ତାଣ୍ଡବ ରଚୁଛି ଦ୍ୱିତୀୟ ଲହର ! ଦେଶରେ ଘଣ୍ଟାକୁ ଯାଉଛି ୧୫୦ ଜୀବନ

65

ନୂଆଦିଲ୍ଲୀ : ଦେଶରେ ଚାଲିଥିବା କୋଭିଡ୍ର ଦ୍ୱିତୀୟ ଲହରର ସଂକ୍ରମଣ ପିକ୍ରେ ପହଞ୍ôଚଛି ବୋଲି କୁହାଯାଇପାରେ । ଏକଥା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିହାର ରାୟ । ସେ କହିଛନ୍ତି ପୃଥିବୀରେ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଯେଉଁ ରେକର୍ଡ ଥିଲା, ତାହାକୁ ଏବେ ଭାରତ ଅତିକ୍ରମ କରିଛି । ପରିସ୍ଥିତି ବହୁତ ଗମ୍ଭୀର ରହିଛି । ମହାରାଷ୍ଟ୍ର ଓ ଦିଲ୍ଲୀରେ ପିକ୍ ପହଞ୍ଚିବା ଉପରେ । ଓଡ଼ିଶାକୁ ପଶ୍ଚିମବଙ୍ଗ ଓ ଆନ୍ଧ୍ର ଫେରନ୍ତା ପ୍ରଭାବିତ କରିପାରନ୍ତି ବୋଲି ଶ୍ରୀ ରାୟ କହିଛନ୍ତି । ତେଣୁ ଭାରତ ଭଳି ଦେଶ ଯେଉଁଠି ଲୋକସଂଖ୍ୟା ବହୁତ ଅଧିକ ଓ ଭ୍ୟାକ୍ସିନ୍ ସେହି ଅନୁସାରେ ହୋଇନି ସେଠାରେ ସଂକ୍ରମଣର ସମ୍ଭାବନା ଆହୁରି ବଢ଼ିଯାଇଛି ।

ତେଣୁ ଟିକାକରଣ ବଢ଼ିଲେ ଭାଇରସ୍ ମ୍ୟୁଟାଣ୍ଟକୁ ରୋକି ହେବ ବୋଲି ଶ୍ରୀ ରାୟ କହିଛନ୍ତି । ଦେଶରେ କରୋନା ସଂକ୍ରମଣ ମାଡିଚାଲିବା ସହିତ ଦିନକୁ ଦିନ ଅଧିକରୁ ଅଧିକ ଜୀବନ ନେବାରେ ଲାଗିଛି । ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୧୪ ହଜାର ଅତିକ୍ରମ କରିଛି । ଗତ କିଛିଦିନ ଧରି ଦେଶରେ ଦୈନିକ ୩ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେବାସହିତ ଗତ ୧୦ ଦିନ ଧରି ଘଣ୍ଟାକୁ ହାରାହାରି ୧୫୦ ଜଣ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଛି । ୧୦ ଦିନ ମଧ୍ୟରେ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୬,୧୧୦ ହୋଇଛି, ଯାହା ବିଶ୍ୱର ଗୋଟିଏ ଦେଶରେ ୧୦ ଦିନରେ କରୋନା ଜନିତ ସର୍ବାଧିକ ମୃତ୍ୟୁସଂଖ୍ୟା ବୋଲି ଜଣାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂତ୍ରରୁ ଜଣାଯାଇଛି, ଆମେରିକାରେ ୧୦ ଦିନରେ କରୋନା ମୃତ୍ୟୁସଂଖ୍ୟା ୩୪,୭୯୮ ଏବଂ ବ୍ରାଜିଲରେ ଏହା ୩୨,୬୯୨ ରହିଛି । ସେହିଭଳି ମେକ୍ସିକୋ ଏବଂ ବ୍ରିଟେନରେ ଏହା ଯଥାକ୍ରମେ ୧୩,୮୯୭ ଓ ୧୩,୨୬୬ ରହିଥିବା ଜଣାଯାଇଛି । ତାହାସହିତ ଚଳିତ ସପ୍ତାହରେ ଦେଶରେ କରୋନା ସଂକ୍ରମିତଙ୍କ ମୋଟ ସଂଖ୍ୟା ୨ କୋଟିକୁ ଅତିକ୍ରମ କରିଛି । ଗତକାଲି ଗୋଟିଏ ଦିନରେ ୪ ଲକ୍ଷ ୧୪ହଜାର ୧୮୮ ନୂଆ ସଂକ୍ରମିତ ଚିହ୍ନଟ ହେବାପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୪ ଲକ୍ଷ ୯୧ ହଜାର ୫୯୮କୁ ବୃଦ୍ଧିପାଇଛି ।

କରୋନା ମହାମାରୀକୁ ମୁକାବିଲା କରିବାରେ ଭାରତର ସ୍ୱାସ୍ଥ୍ୟସେବା ପର୍ଯ୍ୟାପ୍ତ ହେଉନଥିବାବେଳେ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏ କ୍ଷେତ୍ରରେ ସହାୟତାର ହାତ ବଢାଇଛନ୍ତି । ବିଶେଷକରି ଦେଶରେ ଡାକ୍ତରଖାନା ଅମ୍ଳଜାନ ନିଅଣ୍ଟ ପରିସ୍ଥିତି ସୁଧାରିବାକୁ ବିଦେଶୀ ରାଷ୍ଟ୍ରଗୁଡିକ ଅମ୍ଳଜାନ ସାନ୍ଦ୍ରକ, ଅମ୍ଳଜାନ ଥଳି, ଟ୍ୟାଙ୍କର ସମେତ ତରଳ ଅମ୍ଳଜାନ ଯୋଗାଇବାରେ ଲାଗିଛନ୍ତି । ଏପରିକି ଦେଶ ଭିତରେ ଅମ୍ଳଜାନ ଉତ୍ପାଦନ ବୃଦ୍ଧି କରିବାକୁ ସମସ୍ତ ପଦକ୍ଷେପ ନିଆଯାଉଛି । ଇତିମଧ୍ୟରେ ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଦେଇ କହିଛନ୍ତି ଯେ ଏହି ମହାମାରୀର ତୃତୀୟ ଲହର ଅବଶ୍ୟମ୍ଭାବୀ । ତେବେ ଏହା କେବେ ଆସିବ ଏବଂ କେତେ ମାରାତ୍ମକ ହେବ, ତାହା ଏବେଠାରୁ ଆକଳନ କରିବା କଷ୍ଟକର ବୋଲି ସେମାନେ କହିଛନ୍ତି ।

Comments are closed.