କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ , ଅକ୍ସିଜେନ୍ ଯୋଗାଣ ଜାରି ରଖିବାକୁ ନିର୍ଦ୍ଦେଶ

65

ନୂଆଦିଲ୍ଲୀ : ଦିଲ୍ଲୀକୁ ଅକ୍ସିଜେନ ଯୋଗାଇବା ପ୍ରସଙ୍ଗରେ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ । ନିକଟରେ ଅକ୍ସିଜେନ ଯୋଗାଣ ପ୍ରସଙ୍ଗରେ ଦିଲ୍ଲୀକୁ ୭୦୦ ମେଟ୍ରିକ ଅକ୍ସିଜେନ ଯୋଗାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାକୁ ପୂରଣ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଛି ବୋଲି ଦିଲ୍ଲୀ ସରକାର କୋର୍ଟରେ କହିଥିଲେ । ତେଣୁ କୋର୍ଟ ଆଜି କେନ୍ଦ୍ର ଉପରେ ବର୍ଷିଛନ୍ତି । ଯଦି କେନ୍ଦ୍ର ନପାରିବ ତାହେଲେ କୋର୍ଟ ବାଧ୍ୟ ହୋଇ ନିଜ ଆଡୁ ପଦକ୍ଷେପ ନେବ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି । ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୁଡ ପୂର୍ବରୁ ଶୁଣାଣି ବେଳେ କେନ୍ଦ୍ରକୁ କହିଥିଲେ ଯେପର୍ଯ୍ୟନ୍ତ ତାଙ୍କ ଆଦେଶର ସମୀକ୍ଷା ସେ କରିନାହାନ୍ତି ସେପର୍ଯ୍ୟନ୍ତ ଦିଲ୍ଲୀକୁ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଇବାକୁ ହେବ ।

ସୂଚନାଯୋଗ୍ୟ, ଦିଲ୍ଲୀରେ ଦୈନିକ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନର ଆବଶ୍ୟକତା ରହିଛି । ହେଲେ ଗତକାଲି କେନ୍ଦ୍ର ସରକାର ପ୍ରଥମଥର ପାଇଁ ଦିଲ୍ଲୀକୁ ୭୩୦ ମେଟ୍ରିକ ଟନ୍ ଅକ୍ସିଜେନ ଦେଇଥିଲେ । ଏଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଗାମୀ ଦିନରେ ଏହିରି ଭାବରେ ନିରନ୍ତର ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଇବାକୁ କେଜ୍ରିୱାଲ ଅନୁରୋଧ କରିଛନ୍ତି । ଏଭଳି ହେଲେ ଦିଲ୍ଲୀରେ କୋଭିଡ୍ ପାଇଁ ସୃଷ୍ଟି ହୋଇଥିବା ଅକ୍ସିଜେନ ସମସ୍ୟା ଦୂର ହେବ ଏବଂ ଲୋକେ ଆଉ ଅକ୍ସିଜେନ ଅଭାବରୁ ଆଖି ବୁଜିବେ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି ।

ସେହିପରି କର୍ଣ୍ଣାଟକକୁ ଦୈନିକ ୧୨୦୦ ମାଟ୍ରିକ ଟନ୍ ଅକ୍ସିଜେନ ଦେବା ଦରକାର । କେନ୍ଦ୍ରକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ଆଜି କହିଛନ୍ତି । କର୍ଣ୍ଣାଟକ ହାଇକୋର୍ଟ ନିର୍ଦ୍ଦେଶ ଦେବା ପୂର୍ବରୁ ଅକ୍ସିଜେନର ଆବଶ୍ୟକତା ଉପରେ ଯାଞ୍ଚ କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Comments are closed.