରିବାକୁ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସୁପ୍ରିମ୍କୋର୍ଟ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆସନ୍ତା ୨ ସପ୍ତାହ ମଧ୍ୟରେ ହସ୍ପିଟାଲରେ ଆଡମିଶନ ସଂକ୍ରାନ୍ତ ଜାତୀୟ ନୀତି ପ୍ରଣୟନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ସବୁ ରାଜ୍ୟ ପାଳନ କରିବେ । ଜାତୀୟ ନୀତି ଆସିବା ଯାଏ ରାଜ୍ୟଗୁଡ଼ିକ କୌଣସି ରୋଗୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଆଡମିଶନ କରିବାକୁ ମନା କରିପାରିବେ ନାହିଁ ।

ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ଜଣେ ରୋଗୀ ହସ୍ପିଟାଲରେ ବେଡ୍ ପାଇବାକୁ ସଂଘର୍ଷ କରୁଛି । ଏହା ସବୁ ବଡ଼ ଚ୍ୟାଲେଞ୍ଜ ବୋଲି ଖଣ୍ଡପୀଠ କହିଛନ୍ତି । ଖଣ୍ଡପୀଠ ଆହୁରି କହିଛନ୍ତି, ବିଭିନ୍ନ ରାଜ୍ୟ ଓ ସ୍ଥାନୀୟ ପ୍ରଶାସନ ନିଜ ନିଜର ପ୍ରୋଟୋକଲ ଆପଣାଉଛନ୍ତି । ବିଭିନ୍ନ ହସ୍ପିଟାଲରେ ଆଡମିଶନ ପାଇଁ ଭିନ୍ନ ଭିନ୍ନ ନିୟମ ଯୋଗୁ ବିଭ୍ରାଟ ଓ ଅସ୍ଥିରତା ସୃଷ୍ଟି ହେଉଛି । ଏହି ସ୍ଥିତିକୁ କାଳବିଳମ୍ବ ନକରି ପରବର୍ତ୍ତନ କରାଯିବା ଦରକାର । ଏଥିପାଇଁ ଆମେ କେନ୍ଦ୍ର ସରକାରଙ୍କୁ ହସ୍ପିଟାଲରେ ଆଡମିଶନ ପାଇଁ ଜାତୀୟ ନୀତି ଆଣିବାକୁ ନିର୍ଦ୍ଦେଶ ଦେଉଛୁ । ଏହି ନିୟମକୁ ଦେଶବ୍ୟାପୀ ପାଳନ କରାଯିବ । ଏହାଦ୍ୱାରା କୌଣସି ହସ୍ପିଟାଲ ଆଉ କାହାକୁ ସ୍ଥାନୀୟ ଲୋକ କିମ୍ବା ପରିଚୟପତ୍ର ଅଭାବରୁ ଆଡମିଶନ କରିବାକୁ ମନା କରିପାରିବେ ନାହିଁ ।

ସେହିପରି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହ ମିଶି ଅକ୍ସିଜେନ ସପ୍ଲାଏକୁ ତ୍ୱରାନ୍ୱିତ କରନ୍ତୁ । ଜରୁରିକାଳୀନ ଷ୍ଟକ୍ର ବ୍ୟବସ୍ଥା ୪ ଦିନ ମଧ୍ୟରେ କରାଯାଉ । ଦୈନଦିନ ଭିତ୍ତିରେ ଏହାକୁ ଯାଞ୍ଚ କରାଯାଇ ସପ୍ଲାଏ ବ୍ୟବସ୍ଥାକୁ ଠିକ ଭାବେ ସମ୍ପାଦନ କରାଯାଉ । ଖଣ୍ଡପୀଠ କରୋନାର ଦ୍ୱିତୀୟ ୱେଭ୍କୁ ରୋକିବା ପାଇଁ ଲକ୍ଡାଉନ୍ ଉପରେ ବିଚାର କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି, ଆମେ ବେଶ୍ ଗୁରୁତ୍ୱର ସହ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଭିଡ଼ ହେଉଥିବା ସମାବେଶ ଓ ସୁପର ସ୍ପ୍ରେଡର ଇଭେଣ୍ଟ ଉପରେ ବ୍ୟାନ୍ ଲଗାଇବାକୁ କହୁଛୁ ।

ଏଥିସହ ସେମାନେ କରୋନାର ଦ୍ୱିତୀୟ ୱେଭ୍କୁ ରୋକିବା ପାଇଁ ଲକ୍ଡାଉନ୍ ଲାଗୁକରିବା ଉପରେ ମଧ୍ୟ ବିଚାର କରନ୍ତୁ । ଯଦି ବି ଲକ୍ଡାଉନ୍ ଲାଗୁ କରାଯାଉଛି, ପ୍ରଥମେ ଆର୍ଥିକ ପଛୁଆ ବର୍ଗର ଲୋକଙ୍କ କଥା ବିଚାରକୁ ନିଆଯିବ । ସେମାନଙ୍କ କଥା ବୁଝିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଲକ୍ଡାଉନ୍ ବେଳେ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.