ଏମକେସି ହାଇ ସ୍କୁଲର ଅଫିସ କାର୍ଯ୍ୟାଳୟରେ ନିଆଁ ଲଗାଇଲେ ଦୁର୍ବୁତ୍ତ

0 74

-ଏମକେସି ହାଇ ସ୍କୁଲର ଅଫିସ କାର୍ଯ୍ୟାଳୟରେ ନିଆଁ ଲଗାଇଲେ ଦୁର୍ବୁତ୍ତ
-ଘଟଣାସ୍ଥଳରୁ ଦିଆସିଲି ଓ ଏକ ଆଧାକାର୍ଡ଼ ଜବତ
-ଅଗ୍ନିଶମ ବିଭାଗ ପହଁଞ୍ଚି ଲିଭାଇଲେ ନିଆଁ
-ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ନଷ୍ଟ

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ସର୍ବପୁରାତନ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ସହିତ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟରେ ନିଆଁ । ଆଜି ସକାଳ ସମୟରେ ବିଦ୍ୟାଳୟର ପିଅସ୍ୱିଦ୍ୟାଳୟ ଖୁଲିବାକୁ ଆସିଥିବା ବେଳେ ନିଆଁ ଲାଗିଥିବାର ଦେଖି ପ୍ରଧାନ ଶିକ୍ଷକ ସହିତ ଅନ୍ୟ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ସୂଚନା ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଁଞ୍ଚି ଜଳୁଥିବା ନିଆଁକୁ ଲିଭାଇଥିଲେ ।

ସେହିପରି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପକ୍ଷରୁ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ନିଆଁ ଲାଗିବାର କାରଣକୁ ନେଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ । ତେବେ ଘଟଣାସ୍ଥଳରେ ଏକ ଦିଆସିଲି ଓ ଆଧାର କାର୍ଡ଼କୁ ପୁଲିସ ଜବତ କରିଥିବାର ଜଣାପଡ଼ିଛି । ଏଥିରେ ବିଦ୍ୟାଳୟର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବାର ଦେଖିବାକୁ ମିଳିଛି । ଏବିଷୟରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ରାଉତ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ସେ ଆଜି ନିଜର ମୋବାଇଲ ଘରେ ରଖି ପ୍ରାତଃ ଭ୍ରମଣରେ ଆସିଥିଲେ । ସକାଳ ପ୍ରାୟ ୫.୧୦ ସମୟରେ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ନିକଟରୁ ବିଦ୍ୟାଳୟରେ ନିଆଁ ଲାଗିଥିବାର ଶୁଣି ତୁରନ୍ତ ବିଦ୍ୟାଳୟରେ ପହଁଞ୍ଚି ନିଆଁ ଜଳୁଥିବାର ଦେଖିବାକୁ ପାଇଥିଲେ ।

ଏହା ପୂର୍ବରୁ ଅନ୍ୟ ଶିକ୍ଷକମାନେ ଦମକଳ ବାହିନୀକୁ ଖବର ଦେଇସାରିଥିଲେ ଏବଂ ସେମାନେ ପହଁଞ୍ଚି ନିଆଁ ଲିଭାଇବାରେ ଲାଗିପଡ଼ିଥିଲେ । ଏହି ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ପହଁଞ୍ଚି ତଦନ୍ତ ଜାରି ରଖିଛନ୍ତି ଓ ଲାଗିଥିବା ନିଆଁରେ ଐତିହାସିକ ଓ ଐତିହ୍ୟ ସହିତ ଜଡ଼ିତ ଏହି ଏମକେସି ବିଦ୍ୟାଳୟର ପରୀକ୍ଷା ସେକସନର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ବିଦ୍ୟାଳୟର ମଧ୍ୟ କିଛି ନଥିପତ୍ର ପୋଡ଼ି ନଷ୍ଟ ହୋଇଯାଇଛି ବୋଲି କହିଛନ୍ତି । କୌଣସି ଦୁର୍ବୁତ୍ତ କିରୋସିନୀ ଢ଼ାଳି ଏହି ନିଆଁ ଲଗାଇଥିବାର ଜଣାପଡ଼ିଛି । ଏହି ନିଆଁକୁ ଜାଣୁଶୁଣି କେହି ଲଗାଇଛି ଏବଂ ତଦନ୍ତର ମୋଡ଼ ବଦଳାଇବା ଉଦ୍ଦେଶ୍ୟରେ ଘଟଣାସ୍ଥଳରେ ଏକ ଆଧାରକାର୍ଡ଼କୁ ଛାଡ଼ି ଦେଇଯାଇଥିବାର ସନ୍ଦେହ କରାଯାଇଛି ।

ତେବେ ନିଆଁ ଲଗାଇଥିବା ବ୍ୟକ୍ତି ଜଣକ କେବଳ କାର୍ଯ୍ୟାଳୟର କାଗଜପତ୍ରକୁ ନଷ୍ଟ କରାଇବା ଉଦ୍ଦେଶ୍ୟ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଉଛି । ବିଦ୍ୟାଳୟର କାଗଜପତ୍ର ପୋଡ଼ି ଗଲେ ଏଥିରୁ କେଉଁମାନଙ୍କୁ ଅଧିକ ଫାଇଦା ମିଳିବ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କରୋନାର ଦ୍ୱିତୀୟ ଲହର କାରଣରୁ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ବାତିଲ ଓ ପୂର୍ବ ପରୀକ୍ଷାର ମୂଲ୍ୟାୟନ ଆଧାରରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ନିର୍ଭର କରୁଥିବା ବେଳେ ଏମକେସି ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପୂର୍ବ ପରୀକ୍ଷା ଖାତା ଓ ମୂଲ୍ୟାୟନ ସମ୍ପର୍କିତ ନଥିପତ୍ର କେତେ ସୁରକ୍ଷିତ ତାହା ପରବର୍ତ୍ତି ସମୟରୁ ଜଣାପଡ଼ିବ ।

Leave A Reply

Your email address will not be published.