ଲକ୍ଡାଉନ୍ ଛନକା : ହାଟ-ବଜାର ଜାମ୍

0 74

-ଏସ୍ଆରସିଙ୍କ ଅପିଲ୍: ଭୟରେ ଭିଡ କରନ୍ତୁନି

ଭୁବନେଶ୍ୱର : ଦିନକ ପରେ ଅର୍ଥାତ ଚଳିତ ମାସ ୫ ତାରିଖ ଠାରୁ ସମଗ୍ର ଓଡ଼ିଶା ଲକ୍ଡାଉନ୍ ରହିବ । ରାଜ୍ୟର ଜନସାଧାରଣଙ୍କୁ ଆସନ୍ତା ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲକ୍ଡାଉନ୍ କଟକଣା ମଧ୍ୟରେ ଦିନ କାଟିବାକୁ ପଡ଼ିବ । ଲକ୍ଡାଉନ୍ ବ୍ୟତୀତ ମେ’ ମାସ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ସପ୍ତାହାନ୍ତ ସଟ୍ଡାଉନ୍ ରହିବ । ଲକ୍ଡାଉନ୍ ସମୟରେ ପ୍ରତିଦିନ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଜରୁରି ଜିନିଷ ପାଇଁ ଦୋକାନ ଖୋଲା ରହିବ ।

ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦୋକାନଗୁଡ଼ିକ ଖୋଲା ରହିବ । ତେଣୁ ଦୋକାନ ଆଗରେ ଗ୍ରାହକମାନେ ଅଯଥାରେ ଭିଡ଼ ନ କଲେ ଭଲ ବୋଲି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ପରାମର୍ଶ ଦେଇଛନ୍ତି । ବୁଧବାର ତାଲାବନ୍ଦ ଥିବାରୁ କାଳେ ଜିନିଷପତ୍ର ନ ମିଳିବ ସେହି ଆଶଙ୍କାରେ ଆଜି ସକାଳଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବଜାର ହାଟରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । ପରିବା ଦୋକାନଠାରୁ, ଗ୍ରୋସରୀ ଦୋକାନ ସବୁଠି ଲୋକ ଲାଇନ୍ ଲଗାଇ ସଉଦା ବୋହି ନେଇଥିଲେ । ୧୫ ଦିନ ପାଇଁ ସାମଗ୍ରୀ କିଣିବାକୁ ଲୋକେ ପ୍ରସ୍ତୁତ ହୋଇ ଆସିଥିଲେ । କରୋନା କାଳରେ ଏହି ଭିଡ ଏକ ବିପଦର ଆଶଙ୍କାକୁ ଇସାରା କରୁଥିଲା ।

ତେବେ ଏବେ ବି ଭିଡ ଓ ଗହଳିର ଚିତ୍ର ସାରା ରାଜ୍ୟରୁ ଆସିବା ପରେ ରାଜ୍ୟବାସୀଙ୍କୁ ଏସ୍ଆର୍ସି ଗହଳି ନକରିବାକୁ ଅନୁରୋଧ କରିଛନ୍ତି । ଏସ୍ଆର୍ସି କହିଛନ୍ତି ବୁଧବାର ଲକ୍ଡାଉନ୍ ପାଇଁ ଆଜିଠୁ ପ୍ରବଳ ଗହଳି ହେଉଛି । ଲୋକଙ୍କୁ ଅନୁରୋଧ ଦୋକାନ ଆଗରେ ଭିଡ କରନ୍ତୁନି । ସୋମବାର, ମଙ୍ଗଳବାର ଏହି ଦୁଇଦିନ ଦୋକାନ ଆଗରେ ଗହଳି କରନ୍ତୁନି । ଗହଳି କରିବା ଦ୍ୱାରା ସଂକ୍ରମଣର ଆଶଙ୍କା ରହିଛି । ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଜିନିଷ ଅଛି । ଅଯଥା ଗହଳି ସ୍ଥାନକୁ ଯାଆନ୍ତୁନି,ବିପଦକୁ ଡାକନ୍ତୁନି ।

ଲକ୍ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଖୋଲା ରହିବ । ରବିବାର ପୂର୍ବାହ୍ନରେ ଲକ୍ଡାଉନ୍ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିଥିଲେ । ଏହି ସମୟରେ ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହି ଅନୁଯାୟୀ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । କୌଣସି ପ୍ରକାର ମାଲ୍ ପରିବହନ, କୃଷି,ଆନୁସଙ୍ଗିକ କାର୍ଯ୍ୟ, ଶିଳ୍ପାନୁଷ୍ଠାନ ଓ ଜରୁରି ସେବା ଯୋଗାଣକୁ ଏହି ଲକ୍ଡାଉନ ପ୍ରଭାବିତ କରିବ ନାହିଁ ।

ଲକ୍ଡାଉନ୍ ସମୟରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଗାଇଡଲାଇନ୍ ଅନୁସାରେ ବ୍ୟାଙ୍କ, ଏଟିଏମ୍ ବୀମା, ଅଣ-ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା, ଋଣ ସମବାୟ ସମିତି ଆଦି ସେମାନଙ୍କ କାର୍ଯ୍ୟ ଚାଲୁ ରଖିପାରିବେ । ସ୍ୱାସ୍ଥ୍ୟସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ,ପରିମଳ ସେବା, ଟେଲିଫୋନ୍ ଓ ଇଣ୍ଟରନେଟ୍ ସେବା, ଡିଟିଏଚ୍ ସେବା, ଗ୍ୟାସ୍ ବିତରଣ ଓ ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ ।

ରାସ୍ତାକଡ଼ ଖାଦ୍ୟ ଦୋକାନ, ଗୋଟିକିଆ ପରିବା ଦୋକାନ, ଫଳ, ମାଛ, ମାଂସ ଆଦି ଦୋକାନ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ । କିନ୍ତୁ ଗୋଟିଏ ଦୋକାନରୁ ଅନ୍ୟ ଦୋକାନର ଦୂରତା ଅତି କମ୍ରେ ୩୦ ଫୁଟ ହେବ । ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ । ଲୋକମାନେ ନିଜର ଆବଶ୍ୟକ ଖାଦ୍ୟପଦାର୍ଥ ପାଖ ଦୋକାନରୁ ଚାଲି ଚାଲି ଯାଇ ଆଣିବେ।ତେବେ ଶନିବାର ଓ ରବିବାର ଏସବୁ ଦୋକାନ ବନ୍ଦ ରହିବ । କେବଳ ଔଷଧ ଦୋକାନ ଖୋଲା ରହିବ ।

Leave A Reply

Your email address will not be published.