କୋଭିଡ୍ ର ତୃତୀୟ ଲହର ନିଶ୍ଚିତ

0 70

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରରେ ଏବେ ଦେଶ ଯୁଝି ହେଉଛି । ଆଗକୁ ତୃତୀୟ ଲହର ଆସିବା ନିଶ୍ଚିତ । କରୋନାର ତୃତୀୟ ଲହର ଅବଶ୍ୟମ୍ଭାବୀ । ଅର୍ଥାତ୍ ତୃତୀୟ ଲହରକୁ ଏଡାଇ ଦେଇହେବନି । ଏମ୍ସ ନିର୍ଦ୍ଦେଶକଙ୍କ ପରେ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ.ବିଜୟ ରାଘବନ୍ ଏଭଳି ଆଶଙ୍କା କରିଛନ୍ତି । ଶ୍ରୀ ରାଘବନ୍ କହିଛନ୍ତି ଯେ, ଯେଉଁଭଳି ଭାବରେ ଭୂତାଣୁ ଦ୍ରୁତଗତିରେ ବ୍ୟାପୁଛି କରୋନାର ମହାମାରୀର ତୃତୀୟ ଲହର ନିଶ୍ଚିତ ଆସିବ । କିନ୍ତୁ କେବେ ଆସିବ ତାହା କହି ହେବନି କି କେତେ ପ୍ରଭାବୀ ହେବ ତାହା ମଧ୍ୟ ଆକଳନ କରିବା ମୁସ୍କିଲ୍ । ତେଣୁ ସମସ୍ତେ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସେ ଚେତାଇ ଦେଇଛନ୍ତି ।

ବର୍ତ୍ତମାନ କରୋନାର ବିଭିନ୍ନ ଭାରିଏଣ୍ଟ ମୂଳ ଷ୍ଟ୍ରେନ୍ ଭଳି ବ୍ୟାପୁଛି । ମଣିଷ ଦେହରେ ପ୍ରବେଶ କରିବା ପରେ ଅଧିକ ସଂକ୍ରାମକ ହୋଇଉଠୁଛି ଏହି ଭୂତାଣୁ । ବର୍ତ୍ତମାନ ଭାରିଏଣ୍ଟରେ ଟିକା ଫଳପ୍ରଦ । ଭାରତ ସମେତ ପୂରା ଦେଶର ବୈଜ୍ଞାନିକ ମାନେ ନୂଆ ଭାରିଏଣ୍ଟର ପୂର୍ବାନୁମାନ କରିବା ସହ ସେ ଦିଗରେ ଦ୍ରୁତ ଗବେଷଣା ଜାରି ରଖିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ ହେଉଛନ୍ତି । ଭାଇରସ୍ର ମ୍ୟୁଟେସନ୍ ଯୋଗୁ ଅଧିକ ଶିଶୁ ସଂକ୍ରମିତ ହେଉଥିବା କହିଛନ୍ତି ଶିଶୁରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ର ।

ଓଡ଼ିଶାରେ ଚିହ୍ନଟ ମୋଟ୍ ସଂକ୍ରମଣ ମାମଲାରୁ ୨୦ ପ୍ରତିଶତ ମାମଲା କିଶୋର/କିଶୋରୀଙ୍କଠାରେ ଚିହ୍ନଟ ହୋଇଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ସେପ୍ଟେମ୍ବରରେ କରୋନାର ତୃତୀୟ ଲହର ଆସିବ ବୋଲି ଆଶଙ୍କା କରିଛନ୍ତି ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଅଶୋକ ମହାପାତ୍ର । ପ୍ରଥମ ଓ ଦ୍ୱିତୀୟ ଲହରରେ ବୟସ୍କ ଓ ଯୁବବର୍ଗ ବେଶୀ ସଂକ୍ରମିତ ହେଉଥିବା ବେଳେ ତୃତୀୟ ଲହରରେ ଶିଶୁ ସଂକ୍ରମିତ ହେବା ଆଶଙ୍କା ରହିଛି । ତେଣୁ ତୃତୀୟ ଲହରରେ ଶିଶୁଙ୍କ ଅଧିକ ଯତ୍ନ ନେବାକୁ ପଡ଼ିବ । ପିଲାଙ୍କ ଯତ୍ନ ନେବା ସହ ବାହାରକୁ ବେଶୀ ନ ଛାଡ଼ିବା ପାଇଁ ଶ୍ରୀ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.