କରୋନା ଲଢେଇ ପାଇଁ ୫୦ ହଜାର କୋଟି

70

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ନର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରରେ ଦେଶର ଅର୍ଥନୀତି ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ସ୍ଥିତି ଉପରେ ଆରବିଆଇର ନଜର ରହିଛି । ଦ୍ୱିତୀୟ ଲହର ବିରୋଧରେ ଦୃଢ ପଦକ୍ଷେପ ନେବା ଆବଶ୍ୟକ ।

ସେ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି, କରୋନାର ପ୍ରଥମ ଲହର ପରେ ଦେଶର ଅର୍ଥନୀତି ସୁଧୁରିବ ଆରମ୍ଭ କରିଥିଲା କିନ୍ତୁ ଦ୍ୱିତୀୟ ଲହର ପୁଣିଥରେ ସଙ୍କଟ ସୃଷ୍ଟି କରିଛି । ଆରବିଆଇ ଏମର୍ଜେନ୍ସି ସ୍ୱାସ୍ଥ୍ୟ ସେବା ପାଇଁ ୫୦ ହଜାର କୋଟି ଟଙ୍କା ଦେଇଛି । ଏହି ରାଶି ଜରିଆରେ ବ୍ୟାଙ୍କ ଭ୍ୟାକସିନ ମେନୁଫେକ୍ଚର୍ସ, ଭ୍ୟାକସିନ ଟ୍ରାନ୍ସପୋର୍ଟ, ଏକ୍ସପର୍ଟସଙ୍କୁ କିସ୍ତିରେ ଋଣ ଉପଲବ୍ଧ କରାଇବ । ଏହାସହ ହସ୍ପିଟାଲ, ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ମଧ୍ୟ ଲାଭ ମିଳିବ । ଶ୍ରୀ ଦାସ କହିଛନ୍ତି ଯେ ପ୍ରାଥମିକତା କ୍ଷେତ୍ର ପାଇଁ ଶୀଘ୍ର ଋଣ ଓ ପ୍ରୋତ୍ସାହନ ଦିଆଯିବ । ବର୍ତ୍ତମାନ ସ୍ଥିତିରେ କେୱାଇସି ନିୟମରେ କିଛି ପରିବର୍ତ୍ତନ କରାଯାଇଛି । ନୂଆ ନିୟମ ଅନୁସାରେ ଭିଡିଓ ଜରିଆରେ କେୱାଇସିକୁ ମଞ୍ଜୁରି ଦିଆଯାଇଛି ।

ରାଜ୍ୟମାନଙ୍କ ପାଇଁ ଓଭରଡ୍ରାଫ୍ଟ ଫାସିଲିଟିରେ ମଧ୍ୟ ଆଶ୍ୱସ୍ତି ଦିଆଯାଇଛି ବୋଲି ସେ କହିଛନ୍ତି । କରୋନାର ଦ୍ୱିତୀୟ ଲହର ମଧ୍ୟରେ ଶ୍ରୀ ଦାସ ସାଧାରଣ ଜନତା, ଛୋଟ ବ୍ୟବସାୟୀ ଓ ସୁକ୍ଷ୍ମ-ଆର୍ଥିକ ସଂସ୍ଥାର ସାହାଯ୍ୟ ପାଇଁ ଆର୍ଥିକ ଉପାୟର ଏକ ସେଟ୍ ଘୋଷଣା କରିଛନ୍ତି । ଦେଶରେ କରୋନା ପ୍ରକୋପ ବଢ଼ିବାରେ ଲାଗିଛି । ଲଗାତାର ପ୍ରତିଦିନ ୩ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୮୨ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି ଓ ୩୪୦୦ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

Comments are closed.