କରୋନା ଯନ୍ତ୍ରଣା : ଚାକିରି ହରାଇଲେଣି ୭୫ ଲକ୍ଷରୁ ଉର୍ଦ୍ଧ

70

ନୂଆଦିଲ୍ଲୀ : ଭାରତର ବେକାରୀ ସମସ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । କରୋନାର ପ୍ରଥମ ଲହରକୁ ରୋକିବା ପାଇଁ ଜାରି ଲକ୍ଡାଉନ୍ ଅନେକଙ୍କୁ ବେକାର ସଜାଇଥିବା ବେଳେ ଏବେ ଦ୍ୱିତୀୟ ଲହର ସମାନ ସ୍ଥିତି ସୃଷ୍ଟି କରିଛି । ଭାରତର ବେକାରୀ ହାର ଏପ୍ରିଲ ମାସରେ ରେକର୍ଡ ପ୍ରାୟ ୮% ରେ ପହଞ୍ଚିଯାଇଛି । ଏହା ୪ ମାସ ମଧ୍ୟରେ ସର୍ବାଧିକ ।

ବିଭିନ୍ନ ରାଜ୍ୟରେ ସରକାରମାନେ ଲକ୍ଡାଉନ୍ ଓ କଟକଣା ଲାଗୁ କରିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ମାର୍ଚ୍ଚ ମାସରେ ଦେଶର ବେକାରୀ ହାର ୬.୫% ଥିବାବେଳେ ଏପ୍ରିଲ ଶେଷ ବେଳକୁ ଏହା ୭.୯୭%ରେ ପହଞ୍ଚି ଯାଇଛି । ଏହାର ଅର୍ଥ ଗୋଟିଏ ମାସରେ ୭୫ ଲକ୍ଷରୁ ଅଧିକ ଲୋକ ନିଯୁକ୍ତି ହରାଇଛନ୍ତି । ବେସରକାରୀ ସଂସ୍ଥା ସିଏମ୍ଆଇଇ ପକ୍ଷରୁ ଏଭଳି ତଥ୍ୟ ଦିଆଯାଇଛି ।

ସିଏମ୍ଆଇଇର ଏମ୍ଡି ମହେଶ ବ୍ୟାସ କହିଛନ୍ତି, ବର୍ତ୍ତମାନ ନିଯୁକ୍ତି ସୁଯୋଗ ସୃଷ୍ଟିରେ ହ୍ରାସ ଘଟିଛି । ଲକ୍ଡାଉନ୍ ଓ ବିଭିନ୍ନ ପ୍ରକାରର କଟକଣା ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଛି । ଏବେ କରୋନା ଭାଇରସର କରାଳ ରୂପ ଜାରି ରହିଛି । ସମସ୍ତଙ୍କର ଫୋକସ୍ ମେଡିକାଲ-ସର୍ଭିସ୍ ଫ୍ରଣ୍ଟ ଉପରେ ରହିଛି । ତେଣୁ ମେ’ ମାସରେ ମଧ୍ୟ ବେକାରୀ ସମସ୍ୟା ଏଭଳି ଜାରି ରହିବ ବୋଲି ସେ ଆକଳନ କରିଛନ୍ତି ।

୨୦୨୦ ମାର୍ଚ୍ଚ ମାସରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଲଡ୍ଡାଉନ୍ ଲାଗୁ କରିଥିଲେ । ଏହି କାରଣରୁ ଲକ୍ଷ ଲକ୍ଷ ଲୋକ କାମ ହରାଇଥିଲେ । ଦେଶର ଅର୍ଥନୀତି ମଧ୍ୟ ଭୁଶୁଡ଼ି ପଡ଼ିଥିଲା । ତେବେ ସେପ୍ଟେମ୍ବର ମାସ ପରେ ଏଥିରେ ଧୀରେଧୀରେ ସୁଧାର ଆସିଥିଲା । କିନ୍ତୁ କରୋନାର ଦ୍ୱିତୀୟ ଲହର ସବୁ କିଛି ବିଗାଡ଼ି ଦେଇଛି । ଏବେ ଦେଶବ୍ୟାପୀ ଲକ୍ଡାଉନ୍ କେନ୍ଦ୍ର ସରକାର ଘୋଷଣା କରିନାହାନ୍ତି । କିନ୍ତୁ ରାଜ୍ୟ ସରକାରମାନେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଲାଗୁ କରି ସମାନ ସ୍ଥିତି ସୃଷ୍ଟି କରିଛନ୍ତି ।

Comments are closed.